ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରରେ ଶର୍କରାର ସ୍ତର ନିୟନ୍ତ୍ରଣରେ ନ ରହିଲେ ଏହା ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ।ଏହା ତ୍ୱଚା ଓ ଆଖି ସହ ଜଡ଼ିତ ସାଧାରଣ ସମସ୍ୟାରୁ ଆରମ୍ଭ କରି ବ୍ରେନଷ୍ଟ୍ରୋକ, ନର୍ଭସ ସିଷ୍ଟମ ସହ ଜଡ଼ିତ ଗୁରୁତର ରୋଗର କାରଣ ବି ପାଲଟିପାରେ।
ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବେଶ୍ ବୃଦ୍ଧିପାଇଛି। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। ପୂର୍ବରୁ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବାବେଳେ ଆଜିକାଲି ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ। ତେବେ ମଧୁମେହକୁ ନିୟନ୍ତ୍ରଣ ନ କଲେ ଅନ୍ୟ ରୋଗ ହେବାର ଆଶଙ୍କା ଅଧିକ। ତେବେ ମଧୁମେହ ସମସ୍ୟା ଯୋଗୁଁ ଅନ୍ୟ କେଉଁ ରୋଗ ହୋଇଥାଏ ଜାଣନ୍ତୁ।
ସମସ୍ୟା
ମଧୁମେହ ଯୋଗୁଁ ଦୁଇ ପ୍ରକାର ସମସ୍ୟା ହୋଇଥାଏ – ମାଇକ୍ରୋଭାସ୍କୁଲାର (ଛୋଟ ରକ୍ତବାହୀରେ କ୍ଷତି), ମାକ୍ରୋଭାସ୍କୁଲାର (ବୃହତ ରକ୍ତବାହୀରେ କ୍ଷତି)
ମାଇକ୍ରୋଭାସ୍କୁଲାର: ଆଖିରେ କ୍ଷତି (ରେଟିନୋପାଥି), କିଡ୍ନି ଫେଲ୍ (ନେଫ୍ରୋପାଥି), ସ୍ନାୟୁଜନିତ ସମସ୍ୟା, ନ୍ୟୁରୋପାଥି।
ମାକ୍ରୋଭାସ୍କୁଲାର: ହୃଦ୍ରୋଗ, ହୃଦ୍ଘାତ, ଷ୍ଟ୍ରୋକ, ଗୋଡ଼କୁ ରକ୍ତ ପ୍ରବାହ କମ୍ ହେବା।
ହୃଦରୋଗ: ମଧୁମେହ ହେବା କାରଣରୁ କରୋନାରୀ ଧମନୀ ରୋଗ, ହୃଦଘାତ, ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ।
ଆଖି ସମସ୍ୟା (ମଧୁମେହ ରେଟିନୋପାଥି): ଅନେକ ସମୟରେ ମଧୁମେହ ଆଖିକୁ ପ୍ରଭାବିତ କରିଥାଏ। ଏହାଯୋଗୁଁ ପ୍ରାଥମିକ ଭାବେ ଆଖିକୁ ଜାଲଜାଲୁଆ ଦେଖାଯାଉଥିବାବେଳେ ପରେ ମୋତିଆବିନ୍ଦୁ ହେବାର ଆଶଙ୍କା ବଢ଼ିଯାଏ। ଆଖିକୁ ପ୍ରଭାବିତ କରୁଥିବା ଏହି ଗୁରୁତର ସ୍ଥିତିକୁ ଡାଇବେଟିକ୍ ରେଟିନୋପ୍ୟାଥି କୁହାଯାଏ। ଏଥିରେ ଆଖିର ରେଟିନା ଖରାପ ହେବାରେ ଲାଗିଥାଏ। କିଛି ଗୁରୁତର ମାମଲାରେ ଆଖିର ଦୃଷ୍ଟିଶକ୍ତି ବି ନଷ୍ଟ ହୋଇଯାଏ। ଡାଇପ୍-୨ ମଧୁମେହରେ ପୀଡ଼ିତ ୨୦-୪୦ ପ୍ରତିଶତ ଲୋକଙ୍କୁ ଡାଇବେଟିକ୍ ରେଟିନୋପ୍ୟାଥି ସମସ୍ୟା ହୋଇଥାଏ। ଯଦି ଆପଣ ନିୟମିତ ଭାବେ ଯାଞ୍ଚ କରିବେ ତା’ ହେଲେ ଅଧିକାଂଶ ସମସ୍ୟା ପ୍ରାଥମିକ ଭାବେ ହିଁ ଜଣାପଡ଼ିଯିବ । ଅସ୍ତ୍ରୋପଚାର ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବପର।
ଲକ୍ଷଣ: ଅସ୍ପଷ୍ଟ ଦୃଷ୍ଟି ଶକ୍ତି ବା ଆଖିକୁ ଜାଲିଜୁଲିଆ ଦେଖାଯିବା।
ନେଫ୍ରୋପାଥି (କିଡ୍ନି ରୋଗ): ମଧୁମେହ କାରଣରୁ କିଡ୍ନିଜନିତ ସମସ୍ୟା ହୋଇଥାଏ। ମଧୁମେହ ଯୋଗୁଁ କିଡ୍ନିରେ ଥିବା ଛୋଟ ରକ୍ତବାହୀ କ୍ଲଷ୍ଟର ନଷ୍ଟ ହୋଇଯାଏ। ଏହା କିଡ୍ନି ଫେଲ୍ର କାରଣ ହୋଇପାରେ। କିଡ୍ନି ଫେଲ୍ ହେଲେ ପ୍ରତିରୋପଣ କରିବାକୁ ପଡ଼ିଥାଏ।
ଲକ୍ଷଣ: ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଯାଇ ନଥାଏ କିନ୍ତୁ ରୋଗ ଧୀରେ ଧୀରେ ବଢ଼ିଲେ ରୋଗୀ ଥକ୍କର ଅନୁଭବ କରିବେ, ରକ୍ତହୀନତା ଭଳି ସମସ୍ୟା ଦେଖାଦିଏ।
ଟାଇପ୍-୨ ମଧୁମେହ ଦ୍ୱାରା ପ୍ରଭାବିତ ୭% ଲୋକଙ୍କଠାରେ ମଧୁମେହ ଚିହ୍ନଟ ହେବାର ପୂର୍ବରୁ କିଡ୍ନି ରୋଗ ଚିହ୍ନିତ ହୋଇଥାଏ। ନିୟମିତ ଭାବେ ରକ୍ତ ଶର୍କରାର ଯାଞ୍ଚ କରିବା, ଠିକ୍ ଭାବେ ଖାଦ୍ୟପେୟ ଗ୍ରହଣ କରିବା ଏବଂ ବ୍ୟାୟାମ ମାଧ୍ୟମରେ ଏହି ସମସ୍ୟାରୁ ରକ୍ଷା ମିଳିପାରିବ।
ନ୍ୟୁରୋପାଥି ବା ସ୍ନାୟୁ ରୋଗ: ଡାଇବେଟିସ୍ ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ମଧୁମେହ କାରଣରୁ ହାଇପରଗ୍ଲାମେସିଆ ଛୋଟ ରକ୍ତବାହୀକୁ ନଷ୍ଟ କରିବା ଫଳରେ ସ୍ନାୟୁରେ ରକ୍ତ ପ୍ରବାହ କମିଯାଏ।
ଲକ୍ଷଣ: ପାଦରେ ଅସ୍ଥିରତା, ଗୋଡ଼ ଝିମ୍ ଝିମ୍ କରିବା। ଏହି ସମସ୍ୟା ଯଦି ପ୍ରାଥମିକ ଅବସ୍ଥାରେ ଚିକିତ୍ସା ନ ହୁଏ, ତେବେ ଏହା ଆମ୍ପୁଟେସନ୍ ସମସ୍ୟାକୁ ଗତି କରିବ।
