ଓଡ଼ିଶାଲାଇଭ୍ ବ୍ୟୁରୋ
ସୂର୍ଯ୍ୟ ଏକ ବିରାଟ ବଡ଼ ଗ୍ୟାସୀୟ ପିଣ୍ଡୁଳା ଏବଂ ଏକ ନକ୍ଷତ୍ର ମଧ୍ୟ। ସୂର୍ଯ୍ୟ ଚାରିପାଖରେ ପୃଥିବୀ ସମେତ ୮ଟି ଗ୍ରହ ଘୁରି ବୁଲୁଛନ୍ତି ଏବଂ ପୃଥିବୀ ଚାରିପାଖରେ ଏହାର ଉପଗ୍ରହ ଚନ୍ଦ୍ର ଘୂରିବୁଲୁଛି। ମହାକାଶରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଘୁରିବା ସମୟରେ ବେଳବେଳେ ସେମାନେ ଏକ ସରଳରେଖାରେ ରହିଯାଆନ୍ତି। ସେହି ସରଳରେଖାରେ ରହିବା ସମୟରେ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଘଟିଥାଏ।
ସୂର୍ଯ୍ୟପରାଗ ସମୟରେ ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାପନ କରନ୍ତି। ଯାହା ଫଳରେ ସୂର୍ଯ୍ୟର ଆଲୋକ ଆସି ଯେତେବେଳେ ଚନ୍ଦ୍ର ଉପରେ ପଡ଼ିଥାଏ ସେତେବେଳେ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼େ। ସେହି ଛାଇ ଥିବା ଅଞ୍ଚଳରେ ଯେଉଁମାନେ ରହନ୍ତି ସେମାନେ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ। ସେହି ସମୟରେ ସୂର୍ଯ୍ୟପରାଗ ହୋଇଥାଏ। ସୂର୍ଯ୍ୟପରାଗ ମୁଖ୍ୟତଃ ୩ ପ୍ରକାରର। ଯଥା- ପୂର୍ଣ୍ଣ ସୂର୍ଯ୍ୟପରାଗ, ବଳୟ ସୂର୍ଯ୍ୟପରାଗ, ଆଶିଂକ ସୂର୍ଯ୍ୟପରାଗ।
ସେହିପରି ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଅବସ୍ଥାପନ କରନ୍ତି। ଯାହାଫଳରେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ଉପରେ ପଡ଼େ, ଯାହା ଏକ ଛାଇ ସୃଷ୍ଟି କରେ ଏବଂ ସେହି ଛାଇରେ ଯେତେବେଳେ ଚନ୍ଦ୍ର ରହିଥାଏ ସେହି ସମୟରେ ଚନ୍ଦ୍ରଗ୍ରହଣ ହୋଇଥାଏ। ଚନ୍ଦ୍ରଗ୍ରହଣର ବିଶେଷତ୍ଵ ହେଉଛି, ଯେତେବେଳେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥାଏ, ସେତେବେଳେ ଚନ୍ଦ୍ର ରକ୍ତବର୍ଣ୍ଣ ଧାରଣ କରିଥାଏ। ଚନ୍ଦ୍ର ଗ୍ରହଣ ମଧ୍ୟ ୩ ପ୍ରକାରର। ଯଥା- ଆଶିଂକ ଚନ୍ଦ୍ରଗ୍ରହଣ, ଉପଛାୟା ଚନ୍ଦ୍ରଗ୍ରହଣ, ପୂର୍ଣ୍ଣ ଚନ୍ଦ୍ରଗ୍ରହଣ।
