ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ବଢ଼ୁଥିବାରୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ। ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶୁକ୍ରବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବା ସହ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ମଧ୍ୟ କାୟା ବିସ୍ତାର କରିବା ଆରମ୍ଭ କରିଛି। ଶ୍ରୀମନ୍ଦିରର କେତେଜଣ କର୍ମଚାରୀ ଏବଂ ସେବାୟତଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଛି। ମନ୍ଦିରକୁ ଆସୁଥିବା ଭକ୍ତ ଯେପରି କରୋନା ଦ୍ଵାରା ସଂକ୍ରମିତ ନହୁଅନ୍ତି ସେଥିପାଇଁ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

ଏହା ସହ ପୁରୀରେ କୋଭିଡ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯାଇଛି। ହୋଟେଲ, ରେସ୍ତୋରାଁ, ଦୋକାନ, ବଜାର ଓ ମଲରେ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନରେ ଖିଲାପ ହେଲେ ଦଣ୍ଡବିଧାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here