ଓଡ଼ିଶାଲାଇଭ୍ ବ୍ୟୁରୋ
- ଓଡ଼ିଶାର ଜୀବନରେଖା ପାଇଁ ଅଣ୍ଟା ଭିଡ଼ିଲା ବିଜେଡି
- ୨୨ ତାରିଖରେ ଭୁବନେଶ୍ୱରରେ ମହାସମ୍ମିଳନୀ
- ମହାସମ୍ମିଳନୀ ପୂର୍ବରୁ ଆଜି ଥିଲା ପ୍ରସ୍ତୁତି ବୈଠକ
- ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ
- ମହାନଦୀକୁ ଶୁଖାଇବା ପାଇଁ ଜଘନ୍ୟ ଷଡ଼ଯନ୍ତ୍ର: ପ୍ରସନ୍ନ ଆଚାର୍ଯ୍ୟ
- ବିଜେପି କହିଲା, “ନ୍ୟାୟ ବ୍ୟବସ୍ଥାକୁ ପରିହାସ”
“ଓଡ଼ିଶାର ଜୀବନରେଖା ମହାନଦୀକୁ ଶୁଖାଇବା ପାଇଁ ହେଉଛି ଚକ୍ରାନ୍ତ। ଉଭୟ କେନ୍ଦ୍ର ଏବଂ ଛତିଶଗଡ଼ ସରକାର ଏଭଳି ହୀନ ଚକ୍ରାନ୍ତ କରିଛନ୍ତି। କଲ୍ମା ବ୍ୟାରେଜ ଗେଟ୍ ବନ୍ଦ କରି ଓଡ଼ିଶାର ଜୀବନ ଜୀବିକାକୁ ବିପଦରେ ପକାଯାଇଛି। ଏ ସମ୍ପର୍କରେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ସଚେତନ କରାଯିବ”, କହିଛନ୍ତି ସାଂସଦ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।
ମହାନଦୀର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଶାସକ ବିଜେଡି। ଛତିଶଗଡ଼ ସରକାରଙ୍କ ବେଆଇନ୍ ପ୍ରକଳ୍ପ ଏବଂ କେନ୍ଦ୍ରର ପାତର ଅନ୍ତର ନୀତି ବିରୋଧରେ ୨୨ ତାରିଖରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହେବ ମହାନଦୀ ମହାସମ୍ମିଳନୀ।
ଏହି ମହାସମ୍ମିଳନୀରେ ଯୋଗଦେବେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ଲୋକ ପ୍ରତିନିଧି। ଏହା ପୂର୍ବରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ବସିଥିଲା ପ୍ରସ୍ତୁତି ବୈଠକ। ମହାସମ୍ମିଳନୀରେ କ’ଣ ଆଲୋଚନା କରାଯିବ ଏବଂ ଓଡ଼ିଶାର ଜୀବନରେଖାକୁ କିପରି ସୁରକ୍ଷା ଦିଆଯିବ ସେନେଇ ପ୍ରସ୍ତୁତ ହୋଇଛି ରଣନୀତି।
ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମହାନଦୀର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମରେ ବିଳମ୍ବ, କଲ୍ମା ବ୍ୟାରେଜ ଗେଟ୍ ବନ୍ଦ ଏବଂ ଓଡ଼ିଶା ମହାନଦୀରେ ଜଳପ୍ରବାହ ହ୍ରାସ ଆସି ପ୍ରସଙ୍ଗରେ ଆଲୋଚନା କରାଯାଇଛି।
ପ୍ରସ୍ତୁତି ବୈଠକରେ ଯେଉଁ ଆଲୋଚନା ହୋଇଛି ତାହା ୨୨ ତାରିଖରେ ହେବାକୁ ଥିବା ମହାସମ୍ମିଳନୀରେ ଲୋକ ପ୍ରତିନିଧିଙ୍କୁ ଅବଗତ କରାଯିବ। ମହାନଦୀ ଅବବାହିକା ଜିଲ୍ଲାରେ ଏ ସମ୍ପର୍କରେ ସଚେତନ କରାଯିବ। ଓଡ଼ିଶା ବିରୋଧରେ ଯେଉଁ ଷଡ଼ଯନ୍ତ୍ର ଚାଲିଛି ତାହା ଲୋକଙ୍କୁ ଜଣାଇବ ବିଜେଡି।
