ଓଡ଼ିଶାଲାଇଭ୍ ବ୍ୟୁରୋ

“ତୁମ ନାଁରେ ଡ୍ରଗ୍ସ ପାର୍ସଲ ଆସିଛି, ତେଣୁ ତୁମକୁ ଆରେଷ୍ଟ କରାଯାଇଛି। ଏବେ ତୁମେ ଆମ କଷ୍ଟଡିରେ ଅଛ…” ଏମିତି କିଛି ଧମକପୂର୍ଣ୍ଣ କଲ୍ ଆସୁଛି ଅଜଣା ନମ୍ବରରୁ। ସାଧାରଣ ଲୋକଙ୍କୁ ଲୁଟିବାକୁ ଏବେ ସାଇବର ଠକ ଆପଣେଛନ୍ତି ନୂଆ ତରିକା।

ସାବଧାନ ରୁହନ୍ତୁ, ମାତିଛନ୍ତି ସାଇବର ଲୁଟେରା। ଦିନକୁ ଦିନ ନୂଆ ନୂଆ ଶୈଳୀରେ ଲୋକଙ୍କୁ ଲୁଟିବାର ବାଟ ବାହାର କରୁଛନ୍ତି ସାଇବର ଠକ। ଏବେ ସେମାନଙ୍କର ଲୁଟିବାର ତରିକା ବଦଳିଛି। ନିଜକୁ ପୋଲିସ, ସିବିଆଇ ଏବଂ ଇଡି ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ମାମଲା ଆସିବା ପରେ ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ, ସାଇବର ଲୁଟେରା କିଛି ଲୋକଙ୍କୁ ଟାର୍ଗେଟ କରନ୍ତି। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହ୍ଵାଟସଆପ କିମ୍ବା ଫୋନକଲ୍ ଆସୁଛି। ତାଙ୍କୁ କୁହାଯାଉଛି ତୁମ ନାଁରେ ପାର୍ସଲ ଆସିଛି, ଯେଉଁଥିରେ ଡ୍ରାଗ୍ସ କିମ୍ବା ଆପତ୍ତିଜନକ ସାମଗ୍ରୀ ରହିଛି। ଏଥିପାଇଁ ତୁମକୁ ଗିରଫ କରାଯିବ। ଏସବୁ କହି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଯାଉଛି। ଏହା ପରେ ଆସିଥିବା କଲଟିକୁ ଅନ୍ୟ ଜଣଙ୍କୁ ଟ୍ରାନ୍ସଫର କରାଯାଉଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜକୁ ପୋଲିସ କିମ୍ବା କୌଣସି ତଦନ୍ତକାରୀ ଅଧିକାରୀର ପରିଚୟ ଦେଉଛନ୍ତି।

ଏହା ପରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିବା ବ୍ୟକ୍ତିଙ୍କ ପାଖକୁ ଏକ ସ୍କାଇପି ଲିଙ୍କ ଆସୁଛି। ଲିଙ୍କଟିକୁ ଖୋଲିବା ପରେ ଚଢ଼ାଗଳାରେ କୁହାଯାଉଛି, “ତୁମକୁ ଆରେଷ୍ଟ କରାଯାଇଛି। ତୁମେ ବର୍ତ୍ତମାନ ଆମ କଷ୍ଟଡିରେ ଅଛ।”

ଘଣ୍ଟା ଘଣ୍ଟା ଧରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ବସାଇ ମାନସିକ ନିର୍ଯାତନା ଦିଆଯାଉଛି। ଏହି ସମୟରେ ବ୍ୟକ୍ତିଙ୍କର ବ୍ୟାଙ୍କବାଲାନ୍ସର ଟିକିନିଖି ତଥ୍ୟ ନିଆଯାଉଛି। ଦିନେ ଦୁଇଦିନ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଏତେ ପରିମାଣରେ ନିର୍ଯାତନା ଦିଆଯାଉଛି ଯେ, ସାଇବର ଠକ ଯାହା କହୁଛନ୍ତି ସେ ସେମାନଙ୍କ କଥା ମାନିବାକୁ ବାଧ୍ୟ ହେଉଛନ୍ତି। ଏପରିକି ନିଜ ଆକାଉଣ୍ଟରୁ ସମସ୍ତ ଟଙ୍କା ସାଇବର ଲୁଟେରାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଡିସିପି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, “ପୋଲିସ କେବେ କାହାକୁ ଏଭଳି ଢଙ୍ଗରେ ଗିରଫ କରେ ନାହିଁ। ଯଦି କୌଣସି ଅଜଣା ନମ୍ବରରୁ ଆପଣଙ୍କ ପାଖକୁ ଏପରି ଧମକପୂର୍ଣ୍ଣ କଲ୍ ଆସୁଛି ଭୟଭୀତ ନ ହୋଇ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ଏ ସମ୍ପର୍କରେ ଜଣାନ୍ତୁ। କିମ୍ବା ସାଇବର ପୋଲିସ ଷ୍ଟେସନରେ ସୂଚନା ଦିଅନ୍ତୁ।”

ଯଦି କୌଣସି ବ୍ୟକ୍ତି ସାଇବର ଠକଙ୍କୁ ହାବୁଡ଼ରେ ପଡ଼ି ଟଙ୍କା ଟ୍ରାନ୍ସଫର କରିଛନ୍ତି ତେବେ ୧୯୩୦ ନମ୍ବରରେ କଲ୍ କରି ଅଭିଯୋଗ କରନ୍ତୁ। ଟ୍ରାଞ୍ଜାକ୍ସନ ବନ୍ଦ କରିବାକୁ ଚେଷ୍ଟା କରାଯିବ। ସାଇବର ଲୁଟେରାଙ୍କ ସମ୍ପର୍କରେ ଜଣାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସାଇବର ହେଲ୍ପ ଡେକ୍ସ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଉଛି – ୭୪୪ ୦୦୦ ୬୭୦୯। ଏହା ବ୍ୟତୀତ ସାଇବର ଠକେଇର ଶିକାର ହେଉଥିବା ବ୍ୟକ୍ତି ସାଇବର ପୋର୍ଟାଲରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ।

Tags: #Beware #Cyberfraud #Police #DigitalArrest #Call #WhatsApp

LEAVE A REPLY

Please enter your comment!
Please enter your name here