ବିଜୁ ପଟ୍ଟନାୟକ
‘ବୁଲାନିଶା’ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ନିଜ ଭ୍ରମଣର ଅନୁଭୂତି। ଏହି ଲେଖାଟି ୧୯୩୪ ମସିହାରେ ପ୍ରସିଦ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକାର ୩୮ଶ ଭାଗ, ତୃତୀୟ ଓ ଚତୁର୍ଥ ସଂଖ୍ୟାରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା। ଏହା ହେଉଛି ବିଜୁବାବୁ ରେଭେନ୍ସାରେ ପଢ଼ିଲା ବେଳେ କିଛି ସହପାଠୀଙ୍କୁ ନେଇ କଟକରୁ ପେଶାୱାର (ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ) ଯେଉଁ ସାଇକେଲ ଯାତ୍ରା କରିଥିଲେ, ତା’ର ଦୁଃସାହସିକ କାହାଣୀ।
ଆମକୁ ଖରାଛୁଟି ତିନି ମାସ ମିଳେ। ବୁଲାବୁଲି କରିବା ପାଇଁ ଏହି ଛୁଟିଟା ଆମ ପକ୍ଷରେ ସବୁଠାରୁ ଉପଯୁକ୍ତ ସମୟ। ସୁତରାଂ କାଳ ବିଳମ୍ବ ନ କରି ଏହି ଛୁଟିରେ ଗୋଟାଏ ସାଇକେଲ ଗସ୍ତ କରିବାକୁ ମନସ୍ଥ କଲୁ। ଅନେକଙ୍କୁ ଅନୁରୋଧ କରାଗଲା; କିନ୍ତୁ ମୋର ଜଣେ ସହପାଠୀ ଓ ଆଉ ଜଣେ ବନ୍ଧୁ ଛଡ଼ା ଅନ୍ୟ କେହି ରାଜି ହେଲେ ନାହିଁ। ଯଦିବା କେହି କେହି ମୁଣ୍ଡଟାକୁ ହୁଁ ଭାବରେ ଟୁଙ୍ଗାରିଲେ, ତା’ ପରଦିନ ଘରୁ ପଚାରିବା ପରେ ମୁଣ୍ଡଟା ଅନ୍ୟପ୍ରକାର ହଲିବାକୁ ଲାଗିଲା। କାରଣ ବୋଧହୁଏ ମୋର ବନ୍ଧୁବର୍ଗଙ୍କ ପିତାମାତା ବାଟଯାକ ବାଘ, ଭାଲୁ ଓ ଡକାଏତଙ୍କର ଦୃଶ୍ୟ ମନଶ୍ଚକ୍ଷୁରେ ଦେଖିଥିବେ। ଏ ସବୁ ଉପରେ ଖରାମାଡ଼ ତ ଅଛି।
ଏ ସମସ୍ତ ପ୍ରତି ଦୃକ୍ପାତ ନ କରି ଆମେ ତିନିଜଣ ସାଇକେଲ୍ରେ ପେଶୋୟାର ପର୍ଯ୍ୟନ୍ତ ଯିବା ସ୍ଥିର କଲୁ। ରାସ୍ତାଘାଟ କିଛି ଜଣାନଥାଏ। କେବଳ ସାମାନ୍ୟ ଟିକିଏ ଆଭାସ ପାଇଥିଲୁ। କନିକାର ଯୁବରାଜ ସାହେବ, ଅଧ୍ୟାପକ ପ୍ରାଣକୃଷ୍ଣ ପରିଜା ଓ ଅଧ୍ୟାପକ କୃପାନାଥ ମିଶ୍ର ଏ ବିଷୟରେ ଆମ୍ଭମାନଙ୍କୁ ଯଥେଷ୍ଟ ଉତ୍ସାହ ଦେଇଥିଲେ। ଆମ୍ଭେମାନେ କଟକ ଆଥ୍ଲେଟିକ୍ ଆସୋସିଏସନକୁ କିଛି ଅର୍ଥ ସାହାଯ୍ୟ ମାଗିଥିଲୁ; କିନ୍ତୁ ସେମାନେ ବିଶେଷତଃ କେତେଜଣ ବିଶିଷ୍ଟ ସଭ୍ୟ ଏପରି ସାହାଯ୍ୟକୁ ‘Unnecessary expense’ ନାମରେ ଅଭିହିତ କରିବାରୁ, ସେଠାରୁ କୌଣସି ସାହାଯ୍ୟ ପାଇନାହୁଁ।
ମଇ ପହିଲା। ଯଥା ସମୟରେ ମାଜିଷ୍ଟ୍ରେଟଙ୍କଠାରୁ ସାର୍ଟିଫିକେଟ୍ ପ୍ରଭୃତି ଘେନି ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଆୟୋଜନ କରି ମଇ ପହିଲା ଦିନ ସକାଳେ ଯୋବ୍ରା ଘାଟଠାରେ ଉପସ୍ଥିତ ହେଲୁ। ବିଦାୟ ଦେବା ପାଇଁ କେତୋଟି ବନ୍ଧୁ ଆସିଥିଲେ। ସେମାନଙ୍କ ସହିତ କିଛିକ୍ଷଣ କଥାବାର୍ତ୍ତା କରି ଚିଠିପତ୍ର ଲେଖିବାକୁ ପ୍ରତିଶ୍ରୁତି ହୋଇ ପଥରବନ୍ଧ ଉପରେ ସାଇକେଲ ଧରି ଚାଲିବାକୁ ଲାଗିଲୁ। ବୋଝଲଦା ହୋଇଥିବାରୁ ସାଇକେଲଗୁଡ଼ିକ ବହୁତ ଭାରି ହୋଇ ଯାଇଥାଏ। କିଛି କ୍ଷଣ ଚାଲିବା ପରେ ନଈ ଆରପାଖରେ ପହଞ୍ଚିଲୁ। ସେଠାରୁ ଥରେ କଟକ ପ୍ରତି ସତୃଷ୍ଣ ନୟନରେ ଅନାଇ ଡୋଲିପୁର (ଯାଜପୁର ରୋଡ୍) ଅଭିମୁଖରେ ଯାତ୍ରା କଲୁ।
କଟକରୁ ଡୋଲିପୁର ମଧ୍ୟରେ ଚାରୋଟି ନଈ ପଡେ। ଯଥା- ମହାନଦୀ, ବିରୁପା, ବ୍ରାହ୍ମଣୀ ଓ ଖରସୁଆ। ମହାନଦୀ ପାରହୋଇ ତିନି ମାଇଲ ଯିବା ପରେ ଡଙ୍ଗାରେ ବିରୁପା ନଦୀକୁ ସାଇକେଲ ସହିତ ପାରହେଲୁ। ସେଠି ଜଗନ୍ନାଥ ସଡ଼କ ଧରି ୩୦ ମାଇଲ୍ ଯିବା ପରେ ଧର୍ମଶାଳା ନାମକ ଗୋଟିଏ ଗାଁ ପଡ଼ିଲା। ଏହି ଗାଁଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ନଦୀ କୂଳରେ ପହଞ୍ଚି ଦେଖିଲା ବେଳକୁ ବିନ୍ଦୁ ମାତ୍ର ପାଣି ନାହିଁ, ଖାଲି ବାଲି ପଡ଼ିଛି। ଅନନ୍ୟୋପାୟ ହୋଇ ସାଇକେଲ୍ ଧରି ବାଲି ଭିତରେ ଚାଲିବାକୁ ହେଲା। ସେତେବେଳକୁ ଦିନ ୧୨ଟା: ସୁତରାଂ ତତଲା ବାଲି ଉପରେ ଚାଲିବା ଯେ କିପରି ଆରାମଦାୟକ, ତାହା ପାଠକ ମାତ୍ରକେ ଅନୁଭବ କରୁଥିବେ।
