ଆଶିଷ କୁମାର ରାୟ
ଯଦି ପ୍ରଶ୍ନ କରାଯାଏ ଯେ ସିନିୟର ସ୍ତରରେ ହକି ଖେଳର ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ପ୍ରଥମ ଖେଳାଳି କିଏ? ଅଲିମ୍ପିକ୍ସରେ ପଦାର୍ପଣ କରିବାରେ ସେ ପ୍ରଥମ ଓଡ଼ିଆ ହୋଇଥିଲେ ହେଁ ବିଶ୍ୱକପରେ ଦିଲ୍ଲୀପଙ୍କ ପୂର୍ବରୁ ଆଉ ଜଣେ ଓଡ଼ିଆ ହକି ତାରକା ଖେଳିବାର ସୁଯୋଗ ପାଇଥିଲେ। ସେ ହେଉଛନ୍ତି ଓଡ଼ିଆ ଝିଅ ଜ୍ୟୋତି ସୁନିତା କୁଲ୍ଲୁ।
୧୯୯୮ର ମେ-ଜୁନ୍ ମାସରେ ନେଦରଲାଣ୍ଡସ୍ର ୟୁଟ୍ରେକ୍ଟ ନଗରୀରେ ଆୟୋଜିତ ହୋଇଥିଲା ନବମ ବିଶ୍ୱକପ ହକି ପ୍ରତିଯୋଗିତା। ପୁରୁଷ ବିଶ୍ୱକପରେ ଦିଲ୍ଲୀପ ତିର୍କୀ ଓ ଲାଜରୁସ୍ ବାର୍ଲା ପ୍ରଥମଥର ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ତେବେ କୌଣସି ଖେଳର ସିନିୟର ବିଶ୍ୱକପରେ ଖେଳିବା ଦିଗରେ ଏ ଦୁହେଁ ଆମ ରାଜ୍ୟର ପ୍ରଥମ ଦୁଇ ଖେଳାଳି ନଥିଲେ। କାରଣ ସେହି ୟୁଟ୍ରେକ୍ଟଠାରେ ଏକାସାଙ୍ଗେ ଆୟୋଜିତ ହୋଇଥିବା ନବମ ମହିଳା ହକି ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ଥିଲେ ଓଡ଼ିଆ ତାରକା ଜ୍ୟୋତି ସୁନିତା କୁଲ୍ଲୁ।
୧୯୯୮ର ପୁରୁଷ ହକି ବିଶ୍ୱକପରେ ଭାରତ ନିଜର ପ୍ରଥମ ମ୍ୟାଚ ମେ’ ୨୧ ତାରିଖ ଦିନ ଜର୍ମାନୀ ବିରୁଦ୍ଧରେ ଖେଳିଥିବା ବେଳେ, ତା’ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୦ ତାରିଖରେ ଭାରତୀୟ ମହିଳା ଦଳ ଏହାର ପ୍ରଥମ ମ୍ୟାଚ ଖେଳିଥିଲା ଇଂଲାଣ୍ଡ ବିରୁଦ୍ଧରେ। ସୁତରାଂ ଓଡ଼ିଶା ହକିର ଜ୍ୟୋତି ଭାବେ ପରିଚିତ ଏହି ଖେଳାଳି ଜଣକ ଥିଲେ ବିଶ୍ୱକପରେ ପଦାର୍ପଣ କରିଥିବା ପ୍ରଥମ ଓଡ଼ିଆ ହକି ଖେଳାଳି।
ପ୍ରାରମ୍ଭିକ କ୍ରୀଡ଼ା ଜୀବନ
ଓଡ଼ିଶା ହକିର ଗଡ଼ ଭାବେ ଖ୍ୟାତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଡ଼ଗାଁ ବ୍ଲକର ଏକ ଅଖ୍ୟାତ ପଲ୍ଲୀ ବାଗବୁରା। ୧୯୭୮ ମସିହା ଅକ୍ଟୋବର ୯ ତାରିଖରେ ସେହି ଗ୍ରାମରେ ଜନ୍ମ ନେଇଥିଲେ ଜ୍ୟୋତି ସୁନିତା କୁଲ୍ଲୁ। ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ହକି ଖେଳର ମୋହରେ ପଡ଼ି ଏହାକୁ ନିଜ ଜୀବନର ଅଙ୍ଗ ଭାବେ ଆପଣାଇ ନେଇଥିଲେ ସେ। ଜ୍ୟୋତିଙ୍କ ପ୍ରତିଭାକୁ ଚିହ୍ନଟ କରି ୧୯୮୯ରେ ତାଙ୍କୁ ପାନପୋଷ କ୍ରୀଡ଼ା ଛାତ୍ରାବାସ ପାଇଁ ମନୋନୀତ କରାଗଲା। ଏହିଠାରୁ ହିଁ ତାଙ୍କ କ୍ରୀଡ଼ାଜୀବନ ଏକ ନୂଆ ମୋଡ଼ ନେଲା। ନେହେରୁ ହକିରେ ନିଜ ସ୍କୁଲ ପକ୍ଷରୁ ଏବଂ ଜାତୀୟ ଜୁନିଅର ହକି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଖେଳି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ।
ପାନପୋଷ କ୍ରୀଡ଼ା ଛାତ୍ରାବାସରେ କିଛିବର୍ଷ ପ୍ରଶିକ୍ଷଣ ନେବାପରେ ସେ ପଞ୍ଜାବର କପୁରଥଲାସ୍ଥିତ ହକି ଏକାଡେମିକୁ ଆସିଲେ। ଏହାପରେ ସେଠାକାର ରେଲୱେ କୋଚ୍ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ହେବା ସହିତ ଓଡ଼ିଶା ବଦଳରେ ପଞ୍ଜାବ ଏବଂ ପରବର୍ତ୍ତୀ ସମୟରେ ରେଳବାଇ ପକ୍ଷରୁ ଖେଳିବାକୁ ଲାଗିଲେ। ଇତିମଧ୍ୟରେ ଜାନୁଆରି ୧୯୯୬ରେ ଦିଲ୍ଲୀରେ ଆୟୋଜିତ ଇନ୍ଦିରା ଗାନ୍ଧୀ ଗୋଲ୍ଡ କପ୍ ହକି ପ୍ରତିଯୋଗିତାରେ ସେ ଭାରତ ପାଇଁ ଖେଳି ନିଜର ଆନ୍ତର୍ଜାତିକ କ୍ରୀଡ଼ା ଜୀବନ ଆରମ୍ଭ କଲେ।
ଅନ୍ତର୍ଜାତୀୟ ହକିରେ ଦୀର୍ଘ ୧୨ ବର୍ଷ
ଜ୍ୟୋତି ସୁନିତାଙ୍କ ପୂର୍ବରୁ ଗ୍ଲୋରିଆ ଡୁଙ୍ଗଡୁଙ୍ଗ୍, ସବିତା ଏକ୍କା ଏବଂ ଟେରେସା କୁଜୁର୍ଙ୍କ ଭଳି ଓଡ଼ିଶାର ଖେଳାଳିମାନେ ଭାରତୀୟ ମହିଳା ହକି ଦଳ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ହେଁ କେହି ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ। ତେବେ ଜ୍ୟୋତି ସୁନିତା କୁଲ୍ଲୁ ନିଶ୍ଚିତ ଭାବେ ଥିଲେ ଅଧିକ ପ୍ରତିଭାଶାଳୀ। ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ଧରି ସେ ଭାରତୀୟ ଦଳରେ ସାମିଲ ରହିବା ସହିତ ୧୭୯ଟି ଆନ୍ତର୍ଜାତିକ ମ୍ୟାଚରେ ଖେଳିବାର ଗୌରବ ହାସଲ କରିଥିଲେ। ଏଥିସହିତ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଚାମ୍ପିଆନ୍ସ ଚାଲେଞ୍ଜ, ଆଫ୍ରୋ ଏସୀୟ କ୍ରୀଡ଼ା ତଥା ହକି ଏସିଆ କପ ଭଳି ପ୍ରତିଯୋଗିତାରେ ପଦକ ଜିତିବାରେ ମଧ୍ୟ ସମର୍ଥ ହୋଇଥିଲେ ସେ।
୧୯୯୭ରେ ଜିମ୍ବାଓ୍ଵେର ହରାରେଠାରେ ଖେଳାଯାଇଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ୧୮ ବର୍ଷ ବୟସ୍କା ଜ୍ୟୋତି ତଥା ଅନ୍ୟ ଖେଳାଳିମାନଙ୍କର ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ସ୍ଥାନ ହାସଲ କରି ୧୯୯୮ର ମହିଳା ହକି ବିଶ୍ୱକପ ସକାଶେ ସ୍ଥାନ ହାସଲ କରିନେଲା। ୧୯୯୮ର ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା ଓ ଜର୍ମାନୀ ଗସ୍ତ କରିଥିଲା ଏବଂ ଏ ସମସ୍ତ ଗସ୍ତରେ ଜ୍ୟୋତି ସୁନିତା ଥିଲେ ଦଳର ନିର୍ଭରଯୋଗ୍ୟ ଖେଳାଳି।