ସୂର୍ଯ୍ୟପରାଗ: ରାହୁ – କେତୁ ଉପାଖ୍ୟାନ
ରାହୁ – କେତୁ କଥା ପୁରାଣରେ ବର୍ଣ୍ଣନା କରାଯାଇଛି। ବହୁ ବର୍ଷ ପୂର୍ବେ ଲୋକମାନେ ଯେତେବେଳେ ବିଜ୍ଞାନରେ ଅଗ୍ରଗତି କରିନଥିଲେ, ସେତେବେଳେ କାହିଁକି ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ହୋଇଥାଏ ତାହା ସେମାନେ ଜାଣିନଥିଲେ। ସେହି ସମୟରେ ଲୋକମାନଙ୍କ ମଧ୍ୟରେ ଧାରଣା ଥିଲା ଯେ, ରାହୁ ଓ କେତୁ ନାମକ ଦୁଇଟି ରାକ୍ଷସ ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଗୋଡ଼ାଇ ତାଙ୍କୁ ଗିଳି ଦିଅନ୍ତି। କେବଳ ଭାରତରେ ଏଭଳି ଲୋକ କଥା ବା ବିଶ୍ଵାସ ରହିଛି ତାହା ନୁହେଁ, ଅନ୍ୟ କେତେକ ଦେଶରେ ମଧ୍ୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣକୁ ନେଇ ଲୋକକଥା ଓ ବିଶ୍ଵାସ ରହିଛି।
ଚୀନ ଦେଶର ଲୋକମାନେ ବିଶ୍ଵାସ କରୁଥିଲେ ଯେ, ଏକ ବିଶାଳ ଡ୍ରାଗନ୍ ସୂର୍ଯ୍ୟ ଓ ଚନ୍ଦ୍ରକୁ ଗିଳି ଦେଉଛି। ସେହିଭଳି ଆଫ୍ରିକା ମହାଦେଶରେ କିଛି ଲୋକ ବିଶ୍ଵାସ କରୁଥିଲେ ଯେ, ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କ ଆଲୋକ ଲିଭିଯାଏ ଏବଂ ତେଣୁ ସୂର୍ଯ୍ୟଙ୍କୁ ଆଉ ଥରେ ଆଲୋକିତ କରିବା ପାଇଁ ସେମାନେ ଧନୁ ତୀର ମୁନରେ ନିଆଁ ଲଗାଇ ସୂର୍ଯ୍ୟଙ୍କୁ ଲକ୍ଷ୍ୟ କରି ତୀର ମାରୁଥିଲେ। କିଛି ସମୟ ପରେ ଯେତେବେଳେ ସୂର୍ଯ୍ୟଙ୍କ ଆଲୋକ ଫେରୁଥିଲା ସେତେବେଳେ ସେମାନଙ୍କ ବିଶ୍ଵାସ କରୁଥିଲେ ଯେ ଧନୁ ତୀର ମାରିବାରୁ ସୂର୍ଯ୍ୟଙ୍କ ଆଲୋକ ପୁଣି ଥରେ ଫେରିଲା। ସେହିଭଳି ଭାରତରେ ବିଶ୍ଵାସ କରାଯାଏ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ। ଏପରିକି ଗର୍ଭବତୀ ମହିଳାମାନେ ଘରୁ ବାହାରିବା ଉଚିତ ନୁହେଁ, ସୂର୍ଯ୍ୟଙ୍କ ଆଲୋକ ସିଧାସଳଖ ପଡ଼ିବା ଆଦି ଉପରେ ବାରଣ ରହିଛି। ତେବେ ଏଗୁଡ଼ିକର କୌଣସି ବୈଜ୍ଞାନିକ ଭିତ୍ତିଭୂମି ନାହିଁ।
ସୂର୍ଯ୍ୟପରାଗ: ଅତିବାଇଗଣୀ ରଶ୍ମୀର ଭୟ କେତେ ?