ବୋଝ ଉପରେ ନଳିତା ବିଡ଼ା, ବହୁକଷ୍ଟରେ ନଈ ଆରପଟରେ ପହଞ୍ଚି ରାସ୍ତା ନ ପାଇବାରୁ ଗୋଟିଏ ପଥିକକୁ ଡୋଲିପୁରକୁ ଯିବାର ରାସ୍ତା ପଚାରିଲୁ। ତଦୁତ୍ତରରେ ସେ ଯାହା କହିଲା ତାହା ଶୁଣି ବିଶେଷ ସୁଖବୋଧ କଲୁନାହିଁ। କାରଣ ରାସ୍ତା ଦେଖାଇବା ପରିବର୍ତ୍ତରେ ସେ କହିଲା ଯେ, ଆମକୁ ଆହୁରି ୭ ମାଇଲ୍ ସମ୍ମୁଖସ୍ଥ ବାଲିରପଠା ଭିତର ଦେଇ ଯିବାକୁ ପଡ଼ିବ। ଆଉ ଦ୍ୱିରୁକ୍ତି ନକରି, କାନମୁଣ୍ଡ ଆଉଁସି ଚାଲିବାକୁ ଆରମ୍ଭ କଲୁ। ୨ ଘଣ୍ଟା ଏପରି ଭାବରେ ଚାଲିବା ପରେ ପଠାଟାକୁ ପାରହେଲୁ। କିଛି ଦୂର ନ ଯାଉଣୁ ପୁଣି ଗୋଟାଏ ନଈ ଦେଖାଦେଲା। ଏଇଟା ହେଉଛି ଖରସୁଆ। ଅଧା ନଈ ଡଙ୍ଗାରେ ପାରିହୋଇ ଓ ଆଉ ଅଧେ ବାଲିରେ ଚାଲିଚାଲି ଏଇ ନଈଟାକୁ ପାର ହେଲୁଁ।
ଏଣିକି ସବୁ ଭଲ, ପକ୍କା ରାସ୍ତା, ଡୋଲିପୁରର ଦୂରତ୍ୱ ଆଉ ୯ ମାଇଲ ଦେଖି ମନଟା ବେଶ୍ ତାଜା ହୋଇଉଠିଲା। କିନ୍ତୁ ‘କମ୍ଲି ଛୋଡତା ନେହିଁ’। ମାଇଲିଏ ଖଣ୍ଡେ ଯିବା ପରେ ଭୀଷଣ ଝଡ଼ ସଙ୍ଗେ ବର୍ଷା ଆରମ୍ଭ ହେଲା। କପାଳକୁ ଗୋଟାଏ ଝଙ୍କା ବରଗଛ ମିଳିଗଲା। ତା’ରି ତଳେ ବସି ଆମେ ନିଶ୍ଚିନ୍ତ ଭାବରେ ଗପସପ ଆରମ୍ଭ କରିଦେଲୁ। ଭୋକରେ ପେଟ ବୋବେଇଲାଣି; କିନ୍ତୁ ଡୋଲିପୁର ପହଞ୍ଚିବା ଆଗରୁ ନାଚାର। କିଛିକ୍ଷଣ ପରେ ବର୍ଷା ଛାଡ଼ି ଯିବାରୁ ଅଧାତିନ୍ତା ଅବସ୍ଥାରେ ପୁଣି ସାଇକେଲ୍ ଚଳାଇବାକୁ ଲାଗିଲୁ ଓ ପ୍ରାୟ ୫ଟା ବେଳକୁ ଡୋଲିପୁରର ଡିଷ୍ଟ୍ରିକ୍ଟ ବୋର୍ଡ ଡାକବଙ୍ଗଳାରେ ଉପସ୍ଥିତ ହେଲୁ। ସକାଳୁ ସେ ପର୍ଯ୍ୟନ୍ତ ପେଟରେ ଓଦାକନା ପକାଇ ଚାଲିଥିଲୁ; ସୁତରାଂ ଏଠି ଆସି ଗ୍ରୋଗ୍ରାସ। ରାତିଟା ବଙ୍ଗଳାରେ କଟାଇବାକୁ ସ୍ଥିର କଲୁ।
ମଇ ୨ ତାରିଖ। ସକାଳୁ ଉଠି ଦାନ୍ତ ପତ୍ର ଘଷି, ବିଛଣାପତ୍ର ବନ୍ଧାବନ୍ଧି କରି କେନ୍ଦୁଝର ଗଡ଼ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲୁ। ପ୍ରାୟ ୨୫ ମାଇଲ୍ ଯିବା ପରେ ଆନନ୍ଦପୁର ଗାଁ ପଡ଼ିଲା। ଜଳଯୋଗ କରିବା ଆଶାରେ ସେଠାରେ S.D.O.ଙ୍କ ଘରେ ପହଞ୍ଚିଲୁ। ଓଡ଼ିଆ ଭଦ୍ରଲୋକ ଆମକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ ଓ ସଙ୍ଗେ ସଙ୍ଗେ ଆମର ଜଳଖିଆ ବନ୍ଦୋବସ୍ତ କରିବାକୁ କହିଲେ। ଆମେ ତାଙ୍କୁ ସେଠାରୁ କେନ୍ଦୁଝରର ଦୂରତା, ରାସ୍ତାଘାଟ କଥା ପଚାରିଲୁ। ସଂକ୍ଷେପରେ ସେ ଯାହା ଉତ୍ତର ଦେଲେ ଆମର ବିଶେଷ କିଛି ମନେ ହେଲାନାହିଁ। କିନ୍ତୁ ତାକୁ ଶୁଣିବା ଓ ନିଜେ ପରଖି ଦେଖିବା ଭିତରେ କେତେ ଦୂର ପାର୍ଥକ୍ୟ, ତାହା ଶୀଘ୍ର ବୁଝିପାରିଲୁ।
ସେଠାରୁ ବାହାରୁ ବାହାରୁ ୮ଟା ବାଜିଗଲା। ଆନନ୍ଦପୁରରୁ କେନ୍ଦୁଝର ୪୦ ମାଇଲ୍ ଦୂର। ଗାଁ ପାର ହେଲାକ୍ଷଣି ଅଳ୍ପ ଅଳ୍ପ ଜଙ୍ଗଲ ପଡ଼ିଲା। ତାକୁ ଦେଖି ଭାବିଲୁ ଯେ, ବାଟଯାକ ସେହିପରି ହୋଇଥିବ। କିନ୍ତୁ ଦଶମାଇଲ ଖଣ୍ଡେ ଯିବା ପରେ ଅସଲ ଜଙ୍ଗଲ ଆରମ୍ଭ ହେଲା। ସଙ୍ଗେ ସଙ୍ଗେ ପାହାଡ଼ ଉଠାଣି ପଡ଼ିଲା। ମଝିରେ ମଝିରେ ଓହ୍ଲାଇ ଚାଲିବାକୁ ହେଲା। ଏହିପରି ଭାବରେ ଗୋଟାଏ ବେଳକୁ ଆମେ କେବଳ ୨୦ ମାଇଲ୍ ଅତିକ୍ରମ କଲୁ। ଏତେବେଳକୁ ପଥର ତାତି ନିଆଁ ହୋଇଗଲାଣି; ରାସ୍ତାରେ ଗୋଟାଏ ଲୋକ ନାହିଁ କି ଜଙ୍ଗଲ ଭିତରେ ଗାଁ ଗଣ୍ଡା ବି ଦିଶିଲା ନାହିଁ। ପାଣି ଯାହା ଟିକିଏ ଥିଲା ତାହା ବି ସରିଗଲା।
