ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ପ୍ରତି ଏକ କଟୂ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।

ଅନ୍ୟ ଦଳର ରାଜନୈତିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ନହେଲେ ମଧ୍ୟ ଅଧିକାଂଶ ସମୟରେ ମାପିଚୁପି ଉତ୍ତର ରଖିଥାନ୍ତି। ଏପରିକି ନିଜ ଦଳ ବିଜେଡି ଉପରେ ଯେତେବେଳେ ଅନ୍ୟ ଦଳର ନେତା ବର୍ଷିଥାନ୍ତି ସେତେବେଳେ ବି ନବୀନଙ୍କଠାରୁ ଅତି ହାଲକା ପ୍ରତିମନ୍ତବ୍ୟ ଆସିଥାଏ। ଆଜି କିନ୍ତୁ ବିଜେପିକୁ ନବୀନଙ୍କ କଟାକ୍ଷ ପୂର୍ବଭଳି ମୁଲାୟମ ନଥିଲା।

ଉତ୍ତର ପ୍ରଦେଶ ଓ ବିହାର ଉପ-ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ ଯେଉଁ ଉତ୍ତର ଦେଲେ ତାହା ଅତ୍ୟନ୍ତ କଟାକ୍ଷପୂର୍ଣ୍ଣ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର କିଛି ଏହିଭଳି ଥିଲା: ବିଜେପି ଡୁବୁଛି ଓ ତାହା ବି ଦ୍ରୁତ ଗତିରେ ଡୁବୁଛି।

ଉତ୍ତର ପ୍ରଦେଶ ଓ ବିହାରର ତିନୋଟି ଯାକ ଲୋକସଭା ଆସନରେ ବିଜେପିର ପରାଜୟ ପରେ ନବୀନଙ୍କ ଠାରୁ ଯେଉଁ ମନ୍ତବ୍ୟ ଆସିଛି ତାହାକୁ ରାଜନୈତିକ ଟିପ୍ପଣୀକାରମାନେ ଏକ ନୂଆ ଉତ୍ସାହ ଓ ସମ୍ଭାବନାକୁ ଇଙ୍ଗିତ କରୁଛି ବୋଲି ମନେ କରୁଛନ୍ତି। ବିଜେପି ଉତ୍ତରପ୍ରଦେଶ ଉପ-ନିର୍ବାଚନ ଓ ବିଶେଷକରି ଯୋଗୀ ଆଦିତ୍ୟନାଥ ଛାଡ଼ିଥିବା ଗୋରଖପୁରରୁ ହାରିବା ପରେ ୨୦୧୯ରେ ଦଳର ଭବିଷ୍ୟତ ଅନିଶ୍ଚିତତା ନେଇ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି। ଏହା ମୋଦି ରଥକୁ ଅଟକାଇବାରେ ସଫଳ ହେବ ବୋଲି ମଧ୍ୟ ଆକଳନ କରାଯାଉଛି।

ନବୀନଙ୍କ ଟିପ୍ପଣୀକୁ ଯଦି ଆକ୍ଷରିକ ଅର୍ଥରେ ନିଆଯାଏ ବିଜେପି କ୍ରମଶଃ ତାର ପ୍ରଭାବକୁ ହରାଇ ଚାଲିଛି ଏହା ସ୍ପଷ୍ଟ ଦେଖାଯାଉଛି। ନିକଟରେ ବିଜେପୁରରେ ଶାସକ ଦଳର ବିଜୟ ଓ ବିଜେପିର ଶତ ଚେଷ୍ଟା ସତ୍ତ୍ୱେ ନିଜ ପ୍ରାର୍ଥୀଙ୍କୁ ଜିତାଇ ନପାରିବା ଯୋଗୁଁ ରାଜ୍ୟ ବିଜେପିରେ ଏକ ପ୍ରକାର ନିସ୍ତବ୍ଧତା ରାଜୁତି କରୁଛି।

ଅନ୍ୟ ଭାବରେ କଥାଟିକୁ କହିଲେ ଓଡ଼ିଶାରେ ବିଜେଡିର ବିକଳ୍ପ ଆଉ ଦେଖାଯାଉନାହିଁ। ରାଜନୈତିକ ସ୍ତରରେ ଯଦି ବିଜେଡିର ଉତ୍ସାହ ଉପରେ ଆଖି ପକାଯାଏ ଓ ବିଗତ କିଛିଦିନ ଧରି ଯେଉଁଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିକ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ତାହା ଅନ୍ୟ ଦଲଗୁଡ଼ିକୁ ଏକ ରକମ ଆଶଙ୍କିତ ଅବସ୍ଥାରେ ପହଞ୍ଚାଇଦେଇଛି।

ସାମ୍ବାଦିକମାନେ ନବୀନଙ୍କୁ ଯେତେବେଳେ ପଚାରିଲେ ଅଣବିଜେପି ମେଣ୍ଟରେ ବିଜେଡି ଯୋଗ ଦେବକି ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଥିଲା ‘ଏବେ ସେ କଥା ଚିନ୍ତା କରାଯାଇନାହିଁ।’ ବାସ୍ତବ କ୍ଷେତ୍ରରେ କୌଣସି ବିଜେପି ବିରୋଧୀ ମେଣ୍ଟରେ ନବୀନ ସାମିଲ ହେବେ କି ନାହିଁ ତାହା ଅନେକାଂଶରେ ନିର୍ଭର କରିବ ତୃତୀୟ ମେଣ୍ଟର ରୂପରେଖ ଉପରେ। ନବୀନ ବରାବର କହି ଆସିଛନ୍ତି ଯେ ତାଙ୍କ ଦଳ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବାକୁ ଚାହୁଁଛି।

ଦୁଇ ଦିନ ତଳେ ସୋନିଆ ଗାନ୍ଧି ନୈଶ୍ୟଭୋଜି ଦେଇ କଂଗ୍ରେସ ବିଜେପି ବିରୋଧୀ ମେଣ୍ଟର ମୂଳଦୁଆ ପକାଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ଏହି ମେଣ୍ଟରେ ଯୋଗ ଦେବ ସେହି ସମ୍ଭାବନା ଆଦୌ ଦେଖା ଯାଉନାହିଁ। ଅଧିକନ୍ତୁ, ଯଦି ବିଜେଡିର ବିଗତ କୋଡିଏ ବର୍ଷର ରାଜନୈତିକ ଇତିହାସ ଦେଖାଯାଏ ଦଳ ସବୁବେଳେ ଏକ ଶକ୍ତିଶାଳି ଆଞ୍ଚଳିକ ଦଳ ଭାବରେ ରହିବା ପାଇଁ ଚାହିଁଛି।

ରାଜ୍ୟର ସ୍ୱାର୍ଥରକ୍ଷା ବ୍ୟତୀତ ଅନ୍ୟାନ୍ୟ ବହୁ କାରଣରୁ ବିଜେଡି ସୁପ୍ରିମୋ କେନ୍ଦ୍ରରେ ମୋଦି ସରକାରଙ୍କ ସହ ସମ୍ପର୍କ ଖରାପ କରିବା ପାଇଁ ଚାହୁଁ ନାହାଁନ୍ତି, ଯଦିଓ ବିଜେପିକୁ ଏକ ବୁଡ଼ିଯାଉଥିବା ଜାହାଜ ଭଳି ଏକ ‘ବଦହଜମି’ ମନ୍ତବ୍ୟ ତାଙ୍କଠାରୁ ଆସିଛି।

LEAVE A REPLY

Please enter your comment!
Please enter your name here