ଓଡ଼ିଶାଲାଇଭ୍ ବ୍ୟୁରୋ

  • ୩ ଦଫା ଦାବିରେ ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ
  • ଓଡ଼ିଶାର ୫୦ ହଜାରରୁ ଅଧିକ ସ୍କୁଲରେ ପାଠପଢ଼ା ପ୍ରଭାବିତ
  • ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶିକ୍ଷକ

ଓଡ଼ିଶାରେ ଏବେ ତୀବ୍ର ହେବାରେ ଲାଗିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଗତ କିଛି ଦିନ ହେବ କାର୍ଯ୍ୟରେ ଯୋଗନଦେଇ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କୁ ବୁଝାଇବା ପାଇଁ ସରକାରଙ୍କ ସବୁ ପ୍ରୟାସ ବିଫଳ ହୋଇଛି। ଜିଦରେ ଅଟଳ ରହିଛନ୍ତି ଶିକ୍ଷକ। ଏବେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଚେତାବନୀ ଦେଇଛି।

ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଶିକ୍ଷକମାନଙ୍କୁ ଠକୁଥିବା ମହାସଂଘ ଅଭିଯୋଗ କରିଛି। ଶିକ୍ଷକମାନେ ଅନେକ ଦିନରୁ କରି ଆସୁଥିବା ୩ ଦଫା ଦାବିକୁ ସରକାର ପୂରଣ କରୁନଥିବା ମହାସଂଘ କହିଛି। ଏନେଇ ରାଜ୍ୟ ଗଣଶିକ୍ଷା ସଚିବ ଅଶ୍ଵଥି ଏସ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଆଲୋଚନାରେ କୌଣସି ସଫଳତା ମିଳିନାହିଁ। ଏବେ ଦାବିପୂରଣ ପାଇଁ ଶିକ୍ଷକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଅନ୍ୟପଟେ ରାଜ୍ୟର ଲକ୍ଷାଧିକ ଶିକ୍ଷକ ସମୂହ ଛୁଟିରେ ଯାଇ କାର୍ଯ୍ୟବନ୍ଦ କରିଥିବାରୁ ପ୍ରାୟ ୫୦ ହଜାରରୁ ଅଧିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଠପ୍‌ ହୋଇଯାଇଛି। ପିଲାମାନଙ୍କ କ୍ଲାସ ହେଉ ନାହିଁ। ଏହାସହ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇବାରୁ ମଧ୍ୟ ବଞ୍ଚିତ ‌ହେଉଛନ୍ତି।

ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଓଡ଼ିଶାର କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବାକୁ ଦାବି କରାଯାଇଛି। ଏହାସହ ପୂର୍ବରୁ ଚାକିରି କରିଥିବା ସବୁ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ହିସାବକୁ ନେଇ ଇନକ୍ରିମେଣ୍ଟ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ସବୁ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ (ଗ୍ରେଡ ପେ ୪୨୦୦) ବେତନ ଦେବାପାଇଁ ଦାବି କରିଛି ମହାସଂଘ।

ଅନ୍ୟପଟେ ରାଜ୍ୟରେ ନୂଆ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଏବଂ ରାଜ୍ୟର ସବୁ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବେ ମାନ୍ୟତା ଦେବାକୁ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି।

ଉପରୋକ୍ତ ଦାବିଗୁଡ଼ିକ ପୂରଣ ପାଇଁ ଶିକ୍ଷକମାନେ ବୁଧବାର ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ମଙ୍ଗଳବାର ଭୁବନେଶ୍ଵରରେ ହୋଇଥିବା ପ୍ରାଥମିକ ଶିକ୍ଷକ ମହାସଂଘର ଷ୍ଟିୟରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମହାସଂଘର ଶୀର୍ଷ ନେତାମାନେ ଭୁବନେଶ୍ଵରରେ ରହି ସାରା ରାଜ୍ୟର ଆନ୍ଦୋଳନକୁ ପରିଚାଳନା କରୁଛନ୍ତି।

ତେବେ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ପ୍ରାଥମିକ ଶିକ୍ଷକମାନଙ୍କର ପୁଣି କାର୍ଯ୍ୟରେ ଯୋଗପାଇଁ କେଉଁ ପଦକ୍ଷେପ ନେଉଛନ୍ତି ତାହା ଆଗକୁ ଜଣାପଡ଼ିବ।

Tags: #PrimaryTechersStrike #education #students #Schools #SMEodisha

LEAVE A REPLY

Please enter your comment!
Please enter your name here