ଏଣେ ପାହାଡ଼ ଖାଲି ଉଠିବାରେ ଲାଗିଛି। ଗୋଟାଏ ବାଙ୍କ ବୁଲିଲା ବେଳକୁ ମନେକଲୁ ଯେ ଏଥରକ ଗଡ଼ାଣିଆ ପଡ଼ିବ। ବାଙ୍କ ଟପିଲା ବେଳକୁ ଯେଉଁ ଉଠାଣିକୁ ସେହି ଉଠାଣି। ଏ ସବୁ ଉପରେ ପୁଣି ବାଘ, ହାତୀର ଡର। ବାଘ ମାରିବା ସକାଶେ ରାସ୍ତାକରରେ ମଞ୍ଚା ସବୁ ଦେଖି ଆମ ପ୍ରାଣ ଏକାବେଳକେ ଥଣ୍ଡା। ପରିଶ୍ରାନ୍ତ ଦେହଟାକୁ କୌଣସି ପ୍ରକାର ଟାଣିଟୁଣି ନେଇ ୩/୪ ମାଇଲ ଚାଲି ଚାଲି ପାହାଡ଼ର ଚୂଡ଼ାରେ ପହଞ୍ଚିଲୁଁ। ଏହାର ଉଚ୍ଚତା ଡୋଲିପୁରର ଉଚ୍ଚତାଠାରୁ ୧୮୦୦ ଫୁଟ୍ ବେଶି। ସେଠାରୁ କିଛି କ୍ଷଣ ସାଇକେଲ୍ ଚଳାଇ ପ୍ରାୟ ୨ଟା ବେଳକୁ ‘ଘଟକା’ ନାମକ ଗୋଟିଏ ସ୍ଥାନରେ ପହଞ୍ଚିଲୁ। ଏଠି କେଉଁଝର ରଜାଙ୍କର ଗୋଟାଏ ବଙ୍ଗଳା ଅଛି। ସେଠି କିଛି କ୍ଷଣ ବିଶ୍ରାମ କରି ପାଣି ପିଇ ଗଡ଼ଆଡକୁ ସାଇକେଲ୍ ଚଳାଇଲୁ। ଗଡ଼ାଣିଆ ରାସ୍ତା ପାଇବାରୁ ଅଳ୍ପ ଆୟାସରେ ପ୍ରାୟ ୫ଟା ବେଳକୁ ଗଡ଼ରେ ପହଞ୍ଚିଲୁ। ବାଟରେ ରଜାଙ୍କ ସଙ୍ଗେ ଦେଖା ହୋଇଥିଲା। ସେ ଶିକାର କରିବା ପାଇଁ ଲଟବହର ନେଇ ମୋଟରରେ ଯାଉଥିଲେ।
ଗଡ଼ରେ ପହଞ୍ଚି ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସଙ୍ଗେ ଦେଖା କଲୁ ଓ ତାଙ୍କରି ଘରେ ରହିବା ସ୍ଥିର ହେଲା। ସେଠି ଲୁଗାପଟା ବଦଳାଇ ଗଡ଼ ଦେଖି ବାହାରିଲୁ। ରାସ୍ତାଗୁଡ଼ିକ ପ୍ରଶସ୍ତ ଓ ପରିଷ୍କୃତ। ରାଜପ୍ରାସାଦଟି ସୁବୃହତ୍ ଓ ଅତିଥିମାନଙ୍କ ପାଇଁ ଗୋଟିଏ ସୁନ୍ଦର ଅଟ୍ଟାଳିକା ଅଛି। ଅଧିବାସୀ ଅଧିକାଂଶ ଅଶିକ୍ଷିତ।
ମଇ ୩ ତାରିଖ। ସକାଳୁ ଉଠି ନିତ୍ୟକର୍ମ ସାରି ସାମାନ୍ୟ ଟିକିଏ ଜଳଖିଆ କରି ଚାଇଁବସା ଅଭିମୁଖରେ ଯାତ୍ରା କଲୁ। ରାସ୍ତା ଅସମତଳ ହେଲେ ମଧ୍ୟ ପ୍ରାୟ ବେଶି ଭାଗ ଗଡ଼ାଣିଆ ପାଇଲୁ। ରାସ୍ତାର ଦୁଇ ପାଖରେ ଅଳ୍ପ ଅଳ୍ପ ଜଙ୍ଗଲ ଥାଏ। ପ୍ରାୟ ୩୨ ମାଇଲ୍ ଯିବା ପରେ ଚମ୍ପୁଆ ନାମକ ଗୋଟିଏ କ୍ଷୁଦ୍ର ଲୋକାଳୟରେ ପହଞ୍ଚିଲୁ। ଏଠାରେ Eastern States Forest School ନାମରେ ଗୋଟିଏ ଅଧିଷ୍ଠାନ ଅଛି। ଆମେ ଏହି ସ୍କୁଲର ସୁପରିଣ୍ଟେଣ୍ଡେଣ୍ଟଙ୍କ ସଙ୍ଗେ ଦେଖା କରିବାରୁ ସେ ଆମର ଖାଇବାର ଓ ଦ୍ୱିପ୍ରହରଟା ବିଶ୍ରାମ କରିବାର ବନ୍ଦୋବସ୍ତ କରିଦେଲେ।
ଏହି ସ୍କୁଲରେ ଓଡ଼ିଶାର ଜଙ୍ଗଲ ବିଭାଗ ସମ୍ବନ୍ଧୀୟ ଯାବତୀୟ ଶିକ୍ଷା ଦିଆଯାଏ। ଏଠାରେ ଗୋଟିଏ ମ୍ୟୁଜିୟମ୍ ଅଛି। ଏହି ମ୍ୟୁଜିୟମରେ ଜଙ୍ଗଲର ସର୍ବପ୍ରକାର ଉତ୍ପନ୍ନ ଦ୍ରବ୍ୟ ଦେଖିଲୁ। ବହୁପ୍ରକାର କାଠ, ଔଷଧ, ନାନା ପ୍ରକାର ଖଣିଜ ଦ୍ରବ୍ୟ ସ୍ତରେ ସ୍ତରେ ସଜ୍ଜିତ ରହିଅଛି। ଆହୁରି ମଧ୍ୟ ବିଭିନ୍ନ ପ୍ରକାର ଜନ୍ତୁମାନଙ୍କର ମୃତଦେହ, ଭିନ୍ନ ଭିନ୍ନ ରଙ୍ଗ ଓ ସୂତା ଦେଖିବାକୁ ପାଇଲୁ। ଏହି ସ୍କୁଲଟି ବେଶ୍ ଉନ୍ନତ ଧରଣର। ଏହାର ଛାତ୍ର ସମସ୍ତେ ଓଡ଼ିଆ। ସୁପରିଣ୍ଟେଣ୍ଡେଣ୍ଟ ମହାଶୟ ଗଲାବେଳକୁ ଆମକୁ ବହୁତ ଉପଦେଶ ଦେଲେ ଓ ଲାହୋରରେ ରହିବା ପାଇଁ ତାଙ୍କର ଜଣେ ଆତ୍ମୀୟଙ୍କ ପାଖକୁ ଖଣ୍ଡେ ଚିଠି ଦେଲେ।
ତାଙ୍କର ଆତିଥେୟତା ପ୍ରଶଂସନୀୟ। ସେଠାରୁ ୩ଟା ବେଳକୁ ବାହାରି ପ୍ରାୟ ସନ୍ଧ୍ୟାବେଳକୁ ଆମେ ଚାଇଁବସାରେ ପହଞ୍ଚିଲୁ ଓ ସେହିଠାରେ ରାତିଟା କଟାଇବା ସ୍ଥିର କଲୁ। ଏହାର ଅଧିବାସୀ ଅଧିକାଂଶ ବଙ୍ଗାଳୀ। ଏପରିକି ଓଡ଼ିଆ ପଦବୀଧାରୀ ଭଦ୍ରବ୍ୟକ୍ତିଗଣ ମଧ୍ୟ ବଙ୍ଗଳା କଥା କହିଥାନ୍ତି ଓ ନିଜକୁ ବଙ୍ଗାଳୀ ବୋଲି ପରିଚୟ ଦେବାକୁ ଲଜ୍ଜିତ ନୁହନ୍ତି। ଚାଇଁବସା ସହରଟା ଅତ୍ୟନ୍ତ ଅପରିଷ୍କାର।
କିଛି କ୍ଷଣ ପରେ ଗାନ୍ଧୀ ସଦଳବଳରେ ଆସି ଉପସ୍ଥିତ ହେଲେ। ଜୀବନରେ ମୋର ଏହି ପ୍ରଥମ ଗାନ୍ଧୀ ଦର୍ଶନ। କିନ୍ତୁ ଛବିରେ ଦେଖି ଦେଖି ତାଙ୍କ ଆକୃତି ମନରେ ଏପରି ଭାବରେ ବସି ଯାଇଥିଲା ଯେ, ନୂଆ କିଛି ଦେଖିଲେ ବୋଲି ମନେ ହେଲାନାହିଁ।
