ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀବାସୀଙ୍କୁ ନୂଆ ବର୍ଷରେ ନୂଆ ଉପହାର ଦେଇଛି ବିଡିଏ। ଏଣିକି ଭୁବନେଶ୍ୱରରେ ଲୋ-ରିସ୍କ କୋଠା ଗଢ଼ିବା ପାଇଁ କୌଣସି ମଞ୍ଜୁରିର ଆବଶ୍ୟକତା ପଡ଼ିବ ନାହିଁ। ନାଗରିକମାନେ ବିଡିଏର ଅଫିସିଆଲ୍ ୱେବସାଇଟକୁ ଯାଇ ସେଠାରେ ଥିବା ଅନୁମୋଦିତ ବିଲଡିଂ ପ୍ଲାନକୁ ବାଛି ନିଜ ଘର କରିପାରିବେ ବୋଲି ବିଡିଏ ଘୋଷଣା କରିଛି।
ଭୁବନେଶ୍ୱରରେ ଏଣିକି ୧୦ ମିଟରରୁ କମ ଉଚ୍ଚତାର ଘର ନିର୍ମାଣ କରିବାକୁ ଆଉ ବିଡିଏର ଅନୁମତି ଆବଶ୍ୟକ ପଡ଼ିବ ନାହିଁ। କେବଳ ଏହାଠାରୁ ଅଧିକ ଉଚ୍ଚତାର ଘର ନିର୍ମାଣ କଲେ ହିଁ ବିଡିଏର ଅନୁମତି ଆଣିବାକୁ ପଡ଼ିବ। ନଚେତ୍ ବିଡିଏ ୱେବସାଇଟରେ ଥିବା ୧୦୪ଟି ଅନୁମୋଦିତ ପ୍ଲାନରୁ କୌଣସି ଗୋଟିଏକୁ ବାଛି ରାଜଧାନୀବାସୀ ନିଜ ଘର ନିର୍ମାଣ କରିପାରିବେ ବୋଲି ବିଡିଏ ସୂଚନା ଦେଇଛି।
“ଲୋକମାନଙ୍କ ସୁବିଧାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ରାଜଧାନୀବାସୀ ଲୋ-ରିସ୍କ କୋଠା ଗଢ଼ିବା ପାଇଁ ଏବେ କେବଳ ଆବଶ୍ୟକୀୟ ଫି’ ଓ ଅଣ୍ଡରଟେକିଂ ହିଁ ଦେବେ। ଏଥିପାଇଁ ବିଡିଏର କୌଣସି ପ୍ରକାର ଅନୁମତି ଆବଶ୍ୟକ ନାହିଁ। ଏହାଦ୍ୱାରା ଲୋକମାନେ ନିଜର ବହୁମୂଲ୍ୟ ସମୟ ବଞ୍ଚାଇପାରିବେ”, କହିଛନ୍ତି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚଉଧାରୀ।
ଏହି ଲୋ-ରିସ୍କ ଘରର ଆକାର ୫ ଶହ ବର୍ଗମିଟରରୁ ଅଧିକ ନହୋଇଥିବା ଦରକାର। ଏଥିସହ ଏହି ସ୍ଥାନ କୌଣସି ସରକାରୀ ବିଭାଗ ଅଧୀନରେ ନଥିବ ଏବଂ ଏହି ନିର୍ମାଣ କାମକୁ ୩ ବର୍ଷ ଭିତରେ ଶେଷ କରିବାକୁ ପଡ଼ିବ। ଯଦି ଧାର୍ଯ୍ୟ ସମୟ ଭିତରେ ଏହି କାମ ଶେଷ ନହୁଏ ତେବେ ଏଥିପାଇଁ ଆଉ ଥରେ ଫି’ ଦେଇ ଅନୁମୋଦନ ହାସଲ କରିପାରିବାକୁ ପଡ଼ିବ ବୋଲି ବିଡିଏ ସୂଚନା ଦେଇଛି।