ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ସୋମବାର ଦିନ ମଧ୍ୟପ୍ରଦେଶରେ ବସିଥିବା ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମୋହନ ଯାଦବଙ୍କ ନାଁରେ ମୋହର ବାଜିଛି।
ମଧ୍ୟପ୍ରଦେଶର ଉଜ୍ଜୈନ ଦକ୍ଷିଣ ଆସନରୁ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୨,୯୪୧ ଖଣ୍ଡ ଭୋଟରେ ହରାଇଥିଲେ।
ପ୍ରଥମର ୨୦୧୩ ମସିହାରେ ଉଜ୍ଜୈନ ଦକ୍ଷିଣ ବିଧାନସଭା ନିର୍ବାଚନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ମସିହାରେ ମଧ୍ୟ ସମାନ ଆସନରେ ସେ ବିଜୟୀ ହୋଇଥିଲେ। ୨୦୨୦ ମସିହାରେ ଶିବରାଜ ଚୌହ୍ଵାନଙ୍କ ସରକାରରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରେସରେ ମୋହନ ଯାଦବଙ୍କ ନାଁ ନଥିଲା। ବିଜେପିର ସରପ୍ରାଇଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦଳ ପକ୍ଷରୁ ତାଙ୍କୁ ଯେଉଁ ଦାୟିତ୍ଵ ଦିଆଯାଇଛି ତାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି ମୋହନ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମୋହନ ଯାଦବଙ୍କ ନାଁ ଘୋଷଣା ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟପ୍ରଦେଶର ବାଚସ୍ପତି ହେବା ନେଇ ସୂଚନା ରହିଛି।
ରବିବାର ଦିନ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଥିଲା। ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେବ ସାଏ। ସେହିପରି ବିଜୟ ଶର୍ମା ଓ ଅରୁଣ ସାଓ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ରମଣ ସିଂହ ଛତିଶଗଡ଼ ରାଜ୍ୟର ବାଚସ୍ପତି ହେବେ।
Tags: #Politics #MadhyaPradeshCM #MohanYadav #MadyaPradesPolitics