ମଇ ୪ ତାରିଖ। ସକାଳ ପ୍ରାୟ ୫ଟା ବେଳକୁ ଆମେ ଯାତ୍ରା ଆରମ୍ଭ କଲୁ ଓ ପ୍ରାୟ ୭ଟା ବେଳେ ଚକ୍ରଧରପୁରରେ ଆସି ପହଞ୍ଚିଲୁ। ସେଦିନ ସେଠି ଗାନ୍ଧୀଙ୍କ ଆସିବା କଥା ବୋଲି ବହୁତ ଲୋକ ଜମା ହୋଇଥିଲେ। ସେଠାରେ ଜଣେ ପରିଚିତ ଓଡ଼ିଆ ଭଦ୍ରଲୋକଙ୍କ ବସାରେ ଯାଇ ସ୍ନାନ ଓ ଭୋଜନ ପରେ ଗାନ୍ଧୀଙ୍କୁ ଦେଖିବା ଆଶାରେ ବାହାରିଲୁ। କିଛିକ୍ଷଣ ପରେ ଗାନ୍ଧୀ ସଦଳବଳରେ ଆସି ଉପସ୍ଥିତ ହେଲେ। ଜୀବନରେ ମୋର ଏହି ପ୍ରଥମ ଗାନ୍ଧୀ ଦର୍ଶନ। କିନ୍ତୁ ଛବିରେ ଦେଖି ଦେଖି ତାଙ୍କ ଆକୃତି ମନରେ ଏପରି ଭାବରେ ବସି ଯାଇଥିଲା ଯେ, ନୂଆ କିଛି ଦେଖିଲେ ବୋଲି ମନେ ହେଲାନାହିଁ।
ମୋଟର ଭିତରେ ସେହିପରି ଭାବରେ ହାତ ଉପରେ ଭାରଦେଇ ବସିଥିଲେ। ବାହାରେ ଏତେ ଲୋକଙ୍କର ଉଲ୍ଲାସଧ୍ୱନି; କିନ୍ତୁ କୌଣସି ଆଡେ ଭ୍ରୁକ୍ଷେପ ନାହିଁ, ଯେପରିକି କୌଣସି ଗଭୀର ଚିନ୍ତାରେ ନିମଗ୍ନ। ଚକ୍ରଧରପୁରରେ ସେ ହରିଜନ ସମ୍ବନ୍ଧରେ ଗୋଟିଏ କ୍ଷୁଦ୍ର ବକ୍ତୃତା ଦେଲେ ଓ କିଛି ଚାନ୍ଦା ଉଠାଇବା ପରେ ପୁଣି ମୋଟରରେ ବସି ଚାଲିଗଲେ, ବୋଧହୁଏ ଜାମ୍ସେଦପୁର ଆଡକୁ।
ଏଣେ ଗାନ୍ଧୀ ଦର୍ଶନ ହେଲା; କିନ୍ତୁ ରାଞ୍ଚି ରାସ୍ତାରେ ଭୀଷଣ ଜଙ୍ଗଲ ଯାଏ କୁଆଡେ। ସୁତରାଂ ତରତର ହୋଇ ବେଶଭୂଷା କରି ଜିନିଷପତ୍ର ବାନ୍ଧି ୧୨ଟା ବେଳକୁ ଚକ୍ରଧରପୁରରୁ ବାହାରିଲୁ। ସେଠାରୁ ରାଞ୍ଚି ୭୫ ମାଇଲ୍। ଏତିକିବେଳେ ଅତ୍ୟନ୍ତ ଗରମ ପବନ ବିପରୀତ ଦିଗରୁ ବହିବାକୁ ଲାଗିଲା। ସାଇକେଲ୍ ଚଳାଇବାକୁ ଅତ୍ୟନ୍ତ କଷ୍ଟ ହେଲା ସତ; କିନ୍ତୁ କ’ଣ କରାଯିବ!
ଚକ୍ରଧରପୁରରୁ ୧୨ ମାଇଲ୍ ଗଲା ପରେ ଗୋଟିଏ ମୋଟରରେ ଜଣେ ଓଡ଼ିଆ ଭଦ୍ରଲୋକ ଆସି ଆମକୁ ଅଟକାଇଲେ। ସେ ଆମ୍ଭମାନଙ୍କୁ କିଛି ଖାଇବା ଜିନିଷ ସାଙ୍ଗରେ ଦେଲେ ଓ ନାମଧାମ ପଚାରିଲେ। ସେ ହେଉଛନ୍ତି ଜଣେ ଫରେଷ୍ଟ ଅଫିସର। ଏହିଠାରୁ ଆମର ଓଡ଼ିଆ କଥାବାର୍ତ୍ତା ଶେଷ ହୋଇଗଲା। ପେଶୋୟାର ପର୍ଯ୍ୟନ୍ତ ଆଉ ବାହାର ଲୋକ କାହାରି ସଙ୍ଗେ ଓଡ଼ିଆ କଥା କହିନାହୁଁ।
ସେଠାରୁ ୫ ମାଇଲ ଯିବାପରେ ବନ୍ୟଜନ୍ତୁ ପାଇଁ ପ୍ରସିଦ୍ଧ ‘Tebo’ ପାହାଡ଼ ଆରମ୍ଭ ହେଲା। ରାସ୍ତା ଯଦିବା ଅତ୍ୟନ୍ତ ଭଲ, କିନ୍ତୁ ବୁଲି ବୁଲି ଯାଇଥିବାରୁ ଅତ୍ୟନ୍ତ ବିପଦଜନକ। ସାଇକଲ୍ ଚଳାଇବାରେ ଅସମର୍ଥ ହୋଇ ଚାଲିବାକୁ ଆରମ୍ଭ କଲୁ ଓ ଅବଶେଷରେ ସନ୍ଧ୍ୟାର ଟିକିଏ ଆଗରୁ ଗୋଟିଏ ଡାକବଙ୍ଗଳାରେ ପହଞ୍ଚିଲୁ। ଏହି ଡାକବଙ୍ଗଳାଟି ଜଣେ ଫରେଷ୍ଟ ଅଡିଟର୍ ଅଧିକାର କରି ବସିଥିଲେ। ସେ ଜଣେ ସାହେବ। ଆମକୁ ଡାକି ଚାହା ଖୁଆଇ ଅନେକ ବିଷୟ ପଚାରିଲେ ଏବଂ ଆମ ପାଇଁ ଗୋଟିଏ ବଖରା ଛାଡ଼ି ଦେବା ପାଇଁ ସମ୍ମତ ହେଲେ। କିନ୍ତୁ ଆମ୍ଭେମାନେ ୮ ମାଇଲ୍ ଦୂରରେ ଆଉ ଗୋଟିଏ ବଙ୍ଗଳା ଥିବା ଜାଣିପାରି ତାଙ୍କଠାରୁ ବିଦାୟ ନେଇ ପୁଣି ସାଇକେଲ ଚଳାଇଲୁ।
ଗଡାଣିଆ ରାସ୍ତା ପାଇ ସନ୍ଧ୍ୟାର ଟିକିଏ ପରେ ଉପରୋକ୍ତ ବଙ୍ଗଳାରେ ପହଞ୍ଚିଲୁ। ଏହି ସ୍ଥାନଟିର ନାମ ବନଗାଓଁ। ଏଠାରେ ଡାକ୍ତରଖାନାର ଡାକ୍ତର ଜଣେ ମାନ୍ଦ୍ରାଜୀ ଭଦ୍ରଲୋକଙ୍କ ସଙ୍ଗେ ଆଳାପ ହେଲା। ବଙ୍ଗଳାଟି ଗୋଟିଏ କ୍ଷୁଦ୍ର ପାହାଡ଼ର ଚୂଡ଼ାରେ ଅବସ୍ଥିତ। ସେଠାରେ ଚତୁଃପାର୍ଶ୍ୱର ଦୃଶ୍ୟ ଅତ୍ୟନ୍ତ ଚମତ୍କାର। ଏହିଠାରେ ରାତିଟା କଟାଇବାର ବନ୍ଦୋବସ୍ତ ହେଲା। ଏଠାରୁ ରାଞ୍ଚିର ଦୂରତ୍ୱ ୪୦ ମାଇଲ୍।
