ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାର ଭୋଟରମାନେ ବିଜେପି ଆଡ଼କୁ ଢଳିଥିବାର ଟ୍ରେଣ୍ଡ୍ ସ୍ପଷ୍ଟ ହୋଇଯାଇଛି। ଦିନେ ବିଜେଡ଼ିର ଦୁର୍ଗ ଥିବା ଅନେକ ଆସନରେ ଦଳର ତୁଙ୍ଗ ନେତାମାନେ ଆଜି ପଛୁଆ ଅଛନ୍ତି। ଅନ୍ୟ କେତେକ ଆସନରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।
ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟରେ ଦିନ ୧ଟା ୧୫ ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ ୧୪୭ଟି ଆସନ ମଧ୍ୟରୁ ୭୩ଟି ଆସନରେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି ୭୪।
ଏହି ସମୟ ସୁଦ୍ଧା ବିଜେଡ଼ି ୫୭ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୪ଟି, ସିପିଆଇଏମ୍ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ରହିଛନ୍ତି। ଆଉ କିଛି ଘଣ୍ଟା ମଧ୍ୟରେ ଭୋଟ୍ ଗଣତିର ଚୂଡ଼ାନ୍ତ ଚିତ୍ର ଆସିଯିବ ଏବଂ ରାଜ୍ୟରେ କିଏ ସରକାର ଗଢ଼ିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ।
ନୟାଗଡ଼ରେ ଅରୁଣ-ପ୍ରତ୍ୟୁଷା କଡ଼ା ଟକ୍କର
ନୟାଗଡ଼ ଆସନରେ ବିଜେଡ଼ିର ଅରୁଣ ସାହୁ ଏବଂ ବିଜେପିର ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହି ଆସନରୁ ବାର ବାର ଜିତି ଆସୁଥିବା ଅରୁଣ ସାହୁଙ୍କ ପାଇଁ ଚଳିତ ନିର୍ବାଚନ ଏକ ଆହ୍ୱାନ। ପ୍ରତ୍ୟୁଷା ପ୍ରଥମ ଥର ପାଇଁ ଏହି ସିଟ୍ରୁ ଲଢ଼ୁଥିଲେ ମଧ୍ୟ ବିଜେପିର ଲହର ତାଙ୍କୁ ସାହାଯ୍ୟ କରିଥିବା ଅନୁମାନ କରାଯାଉଛି।
ଅପରାହ୍ଣ ୧:୧୦ ତଥା ଭୋଟ୍ ଗଣତିର ୧୦ ରାଉଣ୍ଡ ସୁଦ୍ଧା ଅରୁଣ ସାହୁ ପ୍ରତ୍ୟୁଷାଙ୍କଠାରୁ ୧୨୬୮ ଭୋଟ୍ରେ ଆଗୁଆ ଅଛନ୍ତି। ଅରୁଣଙ୍କୁ ମୋଟ ୪୭ ହଜାର ୫୬୯ ଭୋଟ୍ ମିଳିଛି। ସେହିପରି ପ୍ରତ୍ୟୁଷା ୪୬ ହଜାର ୩୦୧ ଭୋଟ୍ ପାଇଛନ୍ତି। ଗତ କିଛି ଘଣ୍ଟା ମଧ୍ୟରେ ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଆଗୁଆ ପଛୁଆ ହୋଇ ଚାଲିଛନ୍ତି।
ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ପଛୁଆ
ବିଜେଡ଼ିର ଛାମୁଆ ନେତା ଅତନୁ ସବ୍ୟସାଚୀ ନାୟକ ବିଜେପି ପ୍ରାର୍ଥୀଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି। ୯ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା (ସମୟ – ଅପରାହ୍ଣ ୧:୦୫) ଅତନୁଙ୍କୁ ୨୩ହଜାର ୧୫୩ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ୮ ହଜାର ୮୭୦ ଅଧିକ ଭୋଟ୍ ପାଇ ଆଗରେ ଅଛନ୍ତି। ଦୁର୍ଗାପ୍ରସନ୍ନଙ୍କୁ ଏପର୍ଯ୍ୟନ୍ତ ମିଳିଛି ୩୨ ହଜାର ୨୩ ଭୋଟ୍।
କେନ୍ଦ୍ରାପଡ଼ା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିବା ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଏଥର ନିର୍ବାଚନ ଏକ ବଡ଼ ଆହ୍ୱାନ ହୋଇଛି।
ଦିଗପହଣ୍ଡିରେ ସିଦ୍ଧାନ୍ତ ମହାପାତ୍ର ଆଗରେ
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ ଏଥର ବିଜେପିର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଥମ ୫ ରାଉଣ୍ଡ ସୁଦ୍ଧା ଏଠାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ୧୮ ହଜାର ୭୩୦ ଭୋଟ୍ ପାଇଛନ୍ତି।
ସିଦ୍ଧାନ୍ତ ବିଜେଡ଼ି ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କଠାରୁ ୩ ହଜାର ୮୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିପ୍ଳବଙ୍କୁ ଏପର୍ଯ୍ୟନ୍ତ ମିଳିଛି ୧୪ ହଜାର ୮୮୨ ଭୋଟ୍। ଏଠାରେ ଆଉ ୧୪ ରାଉଣ୍ଡ ଭୋଟ୍ ଗଣତି ଅଛି।
ସତ୍ୟବାଦୀରେ ସଞ୍ଜୟ ଦାସ ବର୍ମା ପଛରେ
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଭାଗ୍ୟ ପରୀକ୍ଷା କରୁଥିବା ବିଜେଡ଼ିର ଛାମୁଆ ନେତା ସଞ୍ଜୟ ଦାସ ବର୍ମା ଏପର୍ଯ୍ୟନ୍ତ ପଛରେ ପଡ଼ିଯାଇଛନ୍ତି। ସେ ତାଙ୍କର ପାରମ୍ପରିକ ବ୍ରହ୍ମଗିରି ଆସନରୁ ଗତଥର ନିର୍ବାଚନରେ ବିଜେପିର ଲଳିତେନ୍ଦୁ ମହାପାତ୍ରଙ୍କଠାରୁ ହାରିଥିଲେ। ଏଥର ଦଳ ତାଙ୍କୁ ବ୍ରହ୍ମଗିରି ବଦଳରେ ସତ୍ୟବାଦୀରୁ ଟିକେଟ୍ ଦେଇଥିଲା।
ସତ୍ୟବାଦୀର ମୋଟ ୨୬ଟି ରାଉଣ୍ଡ ମଧ୍ୟରୁ ୧୨ଟି ରାଉଣ୍ଡର ଭୋଟ୍ ଗଣତିର ତଥ୍ୟ ମିଳିଛି। ଦିନ ୧:୧୦ ସୁଦ୍ଧା ବିଜେପିର ଓମ୍ପ୍ରକାଶ ମିଶ୍ର ୩୯ ହଜାର ୯୪୦ ଭୋଟ୍ ପାଇଛନ୍ତି । ସେ ସଞ୍ଜୟଙ୍କଠାରୁ ୯ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି।