ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ ପଟ୍ଟନାୟକ
  • ସୌମ୍ୟଙ୍କ ଆମ ଓଡ଼ିଶା ପାର୍ଟି ହେଲା ବିଲୀନ
  • ସୌମ୍ୟଙ୍କୁ ମିଳିପାରେ ରାଜ୍ୟସଭା ପୁରସ୍କାର
  • ରାଜ୍ୟସଭା ସମ୍ପର୍କରେ ଘୋଷଣା ସନ୍ଧ୍ୟା ୫ଟା: ନବୀନ
  • ସୌମ୍ୟଙ୍କ ଯୋଗଦାନ ବିଜେଡିକୁ ସୁଦୃଢ଼ କରିବ:ଖଣ୍ଡପଡ଼ା ବିଧାୟକ
  • କୃଷକ ଓ ଚିଟଫଣ୍ଡ୍ ମାମଲାରେ ଲଢ଼େଇ ଜାରି ରହିବ: ସୌମ୍ୟରଞ୍ଜନ

ଓଡ଼ିଶାର ସ୍ଵାର୍ଥ ସ୍ଵାଭିମାନ ଓ ବିକାଶ ପାଇଁ ବିଜେଡିର ଆଦର୍ଶ ବିରୋଧରେ ଦୀର୍ଘ ଦିନରୁ ଲଢ଼େଇ କରି ଆସୁଥିବା ଜଣାଶୁଣା ମିଡିଆ ବ୍ୟକ୍ତିତ୍ଵ, ରାଜନେତା ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଶେଷରେ ବିଜେଡିରେ ଯୋଗ ଦେଇଛନ୍ତି। ରାଜନୀତିରେ କେହି କାହାର ଚିରଶତ୍ରୁ ନୁହନ୍ତି ଏହି କଥା ଆଜି ନବୀନ-ସୌମ୍ୟରଞ୍ଜନଙ୍କ ନୂଆ କାହାଣୀରୁ ପୁଣି ଥରେ ସ୍ପଷ୍ଟ ହୋଇଯାଇଛି।

ବିଜେଡିରେ ଯୋଗ ଦେବା ପରେ ମିଡିଆକୁ ସୌମ୍ୟ କହିଥିଲେ ଯେ ଓଡ଼ିଶାର ସ୍ଵାର୍ଥ, ସ୍ଵାଭିମାନ ଓ ବିକାଶ ପାଇଁ ଆଜି ସବୁ ରାଜନୈତିକ ଶକ୍ତି ସଂଗଠିତ ହେବାର ସମୟ ଆସିଛି। ସେହି ଆଭିମୁଖ୍ୟ ନେଇ ସେ ନବୀନଙ୍କ ସହ ହାତ ମିଶାଇଛନ୍ତି।

ସେ କହିଥିଲେ ଯେ ବ୍ୟକ୍ତି ଓ ଦଳ ଯେତିକି ଗୁରୁତ୍ଵପୁର୍ଣ୍ଣ ନୁହେଁ ବିଚାର ତା’ଠାରୁ ଅଧିକ ଗୁରୁତ୍ଵପୁର୍ଣ୍ଣ। ତେଣୁ ଓଡ଼ିଶାର ବିକାଶ ପାଇଁ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ଆଦରି ନେଇଛନ୍ତି ସୌମ୍ୟ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତି ସଂକ୍ଷିପ୍ତ ମିଡିଆ ବ୍ରିଫିଂ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ସୌମ୍ୟରଞ୍ଜନ। ସେ କହିଥିଲେ ଯେ ୨୩ବର୍ଷ ତଳେ ବିଜୁ ପଟ୍ଟନାୟକଙ୍କ ବିପକ୍ଷରେ ଭୁବନେଶ୍ଵରରୁ ନିର୍ବାଚନ ଲଢ଼ି ସେ ପରାସ୍ତ ହୋଇଥିଲେ। ତେବେ ବିଜୁବାବୁ ସେତେବେଳେ ତାଙ୍କୁ ଡାକି ତାଙ୍କ ବିରୋଧରେ ଲଢ଼େଇ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେହି ଜନନାୟକଙ୍କ ନାଁ ଓ ଆଦର୍ଶକୁ ନେଇ ଗଠିତ ବିଜୁଜନତା ଦଳରେ ସେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି।