ମଇ ୫ ତାରିଖ। ସକାଳୁ ଉଠି ପୁଣି ସାଇକଲ୍ ଧରି ବାହାରିଲୁ। ଏଣିକି ରାସ୍ତା ଅପେକ୍ଷାକୃତ ସମତଳ। ଧୀରେ ଧୀରେ ସାଇକଲ୍ ଚଳାଇ ପ୍ରାୟ ୧୧ଟା ବେଳକୁ ରାଞ୍ଚିରେ ପହଞ୍ଚିଲୁ। ଏଠାରେ ଅନ୍ୟ କୌଣସିଠାରେ ରହିବାର ସୁବିଧା ନ ଦେଖି ଗୋଟିଏ ହୋଟେଲରେ ରହିଲୁ। ସେଠି ସ୍ଥାନୀୟ ପରିଚିତ ବନ୍ଧୁ କେତୋଟିଙ୍କ ସଙ୍ଗେ ଆମେ ରାଞ୍ଚିର ଦୃଶ୍ୟ ଦେଖିବାକୁ ବାହାରିଲୁ। ପ୍ରଥମେ Government House ପ୍ରଭୃତି ଦେଖି, ସହରର ବାହାରେ ମୁରାବାଦୀ ପାହାଡ଼ ଦେଖିବାକୁ ଗଲୁ।
ଏହି ପାହାଡ଼ଟି ଅତ୍ୟନ୍ତ ଛୋଟ ଓ ଏହାର ଚୂଡ଼ାରେ ଗୋଟିଏ ମନ୍ଦିର ଅଛି। କିନ୍ତୁ ସବୁଠାରୁ ବେଶି ଦୃଷ୍ଟି ଆକର୍ଷଣ କଲା ଗୋଟିଏ ପ୍ରାସାଦ। ଏହି ପ୍ରାସାଦଟି ପାହାଡ଼ଟିର ଉପରେ ନିର୍ମିତ। ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଭ୍ରାତା ସ୍ୱର୍ଗୀୟ ଜ୍ୟୋତିରୀନ୍ଦ୍ର ଠାକୁର ଏ ପ୍ରାସାଦଟିର ଅଧିକାରୀ। ଏହି ପାହାଡ଼ ଉପରେ ଆଉ ଗୋଟିଏ ଦର୍ଶନୀୟ ସ୍ଥାନ ଅଛି। ସେଇଟି ହେଉଛି ଗୋଟିଏ ବୃହଦାକାର ଗହ୍ୱର। ଏହି ଗହ୍ୱରରେ ବଙ୍ଗଳା ଚଳଚ୍ଚିତ୍ର ପ୍ରହ୍ଲାଦ ଆଂଶିକ ଭାବରେ ଅଭିନୀତ ହୋଇଥିଲା। ଏହି ପାହାଡ଼ ଚୂଡ଼ାରୁ ରାଞ୍ଚିର ଦୃଶ୍ୟ ଅତୀବ ମନୋହର।
ସେଠାରୁ ‘ପାଗଳ ଆଶ୍ରମ’ ଅତ୍ୟନ୍ତ କ୍ଷୁଦ୍ର ଦେଖାଯାଉଥିଲା। କିଛିକ୍ଷଣ ପରେ ପାହାଡ଼ରୁ ଓହ୍ଲାଇ ‘ପାଗଳ ଗାରଦ’ ଆଡକୁ ଚାହିଁଲୁ। ରାଞ୍ଚିରୁ ଏହା ୩ ମାଇଲ୍ ଦୂରରେ ଅବସ୍ଥିତ। ପାଗଳା ଗାରଦ ପ୍ରଭୃତି ଦେଖିସାରି ହୋଟେଲକୁ ଫେରି ଆସିଲୁ। ରାତିଟା ଆମୋଦରେ କଟିଗଲା।
ମଇ ୬ ତାରିଖ। ସକାଳୁ ଉଠି ସହର ଦେଖିବାକୁ ଗଲୁ। ରାସ୍ତାଗୁଡ଼ିକ ଅତ୍ୟନ୍ତ ପରିଷ୍କୃତ ଓ ଭଲ। ଅନେକ ଫଳ ଓ ଫୁଲ ବଗିଚା ଦେଖିଲୁ। ଅଧିବାସୀ ଅଧିକାଂଶ ବିହାରୀ। ବଙ୍ଗାଳୀ ସାହେବ ମଧ୍ୟ ବହୁତ। ଦୁଇ ତିନିଜଣ ପୁରାତନ ବନ୍ଧୁଙ୍କ ସଙ୍ଗେ ଦେଖାକରି ହୋଟେଲରୁ ଫେରିଆସି ଗାଧୁଆ ଓ ଖିଆପିଆ ସାରିଲୁ। ତା’ ପରେ ୨/୪ ଘଣ୍ଟା ବିଶ୍ରାମ କରି ବିଛଣାପତ୍ର ବନ୍ଧାବନ୍ଧି କରି ରାମଗଡ଼ ଆଡକୁ ବାହାରିଲୁ। ରାଞ୍ଚିରୁ ରାମଗଡ଼ ୨୮ ମାଇଲ୍ ଦୂର। ପ୍ରାୟ ୧୮ ମାଇଲ୍ ଯିବା ପରେ ଆମେ ୯ ମାଇଲ୍ ବ୍ୟାପି ଗୋଟାଏ ଗଡାଣିଆ ରାସ୍ତା ପାଇଲୁ।
ଏହି ରାସ୍ତାଟା Chttoopalu ପାହାଡ଼ ଉପରୁ ଗଡ଼ିଯାଇଛି। ଆମେ ଗୋଡ଼ ଚଳାଇବା ବନ୍ଦ କରି କେବଳ ବସି ରହିଲୁ, ଆଉ ଆମ ସାଇକଲ ଖୁବ୍ କମ୍ରେ ୨୫ ମାଇଲ୍ ବେଗରେ ଗଡ଼ିବାକୁ ଲାଗିଲା। କିଛିକ୍ଷଣ ପରେ ରାମଗଡ଼ରେ ପହଞ୍ଚିଲୁ। ସେଠି ଜଣେ ବିହାରୀ ଭଦ୍ରଲୋକ ଫରେଷ୍ଟ ଅଫିସରଙ୍କର କାର୍ଯ୍ୟ ଚଳାଉଥାନ୍ତି। ସେ ଆମ୍ଭମାନଙ୍କୁ ଦେଖି ଗୋଟିଏ ତମ୍ବୁ ପକାଇ ଦେଲେ ଓ ଆମର ଭୋଜନର ବିଶେଷ ବନ୍ଦୋବସ୍ତ କରିଦେଲେ। ରାତିଟା ତମ୍ବୁ ତଳେ ସୁଖରେ କଟିଗଲା।
ମଇ ୭ ତାରିଖ। ବାହାରିଲା ବେଳକୁ ୭ଟା ବାଜିଗଲା। ନିୟମିତ ଭାବରେ ସବୁ ବନ୍ଧାବନ୍ଧି ସାରି ହଜାରିବାଗ ଅଭିମୁଖରେ ଯାତ୍ରା କଲୁ। ବାଟଯାକ ଗଡ଼ାଣି ଆଉ ଉଠାଣି। ପହଂଚିବା ବେଳକୁ ଦିନ ୧୨ଟା। ସେଠି ଯାଇ କଲେଜ ହଷ୍ଟେଲରେ ଗୋଟିଏ ପୂର୍ବ ପରିଚିତ ଛାତ୍ର ପାଖରେ ରହିଲୁ। ହଜାରିବାଗରେ ପରିଚିତ ବନ୍ଧୁଙ୍କ ସଙ୍ଗେ ଦେଖାକରି Lakes ଦେଖିବାକୁ ଗଲୁ।
ଏହି କ୍ଷୁଦ୍ର ହ୍ରଦଗୁଡ଼ିକ ପ୍ରାକୃତିକ। ସନ୍ଧ୍ୟାର ଆଲୋକରେ ଅତ୍ୟନ୍ତ ସୁନ୍ଦର ଦେଖାଗଲା। ଏଠାରେ ପୋଲିସ୍ ଟ୍ରେନିଂ କଲେଜର ଜଣେ ଛାତ୍ର ଆମର ବନ୍ଧୁ। ସେ ଆମକୁ ନେଇ ପ୍ୟାରେଡ ଗ୍ରାଉଣ୍ଡ, ରାଇଡ଼ିଂ ସ୍ନେସ୍, ପୋଲିସ୍ ମିଉଜିଅମ୍ ପ୍ରଭୃତି ଦେଖାଇଲେ। ଏମାନଙ୍କର ମିଉଜିଅମ୍ଟି ବଡ଼ ଚିତ୍ତାକର୍ଷକ। କାରଣ ଏଥିରେ ଚୋରମାନଙ୍କର ରୀତିନୀତି, ଚୋରି କରିବାର ଅସ୍ତ୍ରଶସ୍ତ୍ର, ଜାଲ୍ ନୋଟ୍, ଟଙ୍କା ସ୍ମଗଲିଂର ବିଭିନ୍ନ ଉପାୟ ଓ ଆହୁରି ଅନେକ ପ୍ରକାର ପୋଲିସ୍ ସଂକ୍ରାନ୍ତ ଜିନିଷ ଅଛି। ହଜାରିବାଗରେ ସେ ରାତିଟା ରହିଲୁ।
