ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘ମୋଦୀ’ ସରନେମକୁ ନେଇ ୨୦୧୯ରେ ଦେଇଥିବା ବୟାନ ଏବେ ରାହୁଲ ଗାନ୍ଧୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସାଂସଦ ପଦବୀ ଉପରେ ଏବେ ସଙ୍କଟ ସୃଷ୍ଟି ହୋଇଛି।
କ’ଣ ପାଇଁ ସବୁ ଚୋରଙ୍କ ସରନେମ ମୋଦୀ।… ୨୦୧୯ରେ ଏକ ସାଧାରଣ ସଭାରେ ଏମିତି କହି ଫସିଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ରୁଜୁ ହୋଇଥିବା ଏକ ମାନହାନୀ ମାମଲାରେ ସୁରତର ତଳ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅବଶ୍ୟ ତାଙ୍କୁ ତତ୍କ୍ଷଣାତ ଜାମିନ ମିଳିବା ସହ ଉପର କୋର୍ଟକୁ ଯିବା ପାଇଁ ମାସକର ମହଲତ ମିଳିଛି। ତାଙ୍କ ସାସଂଦ ପଦ ଯାଇପାରେ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି, ଅନ୍ୟପଟେ ରାହୁଲଙ୍କ ପାଇଁ ଏ ଅଡ଼ୁଆ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ ତାହା ସ୍ପଷ୍ଟ ହୋଇଯାଇଛି।
ମୋଦି ସାଙ୍ଗିଆକୁ ଅପମାନିତ କରିଥିବା ଅଭିଯୋଗରେ ୨୦୧୯ରେ ଏହି ମାମଲା ରୁଜୁ ହୋଇଥିଲା। ସୁରଟ କୋର୍ଟରେ ଏହାର ବିଚାର ଚାଲିଥିଲା। ଏହା ଏକ ଅପରାଧିକ ମାମଲା ହୋଇଥିବାବେଳେ ରାହୁଲ ଗାନ୍ଧୀ ଜାଣିଶୁଣି ଅପମାନିତ କରିଛନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।
ଏହି ଦଣ୍ଡାଦେଶ ପରେ ତାଙ୍କ ପାଖରେ ଆଉ କ’ଣ ସୁଯୋଗ ରହିଛି ଏବଂ ତାଙ୍କ ସାଂସଦ ପଦକୁ ନେଇ କିଛି ସଂକଟ ଅଛି କି ନାହିଁ, ସେନେଇ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଆଗକୁ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଭଳି ଗୁରୁତ୍ଵପୂର୍ଣ୍ଣ ରାଜ୍ୟଗୁଡ଼ିକରେ ନିର୍ବାଚନ ଥିବା ବେଳେ ରାହୁଲଙ୍କ ଏ ଅସୁବିଧା ଦଳକୁ ମଧ୍ୟ ସଂକଟରେ ପକାଇପାରେ ବୋଲି ଆଲୋଚନା ହେଉଛି।
କ’ଣ କହିଥିଲେ ରାହୁଲ
ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକର କୋଲାରରେ ଏକ ସାଧାରଣ ସଭାରେ ମୋଦୀ ସାଙ୍ଗିଆକୁ ନେଇ କଠୋର ସମାଲୋଚନା କରିଥିଲେ। ସେ ଏଥିରେ କହିଥିଲେ ଯେ, ଏମିତି କେମିତି ସମ୍ଭବ ହେଲା ଯେ, ସବୁ ଚୋରଙ୍କ ସାଙ୍ଗିଆ ମୋଦୀ ହେଲା। ଏହାକୁ ନେଇ ଗୁଜାରଟର ଜଣେ ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ମାନହାନୀ ମୋକଦ୍ଦମା ଦାୟର କରିଥିଲେ।
ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଫା ୪୯୯, ଓ ୫୦୦(ମାନହାନୀ)ରେ ମାମଲା ରୁଜୁ ହୋଇଥିଲା।। ରାହୁଲ ୨୦୨୧ରେ ଏହି ମାମଲାରେ ସୁରଟ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ।
ଆଗକୁ କ’ଣ ପଦକ୍ଷେପ ନିଆଯିବ ସେନେଇ କଂଗ୍ରେସର ଏକ ଆଇନ ବିଶାରଦ ଦଳ ତର୍ଜମା କରୁଛନ୍ତି। ତାଙ୍କ ବିରୋଧରେ ଭାରତୀୟ ଜନପ୍ରତିନିଧି ଆଇନ ଲାଗୁ ହେବ କି ନାହିଁ ତାର ବିଚାର ମଧ୍ୟ ଚାଲିଛି। ତେବେ ଏହି ମାମଲାରେ ରାହୁଲ ହାଇକୋର୍ଟ ଯାଇ ପାରିବେ ବୋଲି ତଳ କୋର୍ଟ ମାସେ ସମୟ ଦେଇ ଥିବାରୁ ହାଇକୋର୍ଟ କିଛି ରାୟ ନ ଶୁଣାଇବା ପର୍ଯ୍ୟନ୍ତ ତାଙ୍କ ସାଂସଦ ପଦକୁ ନେଇ କିଛି ସଙ୍କଟ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହା।ଯାଇଛି।
୨୦୧୩ର ରାଜନୈତିକ ଅପରିପକ୍ଵତା
୨୦୧୩ରେ ରାହୁଲ ନିଜେ କରିଥିବା ଭୁଲ୍ ପାଇଁ ତାଙ୍କ ସାଂସଦ ପଦ ଏବେ ସଂକଟରେ ପଡ଼ିଛି। ଯଦି ରାହୁଲ ଗାନ୍ଧୀ ସେଦିନ ରାଜନୈତିକ ପରିପକ୍ଵତା ଦେଖାଇ ଥାନ୍ତେ ତେବେ ହୁଏତ ଆଜି ତାଙ୍କୁ କିମ୍ବା ତାଙ୍କ ଓକିଲମାନଙ୍କୁ ଏତେ ଚିନ୍ତା କରିବାକୁ ପଡ଼ି ନ ଥାନ୍ତା ବୋଲି ଏବେ ଚର୍ଚ୍ଚା ଚାଲିଛି। ତେବେ କଣ ଥିଲା ସେ ୨୦୧୩ର ତ୍ରୁଟି।
୨୦୧୩ରେ ଏମ୍ଏଲ୍ଏ, ଏମ୍ଏଲ୍ସି ଓ ସାଂସଦମାନଙ୍କ ସୁରକ୍ଷା ପାଇଁ ୟୁପିଏ ସରକାର ଏକ ବିଲ୍ ଆଣିଥିଲେ। ଏହା ରାଜ୍ୟସଭାରେ ଆଗତ ମଧ୍ୟ ହୋଇଥିଲା। ଏହା ବିଲ୍ ଭାବେ ପାରିତ ହେବା ପୂର୍ବରୁ ସରକାର ଏହାକୁ ଅର୍ଡିନାନ୍ସ ଭାବା କାର୍ଯ୍ୟକାରୀ କରିବାକୁ ଚାହିଁଥିଲେ।
ପୂର୍ବରୁ ଭାରତୀୟ ଜନପ୍ରତିନିଧି ଆଇନ ଅନୁସାର କୌଣସି ଏମ୍ଏଲ୍ଏ, ଏମ୍ଏଲ୍ସି ଓ ସାଂସଦ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ଅଧିକ ଜେଲ୍ ଦଣ୍ଡ ପାଇଲେ ତାଙ୍କୁ ପରବର୍ତ୍ତୀ ଆଇନଗତ ପଦକ୍ଷେପ ପାଇଁ ୩ ମାସର ମହଲତ ମିଳୁଥିଲା। କିନ୍ତୁ ୨୦୧୩ର ଭାରତୀୟ ଜନପ୍ରତିନିଧି ଆଇନରେ ଏହି ଧାରାକୁ ଅବୈଧ ନିର୍ଦେଶ ଦେବାସହ ଦୋଷୀ ଜନପ୍ରତିନିଧିଙ୍କ ପଦ ତତ୍କ୍ଷଣାତ ଅସିଦ୍ଧ ହେବ ବୋଲି ରାୟ ଦେଇଥିଲେ।
