ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ସହରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ଦୋକାନ ବଜାରକୁ ବିଶୋଧନ କରାଯାଇଛି। ଏଥିଲାଗି ସହରାଞ୍ଚଳର ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରହିବ।
ଅଗ୍ନିଶମ ବିଭାଗ ପକ୍ଷରୁ ସୋଡିୟମ୍ ହାଇପୋ କ୍ଲୋରାଇଡ ସହିତ ପାଣି ମିଶାଇ ଚାରିଆଡ଼େ ଛିଞ୍ଚନ କରାଯାଉଛି। ଦୋକାନ ବଜାରକୁ ବହୁ ସଂଖ୍ୟାରେ ଗ୍ରାହକ କିଣାବିକା ପାଇଁ ଆସୁଥିବାରୁ ଏଠାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ବଜାରକୁ ଆସୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କୁ ସଂକ୍ରମଣ ମୁକ୍ତ ରଖିବା ଲାଗି ଦୁଇ ଦିନିଆ ବିଶୋଧନ କାର୍ଯ୍ୟକୁ ଜିଲ୍ଲାପାଳ ସ୍ୱୀକୃତି ଦେଇଛନ୍ତି। ଏହି ସମୟରେ କେବଳ ଔଷଧ ଦୋକାନ ଖୋଲାରହିବ ବୋଲି କୁହାଯାଇଛି। ଏହାବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରହିବ।
ବନ୍ଦ ରହିଥିବା ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୃହର କବାଟ, କାନ୍ଥବାଡ଼, ବାରଣ୍ଡା ଆଦି ବିଶୋଧନ କରାଯାଉଛି । ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ଭୟ କମ ହୋଇପାରିବ ବୋଲି ଆଶା ରଖାଯାଇଛି।