ରାସ୍ତା ତାତି ନିଆଁ ହୋଇଯାଇଥାଏ। କିନ୍ତୁ ବାଘ ପାଇଁ ବିଖ୍ୟାତ ‘ଭୁଲୱା’ (Bhoolwa) ଜଙ୍ଗଲଟାକୁ ପାରି ହେବାକୁ ହେବ। ପ୍ରାଣର ଡରଟା ଗରମକୁ ବଳିଗଲା। ଅବଶେଷରେ ନିର୍ବିଘ୍ନରେ ଜଙ୍ଗଲଟାକୁ ପାରିହୋଇ ରାତି ୮ଟା ବେଳକୁ ପରିଶ୍ରାନ୍ତ ଶରୀରରେ ‘ଶେରଘାଟି’ ନାମକ ଗୋଟିଏ ଛୋଟ ସହରରେ ଉପସ୍ଥିତ ହେଲୁ।
ମଇ ୮ ତାରିଖ। ପ୍ରତ୍ୟୁଷରୁ ଉଠି ସାମାରାମ ଆଡକୁ ବାହାରିଲୁ। ହଜାରିବାଗରୁ ଏହାର ଦୂରତା ୧୩୫ ମାଇଲ। ଗୋଟାଏ ଦିନରେ ପହଂଚିବା ଅସମ୍ଭବ ବୁଝି ସନ୍ଧ୍ୟାବେଳେ ଅନ୍ୟ କୌଣସିଠାରେ ରହିବା ମନସ୍ଥ କଲୁ। ୨୨ ମାଇଲ ଯିବା ପରେ ବାଗହି ନାମକ ଗୋଟାଏ ସ୍ଥାନରେ ଗ୍ରାଣ୍ଡ ଟ୍ରଙ୍କରୋଡ ଧରିଲୁ। ସେଠାରୁ କିଛି ଦୂର ନ ଯାଉଣୁ ହଠାତ୍ ଭୀଷଣ ଗରମ ପବନ ଆରମ୍ଭ ହେଲା। ଅସହ୍ୟ ଗରମ। ମୁଣ୍ଡଟା ଟିକିଏ ବୁଲିଗଲା। ବୋଧହୁଏ ସୂର୍ଯ୍ୟୋତ୍ତାପ ପ୍ରକୋପରୁ। କପାଳକୁ ନିକଟରେ ଗୋଟାଏ ଡାକବଙ୍ଗଳା ମିଳିଗଲା।
ସେଠାରେ ଆଶ୍ରୟ ନେଲୁ। ଗାଧୁଆ ସାରି ଚୁପ୍ ହୋଇ ବସିଲୁ। କାରଣ ଜଙ୍ଗଲ ଭିତରେ ଖାଇବାକୁ କିଛି ମିଳେ ନାହିଁ। ବାହାରେ ସୁ ସୁ ଶବ୍ଦରେ ଗରମ ପବନ ବୋହି ଯାଉଥାଏ।
ରାସ୍ତା ତାତି ନିଆଁ ହୋଇଯାଇଥାଏ। କିନ୍ତୁ ବାଘ ପାଇଁ ବିଖ୍ୟାତ ‘ଭୁଲୱା’ ଜଙ୍ଗଲଟାକୁ ପାରି ହେବାକୁ ହେବ। ପ୍ରାଣର ଡରଟା ଗରମକୁ ବଳିଗଲା। ଅବଶେଷରେ ନିର୍ବିଘ୍ନରେ ଜଙ୍ଗଲଟାକୁ ପାରିହୋଇ ରାତି ୮ଟା ବେଳକୁ ପରିଶ୍ରାନ୍ତ ଶରୀରରେ ‘ଶେରଘାଟି’ ନାମକ ଗୋଟିଏ ଛୋଟ ସହରରେ ଉପସ୍ଥିତ ହେଲୁ।
ଘର ଭିତରେ ଯେ କି ଭୀଷଣ ଗରମ, ତାହା ଭୁକ୍ତଭୋଗୀ ଛଡ଼ା ଅନ୍ୟ କାହାରି ବୁଝିବା ଅସମ୍ଭବ। ସେହି ଭୀଷଣ ଗରମରେ, ଭୋକିଲା ପେଟରେ ପୁଣି ଓପରଓଳି ବାହାରିଲୁ। ରାସ୍ତା ତାତି ନିଆଁ ହୋଇଯାଇଥାଏ। କିନ୍ତୁ ବାଘ ପାଇଁ ବିଖ୍ୟାତ ‘ଭୁଲୱା’ ଜଙ୍ଗଲଟାକୁ ପାରି ହେବାକୁ ହେବ। ପ୍ରାଣର ଡରଟା ଗରମକୁ ବଳିଗଲା। ଅବଶେଷରେ ନିର୍ବିଘ୍ନରେ ଜଙ୍ଗଲଟାକୁ ପାରିହୋଇ ରାତି ୮ଟା ବେଳକୁ ପରିଶ୍ରାନ୍ତ ଶରୀରରେ ‘ଶେରଘାଟି’ ନାମକ ଗୋଟିଏ ଛୋଟ ସହରରେ ଉପସ୍ଥିତ ହେଲୁ। ଗରମପବନ ସେ ରାତିଟାଯାକ ବୋହିବାକୁ ଲାଗିଲା। ଗୋଟିଏ ଗୁଡ଼ିଆ ଦୋକାନରେ କିଛି ଖାଇ ସ୍କୁଲର ବାରଣ୍ଡାରେ କ୍ଳାନ୍ତ ଶରୀରକୁ ମେଲି ଦେଲୁ। ସାଙ୍ଗେ ସାଙ୍ଗେ ନିଦ।
ମଇ ୯ ତାରିଖ। ସକାଳୁ ଉଠି ସାଇକଲ ଧରି ସାସାରାମ ଆଡକୁ ଚାଲିଲୁ। ସାସାରାମ ସେଠାରୁ ୬୭ ମାଇଲ। ୩୪ ମାଇଲ ଯିବା ପରେ ଆରଙ୍ଗାବାଦ ନାମକ ଗୋଟିଏ ସହର ପଡ଼ିଲା। ସେଠାକାର ପୋଲିସ୍ ଆମକୁ ଅଟକାଇ ଥାନାକୁ ନେଇଗଲେ। କପାଳ ଯୋଗୁଁ ଥାନାର ଇନ୍ସପେକ୍ଟର ବାବୁ ଆମର ପରିଚିତ। ସେ ଆମକୁ କିଛି ଖାଇବାକୁ ଅନୁରୋଧ କଲେ।
କିଛିକ୍ଷଣ କଥାବାର୍ତ୍ତା ପରେ ତାଙ୍କଠାରୁ ବିଦାୟ ନେଇ Son East Bank ରେଳ ଷ୍ଟେସନଠାରେ ପହଂଚିଗଲୁ। ନଦୀ ପାର ହେବାକୁ ହେଲେ ଟ୍ରେନ୍ ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ। ସୁତରାଂ ଷ୍ଟେସନରେ ଅପେକ୍ଷା କରିବାକୁ ପଡ଼ିଲା। ଉପରଓଳି ୫ଟା ବେଳକୁ ଟ୍ରେନ୍ ଆସିବାରୁ ସେଥିରେ ସାଇକେଲ୍ ନେଇ ନଈ ଆରପାଖ ଷ୍ଟେସନରେ ଓହ୍ଲାଇଲୁ। ଗରମରେ ମୁଣ୍ଡ ଫାଟିଗଲା ଭଳି ମେନହେଲା। ସେ ଷ୍ଟେସନରେ କିଛିକ୍ଷଣ ଅପେକ୍ଷାକରି ପ୍ରାୟ ସନ୍ଧ୍ୟାବେଳକୁ ସାସାରାମ ଆଡକୁ ଚାଲିଲୁ। ଷ୍ଟେସନରୁ ସାସାରାମ ୧୦ ମାଇଲ ଦୂର। ଘଣ୍ଟାକ ଭିତରେ ସେଠି ପହଂଚି ଗୋଟିଏ ଭଦ୍ରଲୋକଙ୍କ ବସାରେ ରହିଲୁ। ସାସାରାମ ଶେରସାହାଙ୍କ କବର ପାଇଁ ପ୍ରସିଦ୍ଧ।