ବିଜେଡି ଉପ-ସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, “ଏପ୍ରିଲ ୨୨ ତାରିଖରେ ୧୫ଟି ଜିଲ୍ଲାର ଲୋକପ୍ରତିନିଧିଙ୍କୁ ନେଇ ସମ୍ମିଳନୀ କରାଯିବ। ମହାନଦୀର ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ। ମହାନଦୀ ପ୍ରତି ଯେଉଁ ଷଡ଼ଯନ୍ତ୍ର କରାଯାଉଛି ସେ ସମ୍ପର୍କରେ ଲୋକପ୍ରତିନିଧିମାନେ ଲୋକଙ୍କୁ ସଚେତନ କରିବେ।”
“୨୨ ତାରିଖରେ ହେବାକୁ ଥିବା ମହାସମ୍ମିଳନୀରେ ଲୋକପ୍ରତିନିଧି, ବିଶେଷଜ୍ଞମାନଙ୍କୁ ଡାକିଛୁ। ମହାନଦୀର ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ। ମହାନଦୀର ଯେଉଁ ଉତ୍କଟ ସ୍ଥିତି ଦେଖାଦେଇଛି ସେନେଇ ଲୋକଙ୍କୁ ଅବଗତ କରାଯିବ। ଓଡ଼ିଶା ପ୍ରତି କିପରି ଜଘନ୍ୟ ଷଡ଼ଯନ୍ତ୍ର କରାଯାଉଛି ସେ ସମ୍ପର୍କରେ ସଚେତନ କରାଯିବ”, କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।
ବିଜେଡିର ମହାନଦୀ ମହାସମ୍ମିଳନୀକୁ ସମାଲୋଚନା କରିଛି ବିଜେପି। ମହାନଦୀକୁ ନେଇ ବିଜେଡି ଡ଼ାଟକବାଜି କରୁଛି ଏବଂ ଟ୍ରିବ୍ୟୁନାଲକୁ ଉପହାସ କରୁଛି ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।
“ମହାନଦୀକୁ ନେଇ ନାଚିବା, ସଭା-ସମିତି କରିବା ଏବଂ ଟ୍ରିବ୍ୟୁନାଲ ଉପରେ ଚାପ ସୃଷ୍ଟି କରିବା ଶାଳୀନତାର ସୀମା ଟପିଛି। ନ୍ୟାୟ ପାଇବା ପାଇଁ କେଉଁ କେଉଁ ପନ୍ଥା ବିଜେଡି ଅନୁସରଣ କରିବା କଥା ତାହା ପ୍ରଥମେ ବିଜେଡି ଶିଖୁ। ନ୍ୟାୟିକ ସଂସ୍ଥା ପ୍ରତି ଚାପ ପକାଇବା ପାଇଁ ବିଜେଡି ଯଦି ଅପଚେଷ୍ଟା କରୁଥାଏ ତାହାଲେ ଏହା ସମଗ୍ର ନ୍ୟାୟ ବ୍ୟବସ୍ଥା ପ୍ରତି ଉପହାସ”, କହିଛନ୍ତି ପୀତାମ୍ବର ଆଚାର୍ଯ୍ୟ।
କଲ୍ମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ଼ ସରକାର ବନ୍ଦ କରିଦେଇଛନ୍ତି। ଫଳରେ ୧୫ଟି ଜିଲ୍ଲାର ଲୋକ ଚିନ୍ତାରେ ପଡ଼ିଛନ୍ତି। ଚାଷଜମିକୁ ପାଣି ମିଳୁ ନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇଛି। ହୀରାକୁଦରେ ଜଳ ବିଦ୍ୟୁତ ଉତ୍ପାଦନ ମଧ୍ୟ ହ୍ରାସ ପାଇଥିବା ବିଜେଡି ଅଭିଯୋଗ କରିଛି।
ଏହାର ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦସ୍ତଖତ ଅଭିଯାନ ଚାଲିଛି। ବିଧାନସଭାରେ ମଧ୍ୟ ଏନେଇ ଆଲୋଚନା ହୋଇଛି।
ମହାନଦୀ ପ୍ରସଙ୍ଗରେ ୧୬ ତାରିଖରେ କୋଲକାତାରେ ଆନ୍ତରାଜ୍ୟ କମିଟି ବୈଠକ ବସୁଛି। ଏହି ବୈଠକରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକରେ ପକ୍ଷ ରଖିବେ।