ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇବ। ଏହି ତାଲିକା ଅନୁସାରେ ଛାତ୍ରଛାତ୍ରୀମାନେ ଶୁକ୍ରବାରରୁ କଲେଜରେ ନାମ ଲେଖାଇ ପାରିବେ। ଜୁଲାଇ ୧୩ ତାରିଖ ଯାଏଁ ଏହି ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ।
ଚଳିତ ବର୍ଷ ମାଟ୍ରିକ୍ ପାସହାର ଅଧିକ ହୋଇଛି। ଏଥିପାଇଁ କଟ୍ଅଫ୍ ମାର୍କ ପୂର୍ବ ବର୍ଷ ତୁଳନାରେ ୩ ପ୍ରତିଶତ ବଢ଼ିବ। ଚଳିତବର୍ଷ ୨ ହଜାର ୧୫୮ଟି କଲେଜର ୫ଲକ୍ଷ ୯ହଜାର ୬୧୪ ସିଟରେ ଯୁକ୍ତ ୨ ନାମଲେଖା ହେବ।
ଯୁକ୍ତ ୨ ପାଇଁ ଆବେଦନ ହେଉଥିବା ସାମ୍ସ ୱେବସାଇଟର ତଥ୍ୟ ଅନୁଯାୟୀ ଚଳିତବର୍ଷ ରାଜ୍ୟରେ ୫ଲକ୍ଷ ୭ହଜାର ୪୨୬ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ନାମଲେଖା ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ମୋଟ ୪ଲକ୍ଷ ୬୭ହଜାର ୨୭୨ ଜଣ ଆବେଦନ କରିଛନ୍ତି।
ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା ଜୁଲାଇ ୧୯ରେ ପ୍ରକାଶ ପାଇବ। ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୨୨ ତାରିଖ ସୁଦ୍ଧା ଶେଷ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳିଥିବା ସିଟକୁ ନେଇ ସ୍ପଟ୍ ଆଡମିସନ ହେବ।
ଯୁକ୍ତ ୨ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ୨୭ ତାରିଖ ମଧ୍ୟରେ କରାଯିବ। ଚଳିତବର୍ଷ ଅନଲାଇନରେ ସ୍ପଟ୍ ଆଡମିଶନ ହେବ। ନାମଲେଖା ପ୍ରକ୍ରିୟା ସରିବାପରେ ଅଗଷ୍ଟ ୧ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଚଳିତବର୍ଷ ମେ’ ମାସ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଥିଲା। ଜୁନ୍ ୩୦ରେ ଏହି ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲା।
Tags: #PlusTwoAdmissions #PlusTwoMeritList #Education #CHSE #Odisha