ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାତର ବର୍ଷ ହେଲା କେନ୍ଦ୍ରାପଡାର ସମୁଦ୍ର ଉପକୂଳରେ ଦେଖାଯାଉଛନ୍ତି ମୃତ ତିମି। ଆଜିବି ଏହି ତିମିମାନଙ୍କର ମୃତ୍ୟୁର କାରଣ ଜଣାପଡ଼ିନି।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଅଗରନାସୀ ନିକଟ ସମୁଦ୍ରକୂଳରେ ଶନିବାର ଏକ ବିଶାଳ ମୃତ ତିମି ଭାସୁଥିବାର ଦେଖିବାକୁ ମିଳିଛି। ଏହାର ଲମ୍ବ ପ୍ରାୟ ୪୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି। ଏହି ତିମିଟିର ମୃତ୍ୟୁର କାରଣ ଜଣାପଡ଼ିନି। ଖବରପାଇ ରାଜନଗର ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ଗତ ୧୯ ଓ ୨୦ ତାରିଖରେ ସମୁଦ୍ରରେ ହୋଇଥିବା ମହାବାତ୍ୟା ଯୋଗୁଁ ଏହାର ମୃତ୍ୟୁ ହୋଇଥାଇପାରେ ବୋଲି ରାଜନଗର ଡିଏଫ୍ଓ ବିକାଶରଞ୍ଜନ ଦାଶ କହିଛନ୍ତି। ଏହାର ଅନୁସନ୍ଧାନ ପାଇଁ ରାଜନଗର ବନବିଭାଗ ତିମି ବିଶାରଦମାନଙ୍କ ସହାୟତା ଲୋଡିଛନ୍ତି । ଏହି ତିମିକୁ ମିଶାଇ ଏହି ଅଞ୍ଚଳରେ ଏହା ୪ର୍ଥ ମୃତ ତିମି ବୋଲି ଜଣାପଡିଛି।

ଲଗାତର ୪ ବର୍ଷ ହେଲା କେନ୍ଦ୍ରାପଡାର ସମୁଦ୍ର ଉପକୂଳରେ ଦେଖାଯାଉଛନ୍ତି ମୃତ ତିମି।  ତେବେ ଏହି ତିମି ମାନଙ୍କର ମୃତ୍ୟୁର କାରଣ କ’ଣ ଜଣାପଡିନି। ୨୦୧୭ ମସିହାରେ ଏହି ସମୁଦ୍ର ଉପକୂଳର ହାବେଳିଖଟି ନିକଟରେ ଏକ ବିଶାଳ ତିମିର ମୃତଦେହ ବାଲିରେ ଅଧା ପୋତି ହୋଇଥିବାର ଦେଖିବାକୁ ମିଳିଥିଲା।

୨୦୧୮ ମସିହାରେ ସେହି ହାବେଳିଖଟି ଉପକୂଳରେ ୫୨ ଫୁଟ ଲମ୍ବ ତିମିର ମୃତ ଶରୀର ପଡ଼ିଥିଲା। ୨୦୧୯ ମସିହାରେ ଆଉ ଏକ ତିମିର ମୃତଦେହ ଭିତରକନିକାର ବାଉଁଶଗଡି ନଦୀର ଅହିରାଜପୁର ଗାଁ ନିକଟରେ ଭାସୁଥିବାର ଦେଖାଯାଇଥିଲା। ଆଜି ପୁଣି ୨୦୨୦ ମସିହାରେ ହାବେଳିଖଟିଠାରୁ କିଛି ଦୂରରେ ଥିବା ଅଗରନାସୀ ଠାରେ ୪୦ ଫୁଟ ଲମ୍ବର ମଲା ତିମି ଭାସୁଛି।

LEAVE A REPLY

Please enter your comment!
Please enter your name here