ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମ ଧରୁ ଧରୁ କଂଗ୍ରେସ ଏବଂ କମଲନାଥ ସରକାରଙ୍କ ଉପରେ ବର୍ଷିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ନୂଆଦିଲ୍ଲୀସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଜ୍ୟୋତିରାଦିତ୍ୟ।

‘‘କଂଗ୍ରେସରେ ବର୍ତ୍ତମାନ ଯେଉଁ ସ୍ଥିତି ଦେଖାଦେଇଛି ସେଥିରେ ଜନସାଧାରଣଙ୍କ ସେବା କରିବା ସମ୍ଭବପର ନୁହେଁ। ପୂର୍ବରୁ କଂଗ୍ରେସ ଦଳ ଯାହା ଥିଲା ତାହା ଏବେ ସେଭଳି ନାହିଁ। ସେବା ମନୋବୃତ୍ତି ନେଇ ଏହି ଦଳ କାମ କରୁନି’’, କହିଛନ୍ତି ସିନ୍ଧିଆ।

ସେ ଆହୁରି କହିଛନ୍ତି, ‘‘ବାସ୍ତବତାକୁ କଂଗ୍ରେସ ଗ୍ରହଣ କରୁନି। ନୂଆ ନେତୃତ୍ୱ ଏବଂ ନୂଆ ବିଚାରଧାରାକୁ କଂଗ୍ରେସ ଗୁରୁତ୍ୱ ଦିଏନି। ଏହି ବାତାବରଣ ଭିତରେ କଂଗ୍ରେସ ଗତି କରୁଛି। ଜାତୀୟ ସ୍ତରରେ କଂଗ୍ରେସର ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ସମାନ ଅବସ୍ଥା।’’କମଲନାଥ ସରକାରଙ୍କୁ ଟାର୍ଗେଟ କରି ସିନ୍ଧିଆ କହିଲେ ଯେ, ୨୦୧୮ରେ ଆମେ ଏକ ସ୍ୱପ୍ନକୁ ନେଇ ସରକାରକୁ ଆସିଥିଲୁ। ହେଲେ ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନି।

ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଛାଡିଦେଇଥିଲେ। ସେ ଅନ୍ତରୀଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଥିଲେ। ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏହା ଏବେ ସତ ପ୍ରମାଣିତ ହୋଇଛି।

ସିନ୍ଧିଆ କଂଗ୍ରେସର ଛାଡ଼ିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜ୍ୟୋତିରାଦିତ୍ୟଙ୍କ ଅନୁଗାମୀ ୨୨ ଜଣ ବିଧାୟକ ତାଙ୍କ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ମଧ୍ୟପ୍ରଦେଶରେ ଶାସନରେ ଥିବା କମଳନାଥଙ୍କ କଂଗ୍ରେସ ସରକାର ଏବେ ସଂଖ୍ୟାଗରିଷ୍ଠତା ହରାଇଛି। ଫଳରେ ଏବେ କଂଗ୍ରେସକୁ ହଟାଇ ମଧ୍ୟପ୍ରଦେଶରେ ବିଜେପି ପୁଣି ଶାସନ ଅକ୍ତିଆର କରିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here