ମଇ ୧୦ ତାରିଖ। ସାସାରାମରୁ ୩୨ ମାଇଲ ଯାଇ ଗୋଟାଏ ଡାକବଙ୍ଗଳାରେ ରହିଲୁ। ପାଖରେ ଗୋଟାଏ ଗାଁ ଥିବାରୁ ଖାଇବାର ଅସୁବିଧା ହେଲା ନାହିଁ। ରାତି ଥାଉ ଥାଉ ଉଠି ବେନାରସ ଉଦ୍ଦେଶ୍ୟରେ ଯାତ୍ରା କଲୁ।
ମଇ ୧୧ ତାରିଖ। ବେନାରସରେ ସକାଳ ୯ଟା ବେଳେ ପହଂଚି ଜଣେ ପରିଚିତ ଭଦ୍ରଲୋକଙ୍କ ବସା ଖୋଜି ବାହାର କରିବାର ଅଢ଼େଇ ଘଣ୍ଟା ଲାଗିଗଲା। ଅବଶେଷରେ ଗୋଟିଏ ଗଳି ଭିତରେ ତାଙ୍କର ଦେଖା ମିଳିଲା। ସେଠାରେ ବିଶ୍ୱନାଥ ମନ୍ଦିର ଦର୍ଶନ ଓ ଗଙ୍ଗାସ୍ନାନ ହେଲା। ଉପରଓଳି ହିନ୍ଦୁ ୟୁନିଭରସିଟି ଦେଖିବାକୁ ଗଲୁ। ଭିତରେ ପଶି ଯାହା ଦେଖିଲୁ, ସେଥିରେ ଆମର ମନ ଆନନ୍ଦ ଓ କଷ୍ଟ ଏକାଠି ଜାତ ହେଲା।
ଏତେ ବଡ଼ ବିରାଟ ବ୍ୟାପାର ଦେଖି ଯେପରି ଆନନ୍ଦ ଲାଭ କଲୁ, ଆମ ଦେଶର ହୀନାବସ୍ଥା କଥା ମନେକରି ସେହିପରି କଷ୍ଟ ଜାତ ହେଲା। ୟୁନିଭରସିଟି ମନ୍ଦିର ଆକାର ବିଶିଷ୍ଟ ପ୍ରକାଣ୍ଡ ଅଟ୍ଟାଳିକାମାନଙ୍କରେ ପୂର୍ଣ୍ଣ। ଗୋଟିଏ ପ୍ରକାଣ୍ଡ ପଡ଼ିଆ ଭିତରେ ୟୁନିଭରସିଟିର ବୃହତ୍ତ ହଲ୍। ଏହି ୟୁନିଭରସିଟିର ଚାରିପାଖଟା ଥରେ ବୁଲି ଆସିବାକୁ ଆମକୁ ୩ ଘଣ୍ଟା ସମୟ ଲାଗିଲା। ପାଠକଙ୍କୁ ବର୍ଣ୍ଣନା ସାହାଯ୍ୟରେ ଏହାର ସୌନ୍ଦର୍ଯ୍ୟ ବୁଝାଇବା ଅସମ୍ଭବ।
ମଇ ୧୨ ତାରିଖ। ବେନାରସରୁ ଆମ ଭିତରୁ ଜଣେ ଘରୁ ଗୋଟିଏ ଜରୁରୀ ଟେଲିଗ୍ରାମ୍ ପାଇ ଫେରିଗଲେ ଓ ଆମେ ଦୁଇଜଣ ଆହ୍ଲାବାଦ ଉଦ୍ଦେଶ୍ୟରେ ବାହାରିଲୁ। ବେନାରସରୁ ୩୨ ମାଇଲ୍ ଯିବାପରେ ପ୍ରାୟ ୯ଟା ବେଳକୁ ହଠାତ୍ Loo ଆରମ୍ଭ ହୋଇଗଲା। ସେ ଭୀଷଣ ଗରମ ପବନରେ ନିଶ୍ୱାସ ନେଲାକ୍ଷଣି ଛାତି ଭିତର ଜଳିଗଲା ପରି ମନେହେଲା। କୌଣସି ପ୍ରକାରେ ନାକ, କାନ ପ୍ରଭୃତି ଢାଙ୍କିଢୁଙ୍କି ଆହୁରି ତିନିମାଇଲ ଯିବାପରେ ଗୋଟିଏ ଡାକବଙ୍ଗଳାରେ ପହଂଚିଲୁ। ଦିନଟା ସେଇଠି କଟାଇବାକୁ ବନ୍ଦୋବସ୍ତ ହେଲା।
ଏ ଦେଶର ଗାଁ ଓ ସେ ଦେଶର ଗାଁ ମଧ୍ୟରେ ବହୁତ ପାର୍ଥକ୍ୟ ଥିଲାପରି ଜଣାଯାଏ। ପ୍ରଥମତଃ ୟାଡର ଲୋକ ଯେପରି ସୁସ୍ଥ ଓ ସବଳ, ଗାଈ, ବଳଦ ମଧ୍ୟ ସେହିପରି ହୃଷ୍ଟପୁଷ୍ଟ ଓ ବୃହଦାକାର।
ଆମ ଦେଶର ଲୋକେ ଗାଈଗୁଡ଼ିକୁ ଗୋମାତା ବୋଲି ପୂଜା କରନ୍ତି ସତ, କଂସେଇ ସେମାନଙ୍କୁ ହାଣିବାକୁ ନେଲେ ମାରପିଟ କରନ୍ତି ସତ: କିନ୍ତୁ ଗୋରୁଗୁଡ଼ିକୁ ଅସ୍ଥି କଙ୍କାଳସାର ଅବସ୍ଥାରେ, ଅନାହାରରେ ରଖିବାକୁ ମନରେ ବିନ୍ଦୁ ମାତ୍ର କଷ୍ଟ ହେଲା ଭଳି ଜଣାପଡ଼େ ନାହିଁ। ଆଉ ଏଠାରେ ଲୋକେ ଗୋରୁର ସୁଖ-ସୁବିଧା ପ୍ରତି ନିଜର ସୁଖଠାରୁ ବେଶୀ ନଜର ରଖନ୍ତି। ସେଥିପାଇଁ ଗୋରୁଗୁଡ଼ିକ ଏତେଦୂର ସବଳ, ସୁନ୍ଦର ଓ ସମର୍ଥ।
ଗାଁର ଲୋକଗୁଡ଼ିକ ଅତ୍ୟନ୍ତ ଅତିଥିପରାୟଣ। ଯଦି କେହି କେବେ ଏ ଦେଶର ଗାଁରେ ଆଶ୍ରୟ ନିଅନ୍ତି, ତାହାହେଲେ ବୁଝିପାରିବେ, ଅତିଥି ସତ୍କାର ଭାରତରୁ ଏକାବେଳକେ ଲୋପ ପାଇ ନାହିଁ।
ମଇ ୧୩ ତାରିଖ। ଆଲାହାବାଦରେ ପହଂଚି ଜଣେ ଭଦ୍ରଲୋକଙ୍କ ବସାରେ ରହିଲୁ। ଏଠାରେ ୟୁନିଭରସିଟି ବୃହତ୍ ଓ ସୁନ୍ଦର ସତ: କିନ୍ତୁ ବେନାରସ ହିନ୍ଦୁ ୟୁନିଭରସିଟି ତୁଳନାରେ କିଛି ନୁହେଁ। ଏଠାରେ ଯମୁନା ପୋଲଟି ଅତ୍ୟନ୍ତ ସୁନ୍ଦର ଓ ବିରାଟ। ତା’ ଉପରେ ଠିଆହେଲେ ଆଲାହାବାଦର ଦୃଶ୍ୟଟି ଅତି ସୁନ୍ଦର ଦେଖାଯାଏ।
ସେଠିକାର ଜଣେ ଇଞ୍ଜିନିୟର ସଙ୍ଗେ କଥାବାର୍ତ୍ତା କରି ଜାଣିପାରିଲୁ ଯେ ଏହି ପୋଲ ନିର୍ମାଣରେ ସାଢ଼େ ଚାରିକୋଟି ଟଙ୍କା ଲାଗିଥିଲା। ସେଠାରୁ ଗଙ୍ଗା ଯମୁନା ସଙ୍ଗମ ଦେଖିବାକୁ ବାହାରିଲୁ। ସଙ୍ଗମ ସ୍ଥାନଟି ବେଶ୍ ସ୍ପଷ୍ଟ ଭାବରେ ଜଣାଗଲା। କାରଣ ଗଙ୍ଗାର ସ୍ୱଚ୍ଛ ନୀଳ ଜଳ ଓ ଯମୁନାର ଅପେକ୍ଷାକୃତ କୃଷ୍ଣବର୍ଣ୍ଣ ଜଳ ଏକାଠି ମିଶି ଗୋଟିଏ ରେଖାର ଉତ୍ପତ୍ତି ହୋଇଛି। ପାପରୁ ତରିବାକୁ ଇଚ୍ଛୁକ ବହୁ ନରନାରୀ ଏହି ସଙ୍ଗମଠାରେ ସ୍ନାନ କରୁଥିଲେ। ସେମାନଙ୍କର ଓଁକାର ଧ୍ୱନିରେ ଚାରିଦିଗ ମୁଖରିତ ହୋଇ ଉଠୁଥିଲା। ଏହିପରି ଆହୁରି କେତେକ ଦୃଶ୍ୟ ଦେଖି ଫେରି ଆସିଲୁ।
