ଓଡ଼ିଶାଲାଇଭ୍ ବ୍ୟୁରୋ
ବାଣ ବିସ୍ପୋରଣ ଘଟି ଚାଲିଗଲା ୨ ନିରୀହ ଶିଶୁଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଘଟିଛି ଏଭଳି ଅଘଟଣ।
ବୁଧବାର ସୋଗର ଗାଁ’ର ସରୋଜ ସାହୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିଯିବା ପରେ ଘର ଭିତରେ ଥିବା କିଛି ବାଣରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହାପରେ ଘର ଭିତରେ ଥିବା ସେହି ବାଣଗୁଡ଼ିକ ଫୁଟିବା ଆରମ୍ଭ ହୋଇଯାଇଥିଲା।
ଏହାପରେ ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା। ତେବେ ଏହି ବିସ୍ପୋରଣରେ ଜଣେ ୬ ବର୍ଷ ଓ ଆଉ ଜଣେ ୮ବର୍ଷର ନାବାଳକ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି।
ସେହିଭଳି ଆଉ ଜଣେ ଶିଶୁ ଏଥିରେ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ଶିଶୁକୁ ବର୍ତ୍ତମାନ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।