ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାସ୍ଥ୍ୟାବସ୍ଥାକୁ ନେଇ ଭୁଲ ତଥ୍ୟ ଦେବାରୁ ଅଡ଼ୁଆରେ ପଡ଼ିଛନ୍ତି ଆଇପିଏସ ଅଧିକାରୀ ଆଶିଷ ସିଂ। ଆଶିଷ ସିଂଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲ ରିପୋର୍ଟ ଦେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନର୍ବାଚନ କମିଶନ।
ଗତ ମେ’ ୪ ତାରିଖରୁ ଅସୁସ୍ଥତା ଦର୍ଶାଇ ଆଶିଷ ସିଂ ଛୁଟିରେ ରହିଥିଲେ। ଛୁଟିରେ ଯାଇ ସେ ନିର୍ଦ୍ଦିଷ୍ଟ ଏକ ଦଳକୁ ସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ଆଇପିଏସ ଆଶିଷ ସିଂଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ଭାରତୀୟ ନର୍ବାଚନ କମିଶନ ଏମ୍ସ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ଵରସ୍ଥିତ ଏମ୍ସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇ ଆଶିଷ ସିଂଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ମେଡିକାଲ ବୋର୍ଡ ଆଶିଷ ସିଂଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଉଭୟ ମାନସିକ ଏବଂ ଶାରୀରିକ ଭାବେ ଆଶିଷ ସିଂ ସୁସ୍ଥ ଥିବା ରିପୋର୍ଟରେ ଦର୍ଶାଯାଇଛି।
ଏହି ରିପୋର୍ଟ ଆସିବା ପରେ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଏପଟେ ବରିଷ୍ଠ ଆଇପିଏସ ଅଧିକାରୀ ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି। ନିଲମ୍ବନ ହଟିବା ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ନିର୍ବାଚନ କମିଶନ କହିଛନ୍ତି।
Tags: #IPSAshisSingh #ECI #Election #Odisha