ସେଠୁଁ ଖୁସୁରୁବାଗ ଦେଖିବାକୁ ବାହାରିଲୁ। ଏହି ବାଗଟିରେ ସମ୍ରାଟ୍ ଖୁସୁରୁଙ୍କର କବର ଅଛି। ଗୋଟିଏ ବିସ୍ତୃତ ବଗିଚା ମଝିରେ ଏହି କବରଟି ଅବସ୍ଥିତ। ଚାରିଆଡୁ ଅତ୍ୟୁଚ୍ଚ ପାଚେରିରେ ଘେରା ହୋଇଛି। ଏ କବରଟି ତିନିଭାଗରେ ବିଭକ୍ତ। ଗୋଟିକରେ ଖୁସୁରୁଙ୍କ ମାତା, ଅନ୍ୟଟିରେ ତାଙ୍କର ସ୍ତ୍ରୀ ଓ ଶେଷଟିରେ ନିଜର ଓ ଦୁଇ ପୁଅଙ୍କର କବର ଥିବାର ଦେଖାଗଲା। ଖୁସୁରୁଙ୍କ କବରରେ ଗୋଟିଏ ସୁଡ଼ଙ୍ଗ ଦେଖିଲୁ। ସ୍ଥାନୀୟ ଗୋଟିଏ ବୃଦ୍ଧ ପଥପ୍ରଦର୍ଶକ କହିଲା ଯେ ଏହି ସୁଡ଼ଙ୍ଗଟି ଲକ୍ଷ୍ମୌ, ଆଗ୍ରା, ଦିଲ୍ଲୀ, ଲାହୋର ଓ କାଶ୍ମୀର ପର୍ଯ୍ୟନ୍ତ ବିସ୍ତୃତ।
ସେ ଆହୁରି ମଧ୍ୟ କହିଲା ଯେ, ଏହି ସୁଡ଼ଙ୍ଗ ଭିତରେ ଚାରୋଟି ଅଶ୍ୱାରୋହୀଙ୍କର ଏକାଠି ଯିବା ଭଳି ପ୍ରଶସ୍ତ ରାସ୍ତା ଅଛି। କିନ୍ତୁ ରାସ୍ତା ଅତ୍ୟନ୍ତ ଗୋଳମାଳିଆ। ତାହାର ସୂତ୍ର ଜାଣି ନଥିବା ଲୋକେ ଏହା ଭିତରେ ଥରେ ପଶିଲେ ବାହାରି ଆସିବା ଅସମ୍ଭବ। ଏହି କିମ୍ବଦନ୍ତୀର ସତ୍ୟତା ପ୍ରମାଣ କରିବାକୁ କେତେଜଣ ଇଉରୋପୀୟାନ ଖାଦ୍ୟ ପାନୀୟ ନେଇ ସୁଡ଼ଙ୍ଗ ଭିତରେ ପ୍ରବେଶ କରିଥିଲେ, କିନ୍ତୁ ଆଉ ବାହାରି ଆସି ପାରିଲେ ନାହିଁ। ତାଙ୍କୁ ଖୋଜିବା ପାଇଁ ଆଉ ଦଳେ ଗଲେ। ସେମାନେ ମଧ୍ୟ ତା’ ଭିତରେ ରହିଲେ। ତା’ ପରେ ଗଭର୍ଣ୍ଣମେଣ୍ଟ ଏହି ସୁଡଙ୍ଗ ସମ୍ମୁଖରେ ଗୋଟିଏ ପାଚେରି ତୋଳାଇ ଦେଇଛନ୍ତି ଓ ଯିବାର ରାସ୍ତା ବନ୍ଦ ବୋଲି ଲେଖି ଗୋଟିଏ ପ୍ଲାକାର୍ଡ ଟଙ୍ଗାଇ ଦେଇଛନ୍ତି। ଏହିପରି ସୁଡଙ୍ଗ ଯେତେ ସ୍ଥାନରେ ଥିଲା, ସେସବୁ ମେଣ୍ଟଙ୍କ ଦ୍ୱାରା ବନ୍ଦ ହୋଇ ଯାଇଅଛି।
ଏତେ କଥା ଶୁଣିବା ପରେ କେହି ସାହସୀ ଓଡ଼ିଆ ଏହି ସୁଡ଼ଙ୍ଗ ସମୂହ ଆବିଷ୍କାର କରିବାକୁ ଚେଷ୍ଟା କରିବେ କି?
ପଢ଼ନ୍ତୁ ଦ୍ୱିତୀୟ ଭାଗ:ବୁଲା ନିଶା – ବିଜୁ ପଟ୍ଟନାୟକ (ଦ୍ୱିତୀୟ ଭାଗ) (odisha.live)
(‘ବୁଲାନିଶା’ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ନିଜ ଭ୍ରମଣର ଅନୁଭୂତି। ଏହି ଲେଖାଟି ୧୯୩୪ ମସିହାରେ ପ୍ରସିଦ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକାର ୩୮ଶ ଭାଗ, ତୃତୀୟ ଓ ଚତୁର୍ଥ ସଂଖ୍ୟାରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା। ଏହା ହେଉଛି ବିଜୁବାବୁ ରେଭେନ୍ସାରେ ପଢ଼ିଲା ବେଳେ କିଛି ସହପାଠୀଙ୍କୁ ନେଇ କଟକରୁ ପେଶାୱାର (ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ) ଯେଉଁ ସାଇକେଲ ଯାତ୍ରା କରିଥିଲେ, ତା’ର ଦୁଃସାହସିକ କାହାଣୀ।)
(୧୯୯୨ ମସିହାରେ ଏହାକୁ ଏକ ପୁସ୍ତକର ରୂପ ଦେଇଥିଲେ କଟକ ଷ୍ଟୁଡେଣ୍ଟସ ଷ୍ଟୋର। ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ଥିଲେ ଏହାର ପ୍ରକାଶନ ଉପଦେଷ୍ଟା। ତାଙ୍କରି ଉଦ୍ୟମରେ ତଥା ସାହିତ୍ୟିକ ଡକ୍ଟର ବାଉରିବନ୍ଧୁ କରଙ୍କ ଆଗ୍ରହକ୍ରମେ ପ୍ରକାଶିତ ଏହି ପୁସ୍ତକ ଏକ ଭ୍ରମଣ ସାହିତ୍ୟ ଭାବେ ଆଦୃତ ହୋଇପାରିଛି। ବିଜୁବାବୁଙ୍କ ଉଦ୍ଦାମ, ଉଚ୍ଚାଭିଳାଷୀ ତଥା ସ୍ୱପ୍ନପ୍ରବଣ ତାରୁଣ୍ୟର ଏକ ଚମତ୍କାର ଅଭିବ୍ୟକ୍ତି ‘ବୁଲାନିଶା’।)
Tags: #BijuPatnaik #BulaNisha #CuttackPeshawarCycleJourney #Odisha