ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟକୁ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ନାକ୍) ପକ୍ଷରୁ ‘ଏ ପ୍ଲସ୍’ ମାନ୍ୟତା ମିଳିଛି। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାଦାନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଗୁଣାତ୍ମକ ଆଧାର କରି ‘ଏ ପ୍ଲସ୍’ ମାନ୍ୟତା ଦିଆଯାଇଛି। ବିଶ୍ଵବିଦ୍ୟାଳୟକୁ ନାକ୍ ପକ୍ଷରୁ ମୋଟ ୫ରୁ ୩.୩୭ ସ୍କୋର ମିଳିଛି।
ଏହି ମାନ୍ୟତା ମିଳିବା ପୂର୍ବରୁ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦର ଏକ ପ୍ରତିନିଧି ଦଳ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ। ସେମାନେ ଏଠାରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି, ଶିକ୍ଷାର ମାନ ଏବଂ ଏଠାରେ ହେଉଥିବା ରିସର୍ଚ୍ଚ ଉପରେ ଅନୁଧ୍ୟାନ କରିଥିଲେ। ଏହାକୁ ଆଧାର କରି ନାକ୍ ପକ୍ଷରୁ ବିଶ୍ଵବିଦ୍ୟାଳୟକୁ ‘ଏ ପ୍ଲସ୍’ ମାନ୍ୟତା ଦିଆଯାଇଛି।
ନାକ୍ ‘ଏ ପ୍ଲସ୍’ ମାନ୍ୟତା ପାଇଁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ, କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ କୃତଜ୍ଞତା ଜଣାଯାଇଛି।
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ୨୦୧୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏବେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏହାର ୬ଟି କ୍ୟାମ୍ପସରେ ଶିକ୍ଷାଦାନ ହେଉଛି। ଏଥିରୁ ୩ଟି କ୍ୟାମ୍ପସ ଆଦିବାସୀ ଅଞ୍ଚଳରେ ରହିଛି।
Tags: #CenturionUniversity #NAACAccreditation #HigherEducation #Odisha