ଗୀତା ଦାସ

‘‘ମୁଁ ମଦ ଛାଡ଼ିପାରିବି ନାହିଁ’’- ଏକଥା ଧରି ନେଇଥିବା ଲୋକଙ୍କୁ କ’ଣ ପରାମର୍ଶ ଦେଉଛନ୍ତି ବିଶିଷ୍ଟ ଓଡ଼ିଆ ମନୋବିଜ୍ଞାନୀ, ପଢ଼ନ୍ତୁ:

୧- ମଦ ନ ପିଇ ରହିବାର ଇଚ୍ଛାକୁ ଦୃଢ଼ କରିବା।

୨- ଯେଉଁ ଅବସ୍ଥାରେ ମଦ ପିଇବାର ଆଶଙ୍କା ରହିଛି ସେ ଅବସ୍ଥା ବିଷୟରେ ସଚେତନ ରହି କେମିତି ସେପରି ଅବସ୍ଥାରେ ମଦ ପିଇବାକୁ ମନା କରିବ ସେ ଉପାୟ ଉଦ୍ଭାବନ କରି ଶିଖିବା।

୩- ମନ ଖରାପ ହେଲେ ମନରେ କ୍ଷୋଭ ଓ ରାଗ ବଢ଼ିଲେ କିମ୍ବା କିଛି କରିବାକୁ ନାହିଁ ବୋଲି ବିରକ୍ତି ବଢ଼ିଲେ କିମ୍ବା ମନସ୍କାମନା ପୂର୍ଣ୍ଣ ନ ହେଲେ ମଦ ନ ପିଇ ଅନ୍ୟ କ’ଣ କରିହେବ ସେ କଥା ଶିଖିବା।

୪- ଥରେ ଅଧେ ପୁରୁଣା ବନ୍ଧୁମାନଙ୍କ ସାଙ୍ଗରେ ପଡ଼ି ମଦ ପିଇଲେ ବା ସାମାଜିକ ପରିସ୍ଥିତିରେ (ଅଫିସ ପାର୍ଟି) ଚକ୍ଷୁଲଜ୍ଜା ଯୋଗୁଁ ଥରେ ପିଇଲେ ପୁଣି ଆରମ୍ଭ କରିବ ନା ପିଇବା ବନ୍ଦ କରିବା ପାଇଁ ଚେଷ୍ଟା କରିବ ଏ ବିଷୟରେ ମନ ସ୍ଥିର କରିବାକୁ ଶିଖିବା।

୫- କ’ଣ କଲେ ମଦ ଛାଡ଼ି ରହିବାର ନୂଆ ଅଭ୍ୟାସ ଦୃଢ଼ ହେବ ତାହା ଚିନ୍ତା କରିବା ଉଚିତ।

ଉପରୋକ୍ତ ପାଞ୍ଚଟି ଅବସ୍ଥା ଦେଇ ଗଲାବେଳେ ମଦ୍ୟପାୟୀ ଯେତେଥର ସଫଳ ହେବ ସେତେ ତା’ର ଆତ୍ମବିଶ୍ୱାସ ବଢ଼ିବ ଓ ମଦ ନ ପିଇ ରହିବାର ଇଚ୍ଛା ମଧ୍ୟ କମିବ। ସେଥିପାଇଁ ଚିକିତ୍ସକ ରୋଗୀକୁ ପଚାରି ବୁଝିବେ କାହିଁକି ଏପରି ଅସୁବିଧା ତା’ର ହେଉଛି। ସେ କ’ଣ ଭାବୁଛି?

  • ଆଜ୍ଞା ରୋଗ ବହୁତ ବଢ଼ିଯାଇଛି। ତେଣୁ ମଦ ପିଇବା ବନ୍ଦ କରିବା ପାଇଁ ଚେଷ୍ଟା କରି କ’ଣ ହେବ।
  • ମୁଁ ନ ପିଇଲେ ମୋ ମୁଣ୍ଡରେ ଭୂତ ଚଢ଼ୁଛି, ତେଣୁ ନ ପିଇ ରହିପାରୁ ନାହିଁ।
  • ଏତେ ଦିନର ଅଭ୍ୟାସ, ତେଣୁ ଥରେ ଅଧେ ଗାଡ଼ି ଖସିଯିବା ସ୍ୱାଭାବିକ।
  • ମୁଁ ଏମିତି ଟିକେ ଟିକେ ପିଇଦଉଛି ସିନା କିନ୍ତୁ ଆଗ ପରି ସବୁଦିନ ପିଉ ନାହିଁ।
  • ମୁଁ ଭାବୁଛି ପୂରା ମଦ ଛାଡ଼ି ରହିପାରିବି।

ରୋଗୀ ଯେତେ ନିଜର ଦୁର୍ଭାଗ୍ୟ ବା ଅନ୍ୟ ଲୋକଙ୍କୁ ଦାୟୀ ନ କରି ନିଜ ଉପରକୁ ଦାୟିତ୍ୱ ନେବ ଓ ମଦ ଛାଡ଼ିବା ଦିଗରେ ନିଜର ସାମୟିକ ବ୍ୟର୍ଥତା ସତ୍ତ୍ୱେ ଚେଷ୍ଟା ଛାଡ଼ିବ ନାହିଁ ସେତେ ତା’ର ଦମ୍ଭ ବଢ଼ିବ।

ଜୀବନରେ ଗୋଟାଏ ବଡ଼ ଧକ୍କା ବା ଆଘାତ ନ ପାଇଲା ପର୍ଯ୍ୟନ୍ତ ରୋଗୀ ନିଜର ମଦ ପିଇବାର କୁଫଳ ବିଷୟରେ ଭାବେ ନାହିଁ। ଏଥିପାଇଁ ବହୁତ ଦେହ ଖରାପ ହେଲେ, ମାତାଲ ଅବସ୍ଥାରେ ଦୁର୍ଘଟଣା ଘଟାଇଲେ, ଚାକିରି ଚାଲିଗଲେ ବା ବିପୁଳ ଆର୍ଥିକ କ୍ଷତି ଘଟିଲେ ଯାଇ ଅଧିକାଂଶ ଲୋକ ମଦ ଛାଡ଼ିଦେବା ଲାଗି ଇଚ୍ଛା କରନ୍ତି। ମାତ୍ର ପୁଣି ଯେଉଁ ଅବସ୍ଥାରେ ମଦ ପିଉଥିଲେ, ସେ ଅବସ୍ଥାରେ ପଡ଼ିଲେ କିମ୍ବା ଏକାଠି ମଦ ପିଉଥିବା ପୁରୁଣା ସାଙ୍ଗମାନଙ୍କ ସାଙ୍ଗରେ ଭେଟ ହେଲେ ସବୁକଥା ପାସୋରି ପିଇବାକୁ ଆରମ୍ଭ କରନ୍ତି। ଏଥିପାଇଁ ମୂଳରୁ କାହିଁକି ରୋଗୀ ମଦ ନ ପିଇବାକୁ ସ୍ଥିର କରିଛି ସେ ବିଷୟ ବିଶ୍ଳେଷଣ କରି ଖଣ୍ଡେ ପୋଷ୍ଟକାର୍ଡ ପରି କାଗଜରେ ଲେଖି ରଖିଲେ। ଯେତେବେଳେ ତା’ର ମନ ଦୁର୍ବଳ ହୋଇଯିବ ସେ ଏଇ କାର୍ଡରେ ନିଜେ କ’ଣ ଲେଖିଛି ସେକଥା ପଢ଼ିବ।

ଏଇ ଲାଭକ୍ଷତିର ହିସାବଟା ଗୋଟାଏ ନମୁନା। ପ୍ରତିଟି ଲୋକ ନିଜେ ନିଜ ଜୀବନର ମଦ ପିଇଲେ ଯେଉଁ ଲାଭ ଓ କ୍ଷତି ହୋଇଥାଏ ସେକଥା ନିଃସଙ୍କୋଚରେ ଲେଖି ନିଜେ ଗୋଟିଏ ହିସାବ ରଖିବ ଓ ଚିକିତ୍ସକଙ୍କୁ ଗୋଟାଏ ଏପରି ହିସାବର ନକଲ ଦେବ।

ଅନେକ ସମୟରେ କିଛିଦିନ ପରେ ହାତଥରା, କ୍ଲାନ୍ତି, ପେଟ ଗୋଳମାଳ ଇତ୍ୟାଦି ଚାଲିଗଲେ ଭଲ ହୋଇଗଲାଣି ଭାବି ରୋଗୀ ଆଉ ଥରେ ପିଇବା ଆରମ୍ଭ କରିପାରେ କିମ୍ବା ଘରେ ପାରିବାରିକ ଅଶାନ୍ତି ବଢ଼ିଲେ ସେ ଭାବେ- ‘ଏଇ ତ ମୋର ସଂସାର! ଅବୁଝା ସ୍ତ୍ରୀ, ଅକୃତଜ୍ଞ ସନ୍ତାନ ଓ ସ୍ୱାର୍ଥପର ବାପା-ମାଆ। ଏମାନଙ୍କ ପାଇଁ ମୁଁ ସାଙ୍ଗସାଥୀଙ୍କ ମହଲରେ ଶାନ୍ତି ଖୋଜେ। କାହିଁକି ସେମାନଙ୍କୁ ଛାଡ଼ିବି? ସେଥିପାଇଁ ଯେତେବେଳେ ତା’ର ମନ ବିଚଳିତ ହେବ, ସେ ପୁଣି ଚିକିତ୍ସକଙ୍କ ସହିତ କଥାବାର୍ତ୍ତା କରି କାହିଁକି ମଦ ଛାଡ଼ିବାକୁ ଚାହୁଁଛି ସେ ବିଷୟ ଆଉ ଥରେ ନୂଆ କରି (ଯାହା ବଦଳେଇବା ଦରକାର, ସେସବୁ ଲାଭକ୍ଷତିର ହିସାବ ବଦଳେଇ) ଲେଖିବ।

(ସୌଜନ୍ୟ: ମନର ଅନ୍ଧାର, ମାନସିକ ସମସ୍ୟା)

LEAVE A REPLY

Please enter your comment!
Please enter your name here