କୃଷକ ଓ ଚିଟଫଣ୍ଡ୍ ଲଢ଼େଇ ଜାରି ରହିବ

ବିଜେଡିରେ ଯୋଗ ଦେବା ପରେ ମଧ୍ୟ ରାଜ୍ୟରେ କୃଷକମାନଙ୍କ ପାଇଁ ସେ କରୁଥିବା ଲଢ଼ାଇ ଆଗକୁ ଜାରି ରହିବ ବୋଲି ସୌମ୍ୟ ମିଡିଆକୁ କହିଛନ୍ତି। ସୌମ୍ୟ ନବ ନିର୍ମାଣ କୃଷକ ସଂଗଠନର ନେତା ହିସାବରେ ଗତକିଛିବର୍ଷ ଧରି ସରକାରଙ୍କୁ ବେଶ୍ ହଲାପଟା କରିଥିଲେ। ତେବେ ବର୍ତ୍ତମାନ କୃଷକଙ୍କ ସ୍ଵାର୍ଥ ଏବଂ ଦଳୀୟ ସୀମାରେଖା ମଧ୍ୟରେ କିଭଳି ଭାରସାମ୍ୟ ରଖିପାରିବେ ତାହାହିଁ ବଡ଼ ପ୍ରଶ୍ନ।

ସେହିପରି ପରିବର୍ତ୍ତିତ ପରିସ୍ଥିତିରେ ଚିଟଫଣ୍ଡ୍ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ କ’ଣ ହେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ନବୀନ ନିବାସରେ ସୌମ୍ୟଙ୍କୁ ପ୍ରଶ୍ନ କରିଥିଲେ। ବିଶେଷକରି ଚିଟଫଣ୍ଡ ଘଟଣାରେ ବହୁ ରାଜନେତାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ବିଜେଡିର ନେତା ହିସାବରେ ସୌମ୍ୟ ଆଗକୁ ତାଙ୍କ ଆନ୍ଦୋଳନକୁ କିଭଳି ପରିଚାଳିତ କରିପାରିବେ ଏହି ଆଶଙ୍କା ବ୍ୟକ୍ତ କରିଥିଲା ମିଡିଆ। ତେବେ ସୌମ୍ୟବାବୁ ଅତି ସଂକ୍ଷେପରେ “ଚିଟଫଣ୍ଡ୍ କ୍ଷତିଗ୍ରସ୍ତମାନେ କିଭଳି ସେମାନଙ୍କ ଟଙ୍କା ଫେରିପାଇବେ ମୋ ଉଦ୍ୟମ ଜାରି ରହିବ” ବୋଲି କହି କ୍ୟାମେରାକୁ ପଛ କରି ନବୀନ ନିବାସକୁ ପଛ କରି ବାହାରିଯାଇଥିଲେ।

ନବୀନଙ୍କ ସଂକ୍ଷିପ୍ତ ଘୋଷଣା

ଆଜି ସକାଳେ ନବୀନ ନିବାସରେ ସୌମ୍ୟରଞ୍ଜନଙ୍କ ଗାଡ଼ି ପଶିବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ସୌମ୍ୟବାବୁ ମାଠିଆ ଛାଡ଼ି ଶଙ୍ଖ ଧରିବା କଥା ବସ୍ତୁତଃ ସାଧାରଣରେ ସ୍ପଷ୍ଟ ହୋଇଯାଇଥିଲା। ଏହାର କିଛି ସମୟ ମଧ୍ୟରେ ସୌମ୍ୟବାବୁଙ୍କ ସାଥିରେ ଧରି ନବୀନ ନିବାସର ବାରଣ୍ଡାକୁ ଓହ୍ଲାଇଥିଲେ ନବୀନ। ଦଳର ପ୍ରମୁଖ ନେତା ଓ ମନ୍ତ୍ରୀମାନଙ୍କ ଗହଣରେ ନବୀନ ଘୋଷଣା କରିଥିଲେ ଯେ ବିଜେଡରେ ସୌମ୍ୟଙ୍କ ପ୍ରବେଶ।

ନବୀନଙ୍କ ଅତି ସଂକ୍ଷିପ୍ତ ବକ୍ତବ୍ୟ ଭିତରେ ସେ କହିଥିଲେ ଯେ ବିଜେଡିରେ ସୌମ୍ୟଙ୍କ ଯୋଗଦାନ ଦଳକୁ ସୁଦୃଢ଼ କରିବ।

ମୁହଁ ଖୋଲିଲେ ଖଣ୍ଡପଡ଼ା ବିଧାୟକ

ଆଜି ନବୀନ ନିବାସରେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଯୋଗଦେବାବେଳେ ସେଠାରେ ଉପସ୍ଥିତ ଥିଲେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ। ୨୦୧୪ ନିର୍ବାଚନରେ ଅନୁଭବଙ୍କୁ କଡ଼ା ଟକ୍କର ସୌମ୍ୟରଞ୍ଜନ। ମାତ୍ର କେତେଖଣ୍ଡ ଭୋଟରେ ସୌମ୍ୟଙ୍କୁ ପରାସ୍ତ କରିଥିଲେ ଅନୁଭବ।

