ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ପରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ ଦେଶ। ଗତବର୍ଷ ଭଳି ଏ ବର୍ଷ ବି ରାଜ୍ୟରେ କୋଭିଡ୍ କଟକଣାରେ ସ୍ୱାଧୀନତା ଦିବସ ପାଳିତ ହେବ। ରାଜ୍ୟସ୍ତରୀୟ ପରେଡ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ପଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିପାଇଁ ରହର୍ସଲ ମଧ୍ୟ ଆରମ୍ଭ ହୋଇଛି। ଏ ବର୍ଷ କେବଳ ୩ଟି ଟ୍ରୁଫ୍କୁ ନେଇ ପରେଡ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏ ବର୍ଷ ମଧ୍ୟ ସାଧାରଣ ଲୋକ ପରେଡ୍ ଦେଖିପାରିବେ ନାହିଁ। ପ୍ରଦର୍ଶନୀ ପଡ଼ିଆକୁ ସାଧରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏଥିପାଇଁ ପଡ଼ିଆ ଚାରିପଟେ କଟାକଣା ଲାଗୁ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ୍ ପୋଲିସ ଓ ୭୦ ଜଣ ଅଫିସର ନିୟୋଜିତ ରହିବେ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି।
ସ୍ୱାଧୀନତା ଦିବସ ଦିନ ସକାଳ ୬ଟା ୩୦ ଠାରୁ ପରେଡ ସରିବା ପର୍ଯ୍ୟନ୍ତ କୌଣସି ଯାନବାହାନ ରାମ ମନ୍ଦିର ଛକଠାରୁ ହାଉସିଂ ବୋର୍ଡ ଛକ (ଏମ୍.ବି.ଏସ୍ ସ୍କୁଲଠାରୁ ସେଣ୍ଟ ଜୋସେଫ୍ ସ୍କୁଲ) ରାସ୍ତା ଦେଇ ଯାଇପାରିବେ ନାହିଁ।
ଯେଉଁ ଗାଡ଼ିଗୁଡ଼ିକ ହାଉସିଂ ଛକ ପଟୁ ରାମ ମନ୍ଦିର ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ଏମ୍.ବି.ଏସ୍ ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ। ସେହିପରି ଗାଡ଼ିଗୁଡ଼ିକ ରାମ ମନ୍ଦିର ପଛପଟୁ ହାଉସିଂ ବୋର୍ଡ ଛକ ଆଡ଼କୁ ଯିବାକୁ ଚାହିଁ ବେ ସେମାନେ ସେଣ୍ଟ ଜୋସେଫ୍ ସ୍କୁଲ ଗଳି ରାସ୍ତାରେ ଯାଇ ଦେଇ ଯାଇପାରିବେ।
ପିଏମଜି ଓ କେଶରୀ ଟକିଜ ପଟୁ ଆସୁଥିବା ସମସ୍ତଗାଡ଼ି ଆଡ଼କୁ ଚାର୍ଲି ହୋଟେଲଠାରୁ ସଚିବାଳୟ ମାର୍ଗ ଆଡ଼କୁ ଯାଇଥିବା ରାସ୍ତା ଦେଇ ଯାଇପାରିବେ।
ହାଉସିଂ ବୋର୍ଡ ଓ ରାମ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡ଼ିକ ଦେଇ କୌଣସି ଯାନବାହନ ଚଳାଚଳ କରିପାରିବେ ନାହିଁ।