ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ସାହି ବିବାଦର ଚରମ ପରିଣତି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ନୋଧାବସନ୍ତ ଶିରିଗଡ ଗାଁରେ ଦେଖିବାକୁ ମିଳିଛି। ଗୋଟିଏ ସାହିର ଜଣେ ବୃଦ୍ଧଙ୍କ ଶବକୁ ଆର ସାହି ଲୋକ ମଶାଣିକୁ ନଛାଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ସାହି ବିବାଦ ଯୋଗୁଁ ଆଜି ବୃଦ୍ଧଙ୍କ ଶବ ଦୁଇ ସାହି ସୀମା ରାସ୍ତାରେ ୮ ଘଣ୍ଟା ଧରି ପଡ଼ି ରହିଥିଲା। ପ୍ରଶାସନ ହସ୍ତକ୍ଷେପ କରିବା ପରେ ଅନ୍ତିମ ସଂସ୍କାର ହୋଇଥିଲା।

ନୋଧାବସନ୍ତ ଶିରିଗଡ ଗାଁର ଶୁକଦେବ ସ୍ୱାଇଁଙ୍କର ଶନିବାର ସକାଳେ ବାର୍ଦ୍ଧକ୍ୟଜନିତ ରୋଗରେ ମୃତ୍ୟୁ ହୋଇଥିଲା। ଜ୍ଞାତି କୁଟୁମ୍ବମାନେ ପହଞ୍ଚି ଶବକୁ କୋକେଇରେ ଶୁଆଇ ଗାଁ ଶ୍ମାଶାନକୁ କାନ୍ଧେଇନେଲେ। ହେଲେ ସାହି ବିବାଦ ଯୋଗୁ ଶ୍ମଶାନ ଯିବା ରାସ୍ତାରେ କେତେକ ଲୋକେ ମିଶି ବାଡ ବାନ୍ଧି ଦେଇଥିଲେ। ଶବ ବାହକମାନେ ଶବକୁ ରାସ୍ତାରେ ଶୁଆଇ ବାଡ ଖୋଲିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ହେଲେ ବାଡ଼ରେ ହାତ ନଦେବାକୁ ପ୍ରତିପକ୍ଷମାନେ ରୋକଠୋକ୍ କହିଦେଇଥିଲେ।

ଉପାୟଶୂନ୍ୟ ହୋଇ ଶୁକଦେବଙ୍କ ପରିବାର ଲୋକେ ରାଜନଗର ପୋଲିସକୁ ଖବର ଦେଇଥିଲେ। ସଦଳବଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଗଣ୍ଡଗୋଳ ଆହୁରି ତୀବ୍ର ହୋଇଥିଲା। ପୋଲିସ ପହଞ୍ଚିବା ପରେ ଶବ ବାହକମାନେ ବାଡ଼କୁ ହଟାଇ ଶବକୁ ଶ୍ମଶାନକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଛାଡିନଥିଲେ ପ୍ରତିପକ୍ଷମାନେ। ଉଭୟ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ହାତାହାତି ହେବା ସହ ଠେଙ୍ଗାବାଡ଼ି ଉଠିଥିଲା। ମଝିରେ ପଶି ପୋଲିସ ଉଭୟ ପକ୍ଷଙ୍କୁ ଆଇନର ଧମକ ଦେବାରୁ ଥମିଥିଲା ସଂଘର୍ଷ। ହେଲେ ବାଟ ଛାଡ଼ି ନଥିଲେ।

ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ରାଜନଗର ତହସିଲଦାର ଭୋଳାନାଥ ସେଠୀ ଓ କୁରୁଣ୍ଟି ପଞ୍ଚାୟତର ସରପଞ୍ଚ ଜୁମର ସଇଁ। ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ ଓ ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ ଆଦି ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିମାନେ। ପ୍ରଶାସନ ଓ ଲୋକପ୍ରତିନିଧିମାନଙ୍କୁ ନେଇ ଉଭୟ ପକ୍ଷର ଲୋକମାନଙ୍କ ବୈଠକ ବସିଲା।

ଆଲୋଚନା ପରେ ଏହି ରାସ୍ତାରେ ଶବ ଛାଡିବାକୁ ଅନୁମତି ଦେଇଥିଲେ ପ୍ରତିପକ୍ଷମାନେ। କିନ୍ତୁ ପ୍ରଶାସନ ଏହାକୁ ଗ୍ରହଣ କଲାନି। ଶେଷରେ ନିଷ୍ପତ୍ତି ହେଲା ଯେ, ଏହି ସାହିର ଲୋକମାନଙ୍କ ଶବ ଯିବାକୁ ଆସନ୍ତା ୬ ମାସ ମଧ୍ୟରେ ଆଉ ଏକ ବିକଳ୍ପ ରାସ୍ତା ନିର୍ମାଣ କରିବେ ସରପଞ୍ଚ। ଏହି ୬ ମାସ ମଧ୍ୟରେ ଏମାନଙ୍କ ପରିବାରରୁ ଯଦି କାହାର ମୃତ୍ୟୁ ହୁଏ ତେବେ ଏହି ରାସ୍ତାରେ ଶବଯିବାକୁ ବାଧା ଦେଇପାରିବେନି ପ୍ରତିପକ୍ଷ ଲୋକେ। ୬ ମାସ ମଧ୍ୟରେ ବିକଳ୍ପ ରାସ୍ତା ନିର୍ମାଣ ନହୋଇପାରିଲେ ପୁଣି ଶ୍ମଶାନକୁ ଶବ ମନା ହେବ ବୋଲି ଶୁଣାଇଲେ ପ୍ରତିପକ୍ଷ।

LEAVE A REPLY

Please enter your comment!
Please enter your name here