ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2023/09/scrub-typhus-1024x691.jpeg)
ବାହାରେ ମଳତ୍ୟାଗ କରିବା, ଘାସରେ ଶୋଇବା, ବସିବା ଏବଂ ଖାଲିପାଦରେ ବୁଲିବା ସ୍କ୍ରବ ଟାଇଫସ୍ ସଂକ୍ରମଣର ମୁଖ୍ୟ କାରଣ ବୋଲି କେନ୍ଦ୍ରୀୟ ଟିମ୍ର ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ବିଳମ୍ବ ପରୀକ୍ଷା ଏବଂ ଚିକିତ୍ସା କାରଣରୁ ଅଧିକାଂଶ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେଉଛି। ଓଡ଼ିଶାରେ ସ୍କ୍ରବ ଟାଇଫସ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ୩/୪ଟି ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି।
ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ଟିମ୍ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲା ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହେବା ସହ ୪ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ଟିମ୍ ଶୀଘ୍ର ଆଉ ଏକ ରିପୋର୍ଟ ପ୍ରସ୍ତୁତ କରିବ ବୋଲି ସୂଚନା ରହିଛି।
![](https://odisha.live/wp-content/uploads/2023/10/world-stroke-day-campaign-2.jpeg)
କେନ୍ଦ୍ରୀୟ ଟିମ୍ର ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ କୋଇଡ଼ା ବ୍ଲକକୁ ବାଦ ଦେଲେ ଅନ୍ୟ ସବୁ ବ୍ଲକରେ ସ୍କ୍ରବ ଟାଇଫସର ପ୍ରଭାବ ଦେଖିବାକୁ ମିଳିଛି। ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମଧ୍ୟରେ ୧୫ରୁ କମ୍ ବୟସର ୩୦ ପ୍ରତିଶତ, ୩୧ରୁ ୪୫ ବର୍ଷ ବୟସର ୨୩ ପ୍ରତିଶତ ଏବଂ ୪୬ରୁ ୭୦ ବର୍ଷ ବୟସ ମଧ୍ୟରେ ୧୭ ପ୍ରତିଶତ ରହିଛନ୍ତି।
ଏହି ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଘାସରେ ବସିବା, ଶୋଇବା, ଖାଲିପାଦରେ ଚଲାବୁଲି କରିବା କାରଣରୁ ସ୍କ୍ରବ ଟାଇଫସର ଶିକାର ହୋଇଛନ୍ତି। ସେହିପରି ବାହାରେ ମଳତ୍ୟାଗ କରିବା ଯୋଗୁଁ ୪୯ ପ୍ରତିଶତ ସ୍କ୍ରବ ଟାଇଫସର ଶିକାର ହୋଇଛନ୍ତି। ପରୀକ୍ଷା ଏବଂ ଚିକିତ୍ସାରେ ବିଳମ୍ବ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ବୟସ ୨୮ରୁ ୬୫ ବର୍ଷ ମଧ୍ୟରେ ରହିଥିବା କେନ୍ଦ୍ରୀୟ ଟିମ୍ର ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Tags: #scrubtyphus #Centralteampreliminaryreport #health #sundargarh #infection #odisha