ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ନବରାତ୍ରିରେ ଜଗତ୍ଜନନୀ ମା’ ଦୁର୍ଗାଙ୍କୁ ୯ ଅବତାରରେ ପୂଜା କରାଯାଏ। ମା’ଙ୍କ ଏହି ଅବତାର ପଛରେ ମଧ୍ୟ କାହାଣୀ ରହିଛି। ଆସନ୍ତୁ ଜାଣିବା ମା’ଙ୍କ ଏହି ଅବତାର ଓ ତା ପଛରେ ଥିବା କାହାଣୀ ବିଷୟରେ।
ଶୈଳପୁତ୍ରୀ: ଶୈଳପୁତ୍ରୀ ମା’ ଦୁର୍ଗାଙ୍କର ପ୍ରଥମ ରୂପ। ସେ ପର୍ବତ ରାଜା ହିମାଳୟ ପୁତ୍ରୀ। ପୌରାଣିକ ମତେ ରାଜା ହିମାଳୟ ଓ ତାଙ୍କ ପତ୍ନୀ ମେନକାଙ୍କ ତପସ୍ୟାର ଫଳ ସ୍ୱରୁପ ମା’ ଦୁର୍ଗା ତାଙ୍କ କୋଳରେ ଜନ୍ମ ନେଇଥିଲେ। ସେଥିପାଇଁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ।
ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରିର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଏହୀ ରୂପରେ ମା’ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।
ଚନ୍ଦ୍ରଘଣ୍ଟା: ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଏହା ହେଉଛି ତୃତୀୟ ରୂପ। ଏହି ଅବତାରରେ ମା’ଙ୍କ ମଥାରେ ଘଣ୍ଟା ଆକୃତିର ଏକ ଚନ୍ଦ୍ର ଶୋଭାପାଏ। ଏହି ଅବତାରରେ ମା’ଙ୍କୁ ଆରାଧନା କଲେ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
କୁଷ୍ମାଣ୍ଡା: ଏହା ମା’ଙ୍କର ଚତୁର୍ଥ ରୂପ। ମା’ କୁଷ୍ମାଣ୍ଡା ବ୍ରହ୍ମାଣ୍ଡର ରଚନା କରିଥିବା ପୁରାଣରେ ଲେଖାଅଛି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।
ସ୍କନ୍ଦମାତା: ନବରାତ୍ରି ପଞ୍ଚମ ଦିବସରେ ଦେବୀଙ୍କୁ ଏହି ଅବତାରରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି।
କାତ୍ୟାୟନୀ: ନବରାତ୍ରି ଷଷ୍ଠ ଦିନରେ ଦେବୀଙ୍କୁ କାତ୍ୟାୟନୀ ଅବତାରରେ ପୂଜା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ।
କାଳରାତ୍ରୀ: ନବରାତ୍ରି ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି।
ମହାଗୌରୀ: ମାଁ ଦୁର୍ଗାଙ୍କର ଏହା ହେଉଛି ଅଷ୍ଟମ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି।
ସିଦ୍ଧିଦାତ୍ରୀ: ନବରାତ୍ରିର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି।