ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଟ୍ରାଫିକ୍ ଛକ ନିକଟ ମାର୍କେଟରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ଥାନା ପୋଲିସ। ଗତ ଜାନୁଆରି ୩୧ ତାରିଖରେ କୋରାପୁଟ ସଦର ଉମୁରି ପଞ୍ଚାୟତର ପର୍ଶୁ ମୁଦୁଲି ଏବଂ ତାଙ୍କ ପତ୍ନୀ ସୁଶୀଳା ଏକ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଫେରୁଥିଲେ। ସୁଶୀଳା ଟ୍ରାଫିକ ଛକ ମାର୍କେଟ ନିକଟରେ ପରିବା କିଣିବାକୁ ଅଟକି ଥିଲେ। ଏହି ସମୟରେ ସେମାନଙ୍କ ପିଛା କରୁଥିବା ଦୁଇ ଜଣ ଅଜଣା ବ୍ୟକ୍ତି ସୁଶୀଳାଙ୍କ ହତାରେ ଥିବା ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ପର୍ଶୁ ମୁଦୁଲି କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ସହରରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ସିସିଟିଭି ଫୁଟେଜ ଆଧାରରେ ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପୋଲିସ ଟିମ ଚଢ଼ଉ କରିଥିଲା।

ମାଲକାନଗିରିରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସେମାନଙ୍କଠାରୁ ଦୁଇଟି ବାଇକ୍, ପ୍ୟାନକାର୍ଡ, ବ୍ୟାଙ୍କ ପାସବୁକ, ଆଧାରକାର୍ଡ ସମେତ ୧,୬୦,୫୪୬ ଟଙ୍କା ଜବତ କରାଯାଇଥିଲା। ଗିରଫ ୩ ଅଭିଯୁକ୍ତ ହେଲେ ଏ ଶିବା, ଡି ରାଜେନ୍ଦ୍ର ଏବଂ ଏ ଅର୍ଜୁନ। ସମସ୍ତଙ୍କ ଘର ଗଞ୍ଜାମ ଜିଲ୍ଲାର ଆସ୍କା ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି ଅଭିନବ ସୋନକର।

Tags: #Koraput #Police #Arrest

LEAVE A REPLY

Please enter your comment!
Please enter your name here