ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଖଣ୍ଡପଡ଼ା-ନୟାଗଡ଼ ମୁଖ୍ୟ ରାସ୍ତାର ବରପଲ୍ଲୀ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ନାଲିବତୀ ଗାଡ଼ି ଧକ୍କାରେ ଜଣେ ଫିଜିଓଥେରାପିଷ୍ଟଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ।
ଜୁଲାଇ ୩୧ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ନୟାଗଡ଼ରୁ ଖଣ୍ଡପଡ଼ା ଅଭିମୁଖେ ବାଇକରେ ଯାଉଥିଲେ ଫିଜିଓଥେରାପିଷ୍ଟ ମିଲନ ମହାପାତ୍ର। କିନ୍ତୁ ଖଣ୍ଡପଡ଼ା-ନୟାଗଡ଼ ମୁଖ୍ୟ ରାସ୍ତାରେ ଯାଉଥିବା ଏକ ନାଲିବତୀ ଗାଡ଼ି ମିଲଙ୍କ ବାଇକକୁ ଧକ୍କା ଦେଇଥିଲା। ନାଲିବତୀ ଗାଡ଼ିର ବମ୍ଫରରେ ବାଇକ୍ ସହ ପ୍ରାୟ ୧୦୦ ମିଟର ରାସ୍ତା ମିଲନ ଘୋଷାଡ଼ି ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସ୍ଥାନୀୟ ଲୋକ ଏହି ଘଟଣାକୁ ଦେଖି ଧାଇଁଆସିଲା ବେଳକୁ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ନାଲିବତୀ ଗାଡ଼ି। ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲେ ମିଲନ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମିଲନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହା ପରେ ଏକ ଅଟୋରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ମିଲନଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୟାଗଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାନଯାଇ ଖଣ୍ଡପଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା ମୃତଦେହ। ବ୍ୟବଚ୍ଛେଦ ପରେ ମଙ୍ଗଳବାର ଦିନ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଖଣ୍ଡପଡ଼ା-ନୟାଗଡ଼ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୋଲିସ ଗାଡ଼ି ଧକ୍କାରେ ମିଲନଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କହିଛନ୍ତି।
ଘଟଣା ସମ୍ପର୍କରେ ଖଣ୍ଡପଡ଼ା ଥାନା ଆଇଆଇସି ଜ୍ୟୋତି ପ୍ରକାଶ ସ୍ଵାଇଁ କହିଛନ୍ତି, “ନାଲିବତୀ ଲାଗିଥିବା ସବୁ ଗାଡ଼ି ପୋଲିସର ନୁହେଁ। ଏହା କୌଣସି ପ୍ରଶାସନିକ କିମ୍ବା ଭିଭିଆଇପିଙ୍କର ହୋଇଥାଇପାରେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।”
ଦୁର୍ଘଟଣା ସମ୍ପର୍କରେ ନୟାଗଡ଼ ଏସପି ରାହୁଲ ଜୈନଙ୍କୁ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କଠାରୁ କୌଣସି ଉତ୍ତର ମିଳିପାରି ନାହିଁ।
ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର କାର୍ଯ୍ୟକଳାପ ଜିଲ୍ଲାର ବହୁ ସଚେତନ ନାଗରିକ ଏବଂ ଆଇନଜୀବୀଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି କରିଛି।
Tags: #Nayagarh #Accident #Death #PoliceInvestigation