ଆଜି ନବୀନ ପଟ୍ଟନାୟକ ଏବଂ ସୌମ୍ୟ ପଟ୍ଟନାୟକ ମିଡିଆକୁ କହିବା ପରେ ଅନୁଭବ ମଧ୍ୟ ମୁହଁ ଖୋଲିଥିଲେ। ବିଜେଡିରେ ସୌମ୍ୟଙ୍କ ଯୋଗଦାନକୁ ସେ ସ୍ଵାଗତ କରିଛନ୍ତି। ସେ କହିଥିଲେ ଏହା ଦଳକୁ ସୁଦୃଢ଼ କରିବ। ଖଣ୍ଡପଡା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସୌମ୍ୟରଞ୍ଜନ ପୂର୍ବଭଳି କାର୍ଯ୍ୟ କରିବେ ବୋଲି ଅନୁଭବ ଆଶା ପ୍ରକାଶ କରିଥିଲେ।

ରାଜ୍ୟସଭାକୁ ଯିବେ ସୌମ୍ୟରଞ୍ଜନ!

ବିଜେଡି ପକ୍ଷରୁ ସୌମ୍ୟଙ୍କୁ ରାଜ୍ୟସଭା ପଠାଯିବା ଆଜିର ମିଶ୍ରଣ ପର୍ବ ପରେ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଏପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ତେବେ ନବୀନ ଏବାବଦରେ କୌଣସି ଉତ୍ତର ନରଖି କେବଳ ସୂଚନା ଦେଇଥିଲେ ଯେ “ସନ୍ଧ୍ୟା ୫ଟା ଯାଏଁ ଅପେକ୍ଷା କରନ୍ତୁ ସବୁ ସ୍ପଷ୍ଟ ହୋଇଯିବ”।

ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରୁ ତିନୋଟି ସିଟ୍ ଖାଲି ହେଉଛି। ଏଥିରେ ବିଜେଡି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାହା ନେଇ ଅଙ୍କକଷା ଚାଲିଥିବାବେଳେ ନବୀନଙ୍କ ସଂକ୍ଷିପ୍ତ ବକ୍ତବ୍ୟ ଏକ ନୂଆ ସମୀକରଣ ବାବଦରେ ସ୍ପଷ୍ଟ ସୂଚନା ଦେଇଥିଲା। କିଛିଦିନ ତଳେ ନବୀନ କହିଥିଲେ ଯେ ଏଥର ରାଜ୍ୟସଭାକୁ ଯେଉଁମାନଙ୍କୁ ପଠାଯିବ ସେମାନେ ସମସ୍ତେ ରାଜନୈତିକ ବ୍ୟକ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ‘ରାଜନୈତିକ ବ୍ୟକ୍ତି’ ମାପଦଣ୍ଡକୁ ନେଇ ସୌମ୍ୟଙ୍କ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଥିଲା। ତେଣୁ ରାଜ୍ୟସଭାକୁ ଯିବାକୁ ହେଲେ ସୌମ୍ୟରଞ୍ଜନଙ୍କୁ ବିଜେଡିରେ ମିଶିବା ଜରୁରୀ ବୋଲି ବିଚାର କରାଯାଉଥିଲା। ବୁଧୁବାରଦିନ ସୌମ୍ୟ ଶଙ୍ଖ ଧରିବା ଫଳରେ ଏହି ସମ୍ଭାବନା ସ୍ପଷ୍ଟ ହୋଇଯାଇଛି।

ସୌମ୍ୟଙ୍କ ରାସ୍ତାରେ ଅଚ୍ୟୁତ

ଆଜି ନବୀନ ନିବାସରେ ହୋଇଥିବା ମିଶ୍ରଣ ପର୍ବରେ ଆଉ ଏକ ହାଇପ୍ରୋଫାଇଲ୍ ଚରିତ୍ର ହେଉଛନ୍ତି କିଟ୍ ଓ କିସ୍‌ର ପ୍ରତିଷ୍ଠାତା, ସମାଜସେବୀ ଅଚ୍ୟୁତ ସାମନ୍ତ। ତେଣୁ ଆଜି ସନ୍ଧ୍ୟାରେ ରାଜ୍ୟସଭା ପ୍ରାର୍ଥୀ ନେଇ ଯେଉଁ ଘୋଷଣା ହେବାକୁ ଯାଉଛି ସେଥିରେ କେବଳ ସୌମ୍ୟରଞ୍ଜନ ପଟ୍ଟନାୟକ ନା ସୌମ୍ୟଙ୍କ ସହ ଅଚ୍ୟୁତଙ୍କ ନାଁ ରହିବ ତାକୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

Keywords: #BJD #NaveenPatnaik #Politics #OdishaPolitics #RajyaSabhaPolitics

LEAVE A REPLY

Please enter your comment!
Please enter your name here