ସୂର୍ଯ୍ୟଙ୍କ ଠାରୁ ଅତିବାଇଗଣୀ ରଶ୍ମୀ ନିଗ୍ରତ ହୁଏ ଏବଂ ସବୁ ସମୟରେ ସମାନ ପରିମାଣର ରଶ୍ମୀ ନିଗ୍ରତ ହୋଇଥାଏ। ବିଶେଷ କରି ଯେତେବେଳେ ସୂର୍ଯ୍ୟପରାଗ ଘଟିଥାଏ ସେତେବେଳେ ସୂର୍ଯ୍ୟଙ୍କ କିଛି ଅଂଶ ଲୁଚିଯାଏ, ଯାହାଫଳରେ ରଶ୍ମୀ କମିଯାଏ। ତେଣୁ ଯାହା ବିଶ୍ଵାସ ରହିଛି ଯେ, ସୂର୍ଯ୍ୟପରାଗ ସମୟରେ ଅତିବାଇଗଣୀ ରଶ୍ମୀ ଅଧିକ ନିଗ୍ରତ ହୋଇଥାଏ, ତାହାର କୌଣସି ବୈାଜ୍ଞାନିକ ସତ୍ୟତା ନାହିଁ।
ପରାଗ ଓ ଗ୍ରହଣ ସମୟରେ ରୋଷେଇ ଓ ଖାଇବା ନିଷେଧ
ପରାଗ ଓ ଗ୍ରହଣ ସହିତ ଖାଇବାର କୌଣସି ସଂପର୍କ ନାହିଁ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ବର୍ଷ ବର୍ଷ ଧରି ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ। ସେମାନେ ଯଦି ସାଧାରଣ ଦିନରେ କୌଣସି ପ୍ରଭାବ ପକାଉନାହାନ୍ତି, ତାହା ହେଲେ ଗ୍ରହଣ ଓ ପରାଗ ସମୟରେ ମଧ୍ୟ କୌଣସି ପ୍ରଭାବ ପକାଇବେ ନାହିଁ। ତେଣୁ ଗ୍ରହଣ ଓ ପରାଗ ସମୟରେ ଖାଇଲେ ପେଟ ଖରାପ ହୁଏ, ଜୀବାଣୁ ହୋଇଯାଏ ଏସବୁ ଭ୍ରାନ୍ତ ଧାରଣା।
ପରାଗ ସମୟରେ ସୂର୍ଯ୍ୟଙ୍କୁ ଦେଖିବେ କେମିତି ?
ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଗୋଟିଏ ମହାଯାଗତିକ ଘଟଣା। ସୂର୍ଯ୍ୟଙ୍କୁ କେବେ ବି ଖାଲି ଆଖିରେ ବା ବାଇନାକୁଲାର ଓ ଟେଲିସ୍କୋପ୍ରେ ସିଧାସଳଖ ଦେଖିବା ଉଚିତ୍ ନୁହେଁ। ସୂର୍ଯ୍ୟପରାଗକୁ ଦେଖିବା ପାଇଁ ଉପାୟ ହେଉଛି ପିନହୋଲ୍ କ୍ୟାମେରା ସାହାଯ୍ୟରେ ପ୍ରୋଜେକ୍ସନ କରି ଦେଖିପାରିବେ, ନଚେତ ଏକ ଛୋଟ ଦର୍ପଣରେ ସୂର୍ଯ୍ୟଙ୍କ ପ୍ରତିବିମ୍ବ ଦେଖପାରିବେ କିମ୍ବା ବାଇନାକୁଲାର ବା ଟେକିସ୍କୋପରେ କାନ୍ଥକୁ ପ୍ରୋଜେକ୍ସ କରି ଦେଖିପାରିବେ। ସନ୍ଗ୍ଲାସ ପିନ୍ଧି କେବେ ସୂର୍ଯ୍ୟଙ୍କୁ ଦେଖିବା ଉଚିତ ନୁହେଁ। ସୋଲାର୍ ଗ୍ଲାସ ବ୍ୟବହାର କରି ଆପଣ ସୂର୍ଯ୍ୟଙ୍କୁ ଦେଖିପାରିବେ, କାରଣ ସେଲାର୍ ଗ୍ଲାସ ସୂର୍ଯ୍ୟଙ୍କ କିରଣକୁ ୯୯ ଭାଗ କମାଇ ଦେଇଥାଏ। ସୂର୍ଯ୍ୟପରାଗ ଦେଖିବାରେ ଯେଉଁ ପ୍ରତିବନ୍ଧକ ଅଛି ତାହା ଚନ୍ଦ୍ରଗ୍ରହଣ ଦେଖିବାରେ ନାହିଁ। ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖାଯାଇପାରିବ।
Tags: #SolarEclipse #LunarEclipse #Reason #ScientificReason #Odisha #Myth