୧୯୯୮ର ବିଶ୍ୱକପରେ କିନ୍ତୁ ଭାରତୀୟ ଦଳ ସେଭଳି କିଛି ଖାସ୍ ପ୍ରଦର୍ଶନ କରିନପାରି ଦ୍ୱାଦଶ ତଥା ଅନ୍ତିମ ସ୍ଥାନରେ ରହିଗଲା। ସେହିବର୍ଷ ମାଲେସିଆର କୁଆଲାଲମପୁରରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚତୁର୍ଥ ସ୍ଥାନରେ ରହିବା ପରେ ବର୍ଷର ଶେଷ ଆଡ଼କୁ ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ରୌପ୍ୟ ପଦକ। ଏହି ଏସୀୟ କ୍ରୀଡ଼ାରେ ଜ୍ୟୋତି ସୁନିତା ସ୍କୋର କରିଥିଲେ ୩ଟି ଗୋଲ।
୧୯୯୯ରେ ଦିଲ୍ଲୀରେ ଅନୁଷ୍ଠିତ ଏସିଆ କପ ମହିଳା ହକି ପ୍ରତିଯୋଗିତାରେ ସେ ପୁଣି ୩ଟି ଗୋଲ ଦେଇ ଭାରତକୁ ରୌପ୍ୟ ପଦକ ବିଜୟୀ କରାଇଥିଲେ। ଏହାପରେ ୨୦୦୨ର ବିଶ୍ୱକପ ସକାଶେ ଭାରତୀୟ ମହିଳା ଦଳ କ୍ୱାଲିଫାଇ କରିନଥିଲେ ହେଁ ସେହିବର୍ଷ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅ।ୟୋଜିତ ଚାମ୍ପିଆନ୍ସ ଚାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିବା ସହିତ ଏଥିରେ ଜ୍ୟୋତି ୫ଟି ଗୋଲ ଦେଇ ହୋଇଥିଲେ ପ୍ରତିଯୋଗିତାର ଟପ୍ ସ୍କୋରର। ସେହିବର୍ଷ ମଧ୍ୟ ଭାରତୀୟ ମହିଳା ଦଳକୁ ମିଳିଥିଲା ଆଉ ଏକ ବଡ଼ ସଫଳତା।
ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ
୨୦୦୨ରେ ମିଳିଥିବା ସେହି ବଡ଼ ସଫଳତାଟି ଥିଲା ମାଞ୍ଚେଷ୍ଟରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ। ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହକି ଫାଇନାଲରେ ଆୟୋଜକ ଦେଶ ଇଂଲଣ୍ଡକୁ ୩-୨ ଗୋଲରେ ହରାଇ ସୂରଜଲତା ଦେବୀଙ୍କ ନେତୃତ୍ୱରେ ଭାରତ ହାସଲ କରିଥିଲା ସ୍ୱର୍ଣ୍ଣପଦକ। ଏହି ପ୍ରତିଯୋଗିତାରେ ଜ୍ୟୋତିଙ୍କ ଦ୍ୱାରା ସ୍କୋର ହୋଇଥିଲା ୪ଟି ଗୋଲ।
ଭାରତୀୟ ମହିଳା ହକି ଦଳକୁ ଯେ କେବଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ମିଳିଥିଲା ତାହା ନୁହେଁ, ବରଂ ୨୦୦୩ରେ ରୁଷିଆରେ ଅନୁଷ୍ଠିତ ତ୍ରି–ରାଷ୍ଟ୍ରୀୟ ପ୍ରତିଯୋଗିତା ଏବଂ ହାଇଦ୍ରାବାଦରେ ଅନୁଷ୍ଠିତ ଆଫ୍ରୋ–ଏସିଆନ୍ ଗେମ୍ସରେ ମଧ୍ୟ ଭାରତ ସ୍ୱର୍ଣ୍ଣ ଜିଣିବା ଦିଗରେ ସମର୍ଥ ହୋଇଥିଲା।
