ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି) ତାଲିମ ପାଠ୍ୟକ୍ରମ।
ଆଜି ସହର ତଥା ମହାନଗରଗୁଡ଼ିକରେ ବଡ଼ ବଡ଼ ଆପାର୍ଟମେଣ୍ଟ, ବହୁତଳବିଶିଷ୍ଟ ଆଧୁନିକ କାର୍ଯ୍ୟାଳୟ, ବିସ୍ତୃତ ବିମାନବନ୍ଦର, ମଲ୍ ଏବଂ ବିଭିନ୍ନ ସର୍ବସାଧାରଣ ସ୍ଥଳ ପାଇଁ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ଏକ ଆବଶ୍ୟକତାରେ ପରିଣତ ହୋଇଛି।
ଏହି ବହୁତଳ କୋଠାଗୁଡ଼ିକରେ ଲୋକମାନଙ୍କ ଯିବାଆସିବା ଏବଂ ଜିନିଷପତ୍ର ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିପାଇଁ ସାରା ବିଶ୍ୱରେ ଏଲିଭେଟର, ଏସ୍କାଲେଟର ଓ ଟ୍ରାଭେଲେଟର ପରି ଆଧୁନିକ ଯନ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି। ତା’ ସାଙ୍ଗକୁ ଏସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ବଢୁଛି।
ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ପକ୍ଷରୁ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍’ ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଫଳରେ ଓଡ଼ିଶା ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ପରିକଳ୍ପନା ଅଧୀନରେ ରାଜ୍ୟର ଯୁବବର୍ଗଙ୍କୁ ଏହି ଅତ୍ୟାଧୁନିକ ବିଷୟରେ ତାଲିମ ଦେଇ ସେମାନଙ୍କୁ ବିଶ୍ୱସ୍ତରୀୟ କ୍ୟାରିୟର ଗଢ଼ିବା ଲାଗି ପ୍ରସ୍ତୁତ କରାଯିବ।
୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ନୂତନ ପାଠ୍ୟକ୍ରମର ନାଁ ରହିଛି ଅତ୍ୟାଧୁନିକ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି)। ସିଙ୍ଗାପୁର ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନର (ଆଇଟିଇଇଏସ୍) ତତ୍ତ୍ୱାବଧାନରେ ଏହି ଅତ୍ୟାଧୁନିକ ପାଠ୍ୟକ୍ରମର ପରିଚାଳନା କରାଯାଇଛି। ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ବୈଷୟିକ ଶିକ୍ଷା ଓ ତାଲିମ ଦିଆଯିବ।
ଫଳରେ ସେମାନେ ଆଧୁନିକ ଲିଫ୍ଟ ଓ ଏସ୍କାଲେଟରର ସ୍ଥାପନା, ତାହାକୁ କାର୍ଯ୍ୟକ୍ଷମ କରିବା, ରକ୍ଷଣାବେକ୍ଷଣ, ମରାମତି ଓ ଯାଞ୍ଚ ଆଦି କାର୍ଯ୍ୟ କରିବାରେ ସକ୍ଷମ ହେବେ। ଏହା ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତିର ସୁଯୋଗ ଦେଇପାରିବ।
ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ଏହି ୧ ବର୍ଷିଆ ପାଠ୍ୟକ୍ରମ ପାଇଁ ଆଇଟିଆଇ (୨ ବର୍ଷିଆ) କିମ୍ବା ପଲିଟେକ୍ନିକ୍ରେ ଡିପ୍ଲୋମା କରିଥିବା ଓଡ଼ିଶାର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏଠାରେ ଜୀବନ୍ତ ମଡେଲ ଜରିଆରେ ସିମୁଲେସନ ସହିତ ଭର୍ଟିକାଲ ଟେକ୍ନୋନୋଲୋଜିର ବିଭିନ୍ନ ଦିଗ ଉପରେ ଶିକ୍ଷା ଓ ତାଲିମ ଦିଆଯିବ।
ଏଥିପାଇଁ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ରେ ବିଭିନ୍ନ ଅତ୍ୟାଧୁନିକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ଫଳରେ ଏହା ଏସ୍କାଲେଟର, ଏଲିଭେଟର ଏବଂ ଅନୁରୂପ ଯନ୍ତ୍ରର ସ୍ଥାପନା ଓ କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ତାଲିମ ଦେବାରେ ବିଶେଷ ସହାୟକ ହେବ।
ଏଭଳି ସମସାମୟିକ ପାଠ୍ୟକ୍ରମ ଆରମ୍ଭ କରିବା ସହ ଅତ୍ୟାଧୁନିକ ଲାବୋରେଟୋରିର ସମନ୍ୱୟ ଫଳରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍’ ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଆଜି ଦେଶରେ ପ୍ରଥମ କହିଲେ ଭୁଲ ହେବନାହିଁ।
ବୈଷୟିକ ପାଠ୍ୟକ୍ରମ ସହିତ ଏଠାରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ବିକାଶ, ଡିଜାଇନ୍ ଥିଙ୍କିଙ୍ଗ୍, ଉଦ୍ୟୋଗ ବିକାଶ, କ୍ରୀଡ଼ା ଏବଂ ସୁସ୍ୱାସ୍ଥ୍ୟ ଆଦି ବିଷୟକୁ ନେଇ ବିଶେଷ ଜୀବନ କୌଶଳ ତାଲିମ ମଧ୍ୟ ଦିଆଯାଉଛି।
ସେହିପରି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଏବଂ ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ’ ଜରିଆରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସ୍ତରରେ ତାଲିମ ଓ କାମ କରିବାର ସୁଯୋଗ ଦେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର। ଫଳରେ ବିଶ୍ୱସ୍ତରୀୟ ଅଭିଜ୍ଞତା ହାସଲ କରି ସେମାନେ ନିଜ କ୍ୟାରିୟରକୁ ନୂଆ ଦିଗ ଦେଇପାରୁଛନ୍ତି।
୨୦୨୪-୨୫ ଶିକ୍ଷାବର୍ଷ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଅତ୍ୟାଧୁନିକ ଭର୍ଟିକାଲ ଟ୍ରାନ୍ସପୋର୍ଟସେନ (ଲିଫ୍ଟ ଟେକ୍ନୋଲୋଜି) ବିଷୟରେ ତାଲିମ ନେବାକୁ ଚାହୁଁଥିବା ଓଡ଼ିଶାର ଆଗ୍ରହୀ ପ୍ରାର୍ଥୀମାନେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଓ୍ଵେବସାଇଟ ଲିଙ୍କ୍ www.worldskillcenter.org/admissions ମାଧ୍ୟମରେ ଫେବ୍ରୁଆରି ୨୯ ସୁଦ୍ଧା ଆବେଦନ କରିପାରିବେ।
Tags: #WorldSkillCenter #Admission #Course #VerticalTransportation #Career #Employment