ପୁଷ୍ପମିତ୍ର ମହାନ୍ତି
କେରଳର ପାଲକ୍କଡର ଦମ୍ପତି ଜ୍ଞାନା ସାରାଭାନନ ଏବଂ କୃଷ୍ଣସୁଧା। ଏହି ଦମ୍ପତି ୨୦୧୬ ମସିହାରେ ମୋଟା ଅଙ୍କର ଦରମା ପାଉଥିବା କର୍ପୋରେଟ ଚାକିରି ଛାଡ଼ି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ।
ଜ୍ଞାନା ଓ କୃଷ୍ଣସୁଦ୍ଧା ନିଜ ପୈତୃକ ଚାଷ ଜମିକୁ ପୁନରୁଦ୍ଧାର କରିବା ପାଇଁ ଉଚ୍ଚ ଦରମା ଯୁକ୍ତ ଆଇଟି କ୍ୟାରିୟରକୁ ଛଡ଼ିବାକୁ ପଛଘୁଞ୍ଚା ଦେଇନଥିଲେ। ଫଳ ସ୍ଵରୂପ ସେମାନଙ୍କର ୩୬ ଏକର ଚାଷ ଜମି ଆଜି ଡିସାନ୍ ଫାର୍ମସ୍ ନାମରେ ପରିଚିତ ହେବା ସହ ନୂତନ ଉଦ୍ଭାବନର ଏକ ମଡେଲ ଭାବେ ଉଭା ହୋଇଛି।
ଚାଷରୁ ପରିଚୟ
ଜ୍ଞାନ କୁହନ୍ତି, “ଚାଷ ହେଉଛି ବୃତ୍ତି କ୍ଷେତ୍ରରେ ସବୁଠାରୁ ମହାନ ବୃତ୍ତି। କେବଳ ଜଣେ କୃଷକ ହିଁ ଲୋକଙ୍କ ପାଇଁ ଗୁଣାତ୍ମକ ଖାଦ୍ୟ ସୁନିଶ୍ଚିତ କରିପାରିବେ।”
ଚାଷ କ୍ଷେତ୍ରକୁ ଫେରିବା ପରେ ଚାଷରେ ସେମାନେ ସ୍ଥାୟୀ କୌଶଳ ଗ୍ରହଣ କରିଥିଲେ। ଫସଲ ପରିବର୍ତ୍ତନ, ଜୈବିକ କମ୍ପୋଷ୍ଟିଂ, ବର୍ଷା ଜଳ ସଂରକ୍ଷଣ ଓ ଚାଷରେ ରୋଗ ପୋକ ନିୟନ୍ତ୍ରଣ ପାଇଁ ଜୈବ କୀଟନାଶକର ପ୍ରୟୋଗ ଇତ୍ୟାଦି ଶିଖିଥିଲେ। ସେମାନଙ୍କ ଫାର୍ମରୁ ଜୈବିକ ପନିପରିବା, ଫଳ ଏବଂ ନଡ଼ିଆ, ଜାଇଫଳ, ପିଜୁଳି, କଦଳୀ ଏବଂ ଅମୃତଭଣ୍ଡା ଭଳି ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦିତ ହୋଇଥାଏ।
ଏହି ଫାର୍ମ ଏକ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ ଭାବରେ କାର୍ଯ୍ୟ କରେ। ଜ୍ଞାନାଙ୍କ ଫାର୍ମରେ ସେମାନେ ୨୦ଟି ଗାଈ ପାଳନ କରି ଖତ ଉତ୍ପାଦନ କରନ୍ତି ଏବଂ ବାୟୋଡିଗ୍ରେଡେବଲ୍ ବର୍ଜ୍ୟବସ୍ତୁକୁ ଜୈବ ସାରରେ ପରିଣତ କରନ୍ତି।
ଜ୍ଞାନା କହିଛନ୍ତି, “ଆମେ ଦେଖାଇବାକୁ ଚାହୁଁଥିଲୁ ଚାଷ କ୍ଷେତ୍ର ଦୀର୍ଘସ୍ଥାୟୀ ହେବା ସହ ଭବିଷ୍ୟତ ପାଇଁ ଲାଭଦାୟକ ହୋଇପାରେ।”
ଡିସାନ୍ ଫାର୍ମ କେବଳ ମାତ୍ର ଏକ ଚାଷ ଫାର୍ମ ହୋଇ ରହିନାହିଁ। ଜୈବ ଚାଷ କ୍ଷେତ୍ରରେ ଏହା ମଧ୍ୟ ଏକ ଶିକ୍ଷାକେନ୍ଦ୍ରରେ ପରିଣତ ହୋଇଛି। ନିଜ ଫାର୍ମରେ ଏହି ଦମ୍ପତି ଯୁବକମାନଙ୍କୁ ସ୍ଥାୟୀ ଚାଷ, ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଜଳ ସଂରକ୍ଷଣ ବିଷୟରେ ଶିକ୍ଷା ଦେବା ପାଇଁ କର୍ମଶାଳା ଆୟୋଜନ କରିଥାନ୍ତି।
ପରବର୍ତ୍ତୀ ପିଢ଼ି ଯେପରି ଚାଷକୁ ଏକ ସମ୍ମାନଜନକ ଏବଂ ଅତ୍ୟାବଶ୍ୟକ ବୃତ୍ତି ଭାବରେ ଗ୍ରହଣ କରିବେ ତା’ ଉପରେ ବେଶ ଗୁରୁତ୍ଵ ଦେଉଛନ୍ତି ଉଭୟ।
ଜ୍ଞାନା ସାରାଭାନନ ଏବଂ କୃଷ୍ଣସୁଧାଙ୍କ ଏହି ସଫଳତା ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣ ଯୋଗାଇବ।
Tags: #EcoFarming #KeralaCouple #SustainableFarming #Career #Business