୨୦୦୪ରେ ଦିଲ୍ଲୀରେ ଏସିଆ କପ ହକିର ଫାଇନାଲରେ ଜାପାନକୁ ୧-୦ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିବା ମଧ୍ୟ ଥିଲା ଏକ ବଡ଼ ସଫଳତା ଏବଂ ଏହି ସଫଳତାରେ ଜ୍ୟୋତିଙ୍କ ୫ଟି ଗୋଲର ଯୋଗଦାନ ଭାରତର ଚାମ୍ପିଆନ ହେବାର ପଥ ପ୍ରଶସ୍ତ କରିଦେଇଥିଲା। ଏହାପରେ ୨୦୦୫ରେ ସିଙ୍ଗାପୁରରେ ଖେଳାଯାଇଥିବା ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ ଚାମ୍ପିଆନ ହୋଇ ଜିତିଥିଲା ସ୍ୱର୍ଣ୍ଣ ପଦକ।
ଅଧିନାୟିକା ଜ୍ୟୋତି
୨୦୦୪ରେ ଭାରତ ଏସିଆ କପ ଚାମ୍ପିଆନ ହୋଇଥିବା ଯୋଗୁଁ ୨୦୦୬ର ବିଶ୍ୱକପରେ ଖେଳିବା ପାଇଁ ସୁଯୋଗ ମିଳିଲା। ସ୍ପେନର ମାଦ୍ରିଦ ନଗରୀରେ ଅନୁଷ୍ଠିତ ଏହି ବିଶ୍ୱକପରେ ଜ୍ୟୋତି ସୁନିତା କୁଲ୍ଲୁ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଏହି ବିଶ୍ୱକପ ପୂର୍ବରୁ ନେଦରଲାଣ୍ଡସ ଗସ୍ତ ସମୟରେ ଜ୍ୟୋତିଙ୍କୁ ଜାତୀୟ ମହିଳା ହକି ଦଳର ଅଧିନାୟିକା ଭାବେ ମନୋନୀତ କରାଯାଇଥିଲା।
ମାଦ୍ରିଦରେ ଅନୁଷ୍ଠିତ ବିଶ୍ୱକପରେ ଜ୍ୟୋତିଙ୍କ ବ୍ୟତୀତ ଓଡ଼ିଶାର ଆଉ ଦୁଇଜଣ ଖେଳାଳି ସୁଭଦ୍ରା ପ୍ରଧାନ ଓ ବିନିତା ଟୋପ୍ପୋ ମଧ୍ୟ ଭାରତୀୟ ଦଳର ସଦସ୍ୟା ଥିଲେ। ଏହି ବିଶ୍ୱକପରେ ଭାରତ ଏକାଦଶତମ ସ୍ଥାନରେ ରହିଥିବା ବେଳେ ସେହିବର୍ଷ ଶେଷ ଆଡ଼କୁ କାତାରର ଦୋହାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଜ୍ୟୋତିଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଦୋହା ଏସିଆଡର ଉଦ୍ଘାଟନ ଉତ୍ସବରେ ଜ୍ୟୋତିଙ୍କୁ ମଧ୍ୟ ଦେଶର ଜାତୀୟ ପତାକା ବହନ କରିବାର ସୌଭାଗ୍ୟ ମିଳିଥିଲା।
ଏହିଭଳି ଭାବେ ଭାରତ ପାଇଁ ବେଶ୍ କିଛି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜ୍ୟୋତି ସୁନିତା କୁଲ୍ଲୁଙ୍କୁ ୨୦୦୭ରେ ମିଳିଥିଲା ସମ୍ମାନଜନକ ‘ଅର୍ଜୁନ’ ପୁରସ୍କାର। ସେହିବର୍ଷ ମଧ୍ୟ ସେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ଲାଭ କରିଥିଲେ। ବାସ୍ତବରେ ଦେଖିବାକୁ ଗଲେ ସେ ହେଉଛନ୍ତି ଆମ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ। ସେ ଯେ କେବଳ ଓଡ଼ିଶା ହକିର ଜ୍ୟୋତି ତାହା ନୁହେଁ, ବରଂ ସେ ହେଉଛନ୍ତି ଭାରତୀୟ ହକିର ଏକ ଉଜ୍ଜ୍ୱଳ ନକ୍ଷତ୍ର।
(ଲେଖକ ବୃତ୍ତିରେ ଜଣେ ଶିକ୍ଷକ ଏବଂ ରୁଚିରେ କ୍ରୀଡ଼ା ଲେଖକ)
Tags: #JyotiSunitaKullu #OdishaHockey #Hockey #Sundargarh #HockeyIndia #IndianHockeyTeam #ଜ୍ୟୋତିସୁନିତାକୁଲ୍ଲୁ #ହକି #ସୁନ୍ଦରଗଡ଼