ଏହାର ପୁନର୍ବିଚାର କରିବା ପାଇଁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଜନପ୍ରତିନିଧିଙ୍କ ସୁରକ୍ଷା ପାଇଁ ଏକ ବିଲ୍ ପ୍ରସ୍ତୁତ କରିଥିଲେ। ତତ୍କାଳୀନ ଆଇନମନ୍ତ୍ରୀ କପିଲ ଶିବଲ ଏହାକୁ ରାଜ୍ୟସଭାରେ ଆଗତ କରିଥିଲେ। ଏହି ବିଲ୍ ଅନୁସାରେ ଦୋଷୀ ସାବ୍ୟସ୍ତ କୌଣସି ଜନପ୍ରତିନିଧିଙ୍କର ପଦ ତତ୍କ୍ଷଣାତ ଅସିଦ୍ଧ ହେବନାହିଁ।
ଏହି ବିଲ୍ ଗୃହୀତ ହେବା ପୂର୍ବରୁ ଆଇନକୁ ତତ୍କାଳ ଲାଗୁ କରିବାକୁ ପାଇଁ ଅର୍ଡିନାନ୍ସ ଭାବେ ରାଷ୍ଟ୍ରପତିଙ୍କ ମୋହର ପାଇଁ ଯାଇଥିଲା। ଗୋଖାଦ୍ୟ ଦୁର୍ନୀତି ମାମଲାର ରାୟ ଆସିବାକୁ ଥିବାରୁ ଏହା ପୂର୍ବରୁ ଅର୍ଡିନାନ୍ସ ଭାବେ କାର୍ଯ୍ୟକାରୀ କରାଇବାକୁ ଚାହୁଁଥିଲେ ୟୁପିଏ ସରକାର।
ନନ୍ସେନ୍ସ ଅର୍ଡିନାନ୍ସ କହିଥିଲେ ରାହୁଲ
ଅର୍ଡିାନ୍ସରେ ରାଷ୍ଟ୍ରପତିଙ୍କ ମୋହର ଲାଗି ଫେରିବା ପୂର୍ବରୁ ସବୁ ଗଡ଼ବଡ଼ କରିଦେଇଥିଲେ ରାହୁଲ ଗାନ୍ଧୀ। ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଦେଶ ଗସ୍ତରେ ଥିବା ବେଳେ ସଂଶୋଧିତ ଜନପ୍ରତିନିଧି ଅର୍ଡିନାନ୍ସ ସମେତ କୃଷି ଓ କୃଷକ ସମ୍ପର୍କିତ ଅନ୍ୟ ଏକ ଅର୍ଡିନାନ୍ସକୁ ସର୍ବସାଧାରଣରେ ନନ୍ସେନ୍ସ ଅର୍ଡିନାନ୍ସ ବୋଲି କହିଥିଲେ ରାହୁଲ ଗାନ୍ଧୀ।
ସେତେବେଳେ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ମତକୁ ମଧ୍ୟ ୟୁପିଏ ସରକାର ଗୁରୁତ୍ଵ ଦେଉଥିଲେ। ତେଣୁ ଏହି ଅର୍ଡିନାନ୍ସକୁ ରାଷ୍ଟ୍ରପତିଙ୍କ ବିନା ମୋହରରେ ପୁଣି ଫେରାଇ ଅଣାଯାଇଥିଲା।
ଯଦି ସେଦିନ ରାହୁଲ ଗାନ୍ଧୀ ଏହି ଅର୍ଡିାନ୍ସକୁ ନନସେନ୍ସ ବୋଲି କହି ନ ଥାନ୍ତେ। ତେବେ ପରବର୍ତ୍ତୀ ସମୟରେ ଏହି ଅର୍ଡିନାନ୍ସକୁ ବିଲ୍ ଭାବେ ଆଗତ କରି ଆଇନରେ ପରିଣତ କରିଥାନ୍ତା ୟୁପିଏ ସରକାର। ଏହାକୁ ରାହୁଲଙ୍କ ଅପରିପକ୍ଵତା ବୋଲି ରାଜନୀତି ବିଶାରଦମାନେ କହିଥିଲେ।
ଏଥିପାଇଁ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ସୁରକ୍ଷା ମିଳି ପାରି ନ ଥିଲା। ତାଙ୍କୁ ଜେଲ୍ ଦଣ୍ଡ ହେବା ପରେ ସେ ସାଂସଦ ପଦରୁ ବିଦା ହେବା ସହ ନିର୍ବାଚନ ଲଢ଼ିବା ଓ ଭୋଟ୍ ଦେବାର ଅଧିକାର ମଧ୍ୟ ହରାଇଥିଲେ। ଏଥିରେ ତାଙ୍କର ପ୍ରତ୍ୟକ୍ଷ ରାଜନୈତିକ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା।
ପୂର୍ବରୁ ୧୧ ଜଣ ହରାଇଛନ୍ତି ପଦ
୨୦୧୩ରେ ଲାଲୁ ପ୍ରସାଦ ଯାଦବଙ୍କ ସାଂସଦ ପଦ ଯିବା ସହିତ ୧୧ବର୍ଷ ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲାଗିଯାଇଥିଲା। ଭାରତୀୟ ଜନପ୍ରତିନିଧି ଆଇନର ସମ୍ପୃକ୍ତ ଅଂଶକୁ ସୁପ୍ରିମକୋର୍ଟ ଅବୈଧ କରିଦେବା ପରଠାରୁ ୧୧ ଜଣ ଲୋକପ୍ରତିନିଧି ସେମାନଙ୍କ ପଦ ହରାଇଛନ୍ତି। ଲାଲୁଙ୍କ ସମେତ, ପପୁ କଲାନୀ, ଜଗଦୀଶ ଶର୍ମା, ରଶିଦ ମାସୁଦ, ଆଶାରାନୀ, ଏନସ ଏକ୍କା, ବବନରାଓ ଗ୍ୟାଲୋପ, ଟିଏମ୍ ସେଲଭାଗନପଥୀ, ସୁରେଶ ହଲଭାନକର, କମଲ କିଶୋର ଓ ଜୟଲଳିତାଙ୍କ ପଦ ଏଥିପାଇଁ ଅସିଦ୍ଧ ହୋଇଯାଇଥିଲା।
ରାହୁଲଙ୍କ ବିରୋଧରେ ଥିଲା ଅନେକ ଅସନ୍ତୋଷ। ଏହି ନନ୍ସେନ୍ସ ଅର୍ଡିନାନ୍ସ ପ୍ରସଙ୍ଗ ହେଉ କି ଅନେକ ରାଜନୈତିକ ପ୍ରସଙ୍ଗରେ ରାହୁଲ ଏକୁଟିଆ ନିଷ୍ପତ୍ତି ନେଉଥିଲେ ବୋଲି ଅଭିଯୋଗ ରହିଛି। ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡ଼ିବା ବେଳେ ବେଶୀ ମୁହଁ ଖୋଲି ନ ଥିଲେ ମଧ୍ୟ ରାହୁଲଙ୍କୁ ନେଇ କିଛି ମନ୍ତବ୍ୟ ଦେଇଥିଲେ।
ରାହୁଲ ନିଜର ବ୍ୟକ୍ତିଗତ ଇଚ୍ଛା ଓ ମତକୁ ଦଳ ଉପରେ ଲଦୁଥିଲେ। ସେ କଂଗ୍ରେସ ପରିଚାଳନାକୁ ପ୍ରତ୍ୟକ୍ଷ ଭାବେ ଆସିବା ପରେ ଦଳରେ କୌଣସି ପ୍ରସଙ୍ଗରେ ବିଚାର କରାଯିବା ବନ୍ଦ ହୋଇଯାଇଥିଲା। ରାହୁଲଙ୍କ ନନ୍ସେନ୍ସ ଅର୍ଡିନାନ୍ସକୁ ନେଇ ମଧ୍ୟ ସେ ସେତେବେଳେ ଆପତ୍ତି ଜଣାଇଥିଲେ ବୋଲି କହିଥିଲେ ଗୁଲାମନବୀ।
ଗୁଲାମନବୀଙ୍କ ଛଡ଼ା କଂଗ୍ରେସର ଅନେକ ଅସନ୍ତୁଷ୍ଟ ବରିଷ୍ଠ ନେତା ମଧ୍ୟ ରାହୁଲଙ୍କ ଆଚରଣକୁ ନେଇ ଆପତ୍ତି ଉଠାଇଥିଲେ। ଏହାପରେ ଧୀରେଧୀରେ ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡ଼ିଥିବା ଚର୍ଚ୍ଚା ହୁଏ।
କିଛି ଦିନ ତଳେ ରାହୁଲ ବିଦେଶ ଗସ୍ତରେ ଥିବାବେଳେ ଭାରତୀୟ ଗଣତନ୍ତ୍ର ଉପରେ ବୟାନ ଦେଇଥିଲେ। ଏହି ବୟାନକୁ ନେଇ ରାହୁଲ ଅଡୁଆରେ ପଡ଼ିଥିଲେ। ସଂସଦରେ ରାହୁଲ କ୍ଷମା ମାଗିବା ଦାବିରେ ବିଜେପି ଅଡ଼ି ବସିଛି। ଏହି ପ୍ରସଙ୍ଗକୁ ନେଇ ଏବେ କିଛିଦିନ ହେଲା ସଂସଦ ସୁରୁଖୁରୁରେ ଚାଲି ପାରୁନାହିଁ। ଏଣିକି ରାହୁଲଙ୍କୁ ଜେଲ୍ଦଣ୍ଡାଦେଶ ବିଜେପି ପାଇଁ ସମାଲୋଚନାର ଆଉ ଏକ ବଡ଼ ସୁଯୋଗ ଆଣିଛି। ଯଦି ରାହୁଲଙ୍କ ସାଂସଦ ପଦ ଚାଲିଯାଏ ତେବେ ବିଜେପି ପାଇଁ ଏହା ଏକ ବଡ଼ ରାଜନୈତିକ ବିଜୟ ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
Tags: #RahulGandhi #DefamationCase #SuratCourt #MemberofParliament