ପାଦ ରୋଗ: ରକ୍ତ ସଞ୍ଚାଳନ ଠିକ୍ ଭାବରେ ନ ହେବା କାରଣରୁ ପାଦରେ ଅଲସର ଭଳି ସମସ୍ୟା ଦେଖାଦିଏ।
ତ୍ୱଚା: ମଧୁମେହ ରୋଗୀଙ୍କୁ ଚର୍ମ ସଂକ୍ରମଣ ହେବା ଅତି ସାଧାରଣ କଥା। ମଧୁମେହ ଦ୍ୱାରା ପ୍ରଭାବିତ ୩୦% ଲୋକଙ୍କୁ ତ୍ୱଚା ସଂକ୍ରମଣ ଯେପରିକି ଶୁଷ୍କ ତ୍ୱଚା, ତ୍ୱଚାରେ ଫୋଟକା ହୋଇଯିବା, ତ୍ୱଚା କୁଣ୍ଡାଇ ହେବା, ତ୍ୱଚାରେ କଳାଦାଗ ସୃଷ୍ଟି ହେବା ଭଳି ସମସ୍ୟା ଦେଖାଯାଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ତ୍ୱଚାରେ ହେଉଥିବା ଯେକୌଣସି ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ । ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଦୀର୍ଘ ଦିନ ଧରି ମଧୁମେହ ଲାଗି ରହିଲେ ହାତ ଓ ପାଦରେ ସମ୍ବେଦନଶୀଳତା କମିଯାଏ । ଏହାକୁ ଅଣଦେଖା କରନ୍ତୁ ନାହିଁ ।
ରକ୍ତର ଶିରା ପ୍ରଭାବିତ ହେବା: ମଧୁମେହ ରୋଗୀଙ୍କୁ ଉଚ୍ଚ ରକ୍ତଚାପ ଏବଂ ହାଇ କୋଲେଷ୍ଟେରୋଲ ହେବାର ଆଶଙ୍କା ଅଧିକ ଥାଏ। ଏଭଳି କ୍ଷେତ୍ରରେ ରକ୍ତର ଶିରା ଶକ୍ତ ହୋଇଯାଇଥାଏ । ଏହାଫଳରେ ହୃଦରୋଗ ଏବଂ ହୃଦ୍ଘାତ ହେବାର ଆଶଙ୍କା ବଢ଼େ। ପାଦ ଓ ଶିରାରେ ରକ୍ତପ୍ରବାହ କମିବା ଯୋଗୁଁ ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପଡ଼େ । ଅନେକ ସମୟରେ ଏହାଯୋଗୁଁ ବ୍ରେନଷ୍ଟ୍ରୋକ୍ ହୋଇଥାଏ।
ଅବସାଦ: ଟାଇପ୍ ୧ ଟାଇପ୍ ୨ ଡାଇବେଟିସ୍ ଥିବା ଲୋକଙ୍କଠାରେ ଅବସାଦ ଲକ୍ଷଣ ଦେଖାଯାଏ।
କାର୍ଡିଓଭାସ୍କୁଲାର ରୋଗ: ହାଇପରଗ୍ଲାମେସିଆ ରକ୍ତବାହୀକୁ ନଷ୍ଟ କରିବା ସହ ଧମନୀ ବନ୍ଦ କରିଥାଏ। ଧମନୀ ସଙ୍କୋଚିତ ହେବା ଫଳରେ ହୃଦୟକୁ ରକ୍ତ ପ୍ରବାହ ହ୍ରାସ ପାଏ, ଯାହା ହୃଦଘାତ ଓ ବ୍ରେନ୍ ଷ୍ଟ୍ରୋକର କାରଣ ହୋଇଥାଏ।
ଲକ୍ଷଣ: ଛାତି ଯନ୍ତ୍ରଣା, ଗୋଡ଼ ବିନ୍ଧା।
ଏଭଳି ଜଟିଳ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଧୂମପାନ, ଉଚ୍ ରକ୍ତଚାପ, କୋଲେଷ୍ଟ୍ରୋଲ ଏବଂ ମୋଟାପଣ ଭଳି ସମସ୍ୟାକୁ ଚିହ୍ନଟ କରି ଏହା ଚିକିତ୍ସା କରିବା ଜରୁରୀ।