ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ମଣିପାଲ ହସ୍ପିଟାଲରେ ଏକ ବିରଳ ହୃଦ ରୋଗର ଚିକିତ୍ସା ହୋଇଛି। ଏଠାରେ ସଫଳ ଅସ୍ତ୍ରୋପଚାର ପରେ ୭ ଦିନର ନବଜାତ ଶିଶୁ ପାଇଛି ନୂଆ ଜୀବନ। ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ୍ ରୋଗରେ ପୀଡ଼ିତ ଉକ୍ତ ଶିଶୁର ସଫଳତାର ସହିତ ଚିକିତ୍ସା କରିଛି। 

ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ୍ ରୋଗ ହେଲେ ହୃତପିଣ୍ଡ ଓ ଫୁସଫୁସକୁ ହେଉଥିବା ରକ୍ତ ପ୍ରବାହ ସଠିକ୍ ଭାବରେ ହୋଇପାରେ ନାହିଁ। ଶିଶୁଟି ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ଓଜନ ୨.୫ କେଜି ଥିବା ସହ ତା ଶରୀରରେ ୬୫ ପ୍ରତିଶତ ଅମ୍ଳଜାନ ସ୍ତର ଥିବା ବେଳେ ଏସିଡୋସିସ୍ ରହିଥିଲା। ଶିଶୁର ଜୀବନ ପ୍ରତି ବିପଦ ରହିଥିଲା।

ପ୍ରଥମେ ଶିଶୁକୁ ଔଷଧ ଦେଇ ସ୍ୱାସ୍ଥ୍ୟବସ୍ଥାକୁ ସ୍ଥିର ରଖାଯାଇଥିଲା। ଏହା ପରେ ଏକ ଚିକିତ୍ସା ପଦ୍ଧତି ବେଲୁନ୍ ପଲମୋନାରୀ ଭାଲଭୋଟୋମି ଏବଂ ପିଡିଏ ଷ୍ଟେଣ୍ଟିଂ କରାଯାଇଥିଲା, ଯାହାଦ୍ୱାରା ହୃଦ୍ କ୍ରିୟାରେ ଉନ୍ନତି ଆସିଥିଲା। ଅସ୍ତ୍ରୋପଚାର ସଫଳ ହେବା ପରେ ଶିଶୁର ଅମ୍ଳଜାନ ସ୍ତର ୯୫ ପ୍ରତିଶତକୁ ଅଣା ଯାଇଥିଲା, ଯାହାକି ପରେ ୯୮ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ଶିଶୁଟିର ଅସ୍ତ୍ରୋପଚାର ପାଇଁ ମଣିପାଲ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ପରାମର୍ଶଦାତା ଡାକ୍ତର ଦିବ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇଥିଲା। ଏଥିରେ ନିଓନାଟୋଲୋଜି ଟିମର ନେତୃତ୍ୱ ନେଇଥିଲେ ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟ ଓ ଡାକ୍ତର ଜାନକୀ ଏବଂ କାର୍ଡିଆକ ଆନାସ୍ଥେସିଓଲୋଜିଷ୍ଟ ଡାକ୍ତର ବିବେକ ଚୌଧୁରୀ ଓ ଡାକ୍ତର ବ୍ରଜ ମୋହନ ରଥ ପ୍ରମୁଖ ଏହି ଟିମରେ ସାମିଲ ଥିଲେ।

Tags: #ManipalHospital #HRHSyndrome #HeartDisease #NewBornChild #HealthCare #Bhubaneswar

LEAVE A REPLY

Please enter your comment!
Please enter your name here