ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବରୁ ଅନେକ ଥର ଶ୍ରୀମନ୍ଦିରରେ ରଥଯାତ୍ରା ବନ୍ଦ ହେବାର ନଜିର ରହିଛି। ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ୪୫୨ ବର୍ଷ ଭିତରେ ଦୀର୍ଘ ୩୨ ବର୍ଷ ରଥଯାତ୍ରା ବନ୍ଦ ହୋଇଥିଲା।
କଳାପାହାଡ଼ ଆକ୍ରମଣ ପରେ ୯ ବର୍ଷ ଧରି ରଥଯାତ୍ରା ବନ୍ଦ
୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗରାଜା ସୁଲେମାନ କିରରାନିଙ୍କ ଜେନେରାଲ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚିଲିକା ନିକଟବର୍ତ୍ତୀ ଛପଲ୍ଲୀ ନାମକ ସ୍ଥାନରେ ଲୁଚାଇ ରଖାଯାଇଥିଲା। କିନ୍ତୁ କଳାପାହାଡ଼ ବିଗ୍ରହଙ୍କର ସନ୍ଧାନ ପାଇ ସେଥିରେ ନିଆଁ ଲଗାଇ ଗଙ୍ଗା ନଦୀରେ ଭସାଇ ଦେଇଥିଲା। ପରେ ବିଶର ମହାନ୍ତି ନାମକ ଜଣେ ବୈଷ୍ଣବ ଏହି ଅର୍ଦ୍ଧଦଗ୍ଧ ବିଗ୍ରହରୁ ବ୍ରହ୍ମ ସଂଗ୍ରହ କରି ପୂଜା କରିଥିଲେ। କଳାପାହାଡ଼ର ଏହି ଆକ୍ରମଣ ପରେ ୧୫୬୮ ଖ୍ରୀଷ୍ଟାବ୍ଦ ୧୫୭୭ ମସିହା ପର୍ଯ୍ୟନ୍ତ ପୁରୀରେ ରଥଯାତ୍ରା ବନ୍ଦ ରହିଥିଲା।
୧୬୦୧ରେ ମିର୍ଜା ଖୁରୁମର ଆକ୍ରମଣ
ବେଙ୍ଗଲ ନବାବଙ୍କର ପ୍ରତିନିଧି ମିର୍ଜା ଖୁରୁମ ୧୬୦୧ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। କିନ୍ତୁ ସେବାୟତମାନେ ପୁରୀଠାରୁ ୧୪ କିଲୋମିଟର ଦୂରରେ ଥିବା କପିଳେଶ୍ଵରର ପଞ୍ଚମୁଖୀ ଗୋସାଣି ମନ୍ଦିରରେ ବିଗ୍ରହଙ୍କୁ ଲୁଚାଇ ଦେଇଥିଲେ। ମନ୍ଦିରରେ ଠାକୁର ନଥିବାରୁ ଏହି ବର୍ଷ ରଥଯାତ୍ରା ହୋଇପାରିନଥିଲା।
୧୬୦୭ରେ କାଶିମ୍ ଖାନର ଆକ୍ରମଣ
ଓଡ଼ିଶାରେ ଥିବା ମୋଗଲ ସୁବେଦାର କାଶିମ୍ ଖାନ ୧୬୦୭ ମସିହାରେ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ। ଏହି ସମୟରେ ସେବାୟତମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ଖୋର୍ଦ୍ଧାଗଡ଼ର ଗୋପାଳ ଜୀଉ ମନ୍ଦିରରେ ଲୁଚାଇ ରଖିଥିଲେ। ଏହାଫଳରେ ରଥଯାତ୍ରା ହୋଇନଥିଲା।
୧୬୧୧ରେ କଲ୍ୟାଣ ମଲଙ୍କ ଆକ୍ରମଣ
୧୬୧୧ ଖ୍ରୀଷ୍ଟାବ୍ଦରେ ମଧ୍ୟ ଶ୍ରୀମନ୍ଦିରରେ ରଥଯାତ୍ରା ବନ୍ଦ ରହିଥିଲା। ଏହି ବର୍ଷ ଆକବରଙ୍କ ରାଜସଭାରେ ଥିବା ତୋଡ଼ର ମଲଙ୍କ ପୁଅ କଲ୍ୟାଣ ମଲ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ ଓଡ଼ିଶାର ସୁବେଦାର ହୋଇ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଫଳରେ ବିଗ୍ରହଗୁଡ଼ିକୁ ଚିଲିକାର ମହିଷାନାଶିକୁ ସ୍ଥାନାନ୍ତର କରିନିଆଯାଇଥିଲା। ଏ ବର୍ଷ ରଥଯାତ୍ରା ହୋଇପାରିନଥିଲା।
୧୬୧୭ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ ଦ୍ଵିତୀୟ ଥର ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପୂର୍ବରୁ ଶ୍ରୀବିଗ୍ରହଙ୍କୁ ଚିଲିକାର ଗୁରୁବାଇଗଡ଼କୁ ନେଇଯାଇଥିଲେ ସେବାୟତ। ତେଣୁ ସେ ବର୍ଷ ମଧ୍ୟ ରଥଯାତ୍ରା ହୋଇନଥିଲା।
୧୬୨୧ରେ ଅହମଦ ବେଗ ଆକ୍ରମଣ
୧୬୨୧ ଖ୍ରୀଷ୍ଟାବ୍ଦରେ ମୁସଲମାନ ସୁବେଦାର ଅହମଦ ବେଗ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ। ଏହି ସମୟରେ ଶ୍ରୀବିଗ୍ରହଙ୍କୁ ବାଣପୁରର ଅନ୍ଧାରୀଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। ପରେ ବ୍ରହ୍ମଗୁଡ଼ିକୁ ଖୋର୍ଦ୍ଧା ଜିଲ୍ଲାର ଗଡ଼ମାଣିତ୍ରୀ ଗ୍ରାମକୁ ନିଆଯାଇଥିଲା। ଏଣୁ ଦୁଇ ବର୍ଷ ଅର୍ଥାତ୍ ୧୬୨୧ ଏବଂ ୧୬୨୨ ରେ ପୁରୀରେ ରଥଯାତ୍ରା ହୋଇନଥିଲା।
୧୬୯୨ରେ ଏକରାମ ଖାନ ଆକ୍ରମଣ
ମୋଗଲ କମାଣ୍ଡର ଏକରାମ ଖାନ ଓଡ଼ିଶା ଆକ୍ରମଣ କରିଥିଲେ। ଆକ୍ରମଣ ପୂର୍ବରୁ ଠାକୁରଙ୍କୁ ଖୋର୍ଦ୍ଧାର ବିମଳା ମନ୍ଦିର ପଛରେ ଲୁଚାଇ ରଖାଯାଇଥିଲା। ସେଠାରୁ ଠାକୁରଙ୍କୁ ଚିଲିକା ହ୍ରଦ ନିକଟରେ ଥିବା ଗଡ଼କୋକଲ ଗ୍ରାମକୁ ନିଆଯାଇଥିଲା। ସେଠାରୁ ଶ୍ରୀବିଗ୍ରହଙ୍କୁ ବାଣପୁରର ହନ୍ତୁଆଡ଼ ଗ୍ରାମକୁ ନିଆଯାଇ ୧୭୦୭ ଖ୍ରୀ.ଅ. ପର୍ଯ୍ୟନ୍ତ ରଖାଯାଇଥିଲା। ଶ୍ରୀମନ୍ଦିରରେ ଠାକୁର ନ ଥିବାରୁ ୧୩ ବର୍ଷ ଯାଏ ରଥଯାତ୍ରା ହୋଇପାରିନଥିଲା।
୧୭୩୧ ମହମ୍ମଦ ତକୀ ଖାନଙ୍କ ଆକ୍ରମଣ
୧୭୩୧ରେ ଓଡ଼ିଶାର ତତ୍କାଳୀନ ଡେପୁଟି ଗଭର୍ଣ୍ଣର ତକୀ ଖାନ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏଣୁ ଠାକୁରଙ୍କୁ ପ୍ରଥମେ ଚିଲିକାର କଙ୍କଣଶେଖରୀ କୁଦ ଓ ପରେ ଚିଲିକା ତହସିଲ ଅନ୍ତର୍ଗତ ନଇରି ଗାଁର ହରିଶ୍ଵର ମଣ୍ଡପକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଚିକିଲି ଗ୍ରାମରେ ରହିଥିଲେ ମହାପ୍ରଭୁ। ଏଣୁ ସେ ବର୍ଷ ରଥଯାତ୍ରା ହୋଇନଥିଲା।
୧୭୩୩ରେ ତକୀ ଖାନଙ୍କର ଦ୍ଵିତୀୟ ଆକ୍ରମଣ
୧୭୩୩ରେ ତକୀ ଖାନ ପୁଣି ଆକ୍ରମଣ କରିବାରୁ ଚତୁର୍ଦ୍ଧାବିଗ୍ରହଙ୍କୁ ପ୍ରଥମେ ହରିଶ୍ଵର ମଣ୍ଡପ ଏବଂ ପରେ ପୋଲସରାର ହାତିବାରି ପାହାଡ଼ରେ ଥିବା ମର୍ଦା ମନ୍ଦିରରେ ରଖିଥିଲେ ସେବାୟତ। ସେହିଠାରେ ହିଁ ଦୁଇ ବର୍ଷ ଧରି ସମସ୍ତ ଗୁପ୍ତ ନୀତି ହୋଇଥିଲା। ଏହା ଫଳରେ ୧୭୩୩ ରୁ ୧୭୩୫ ଯାଏ ରଥଯାତ୍ରା ହୋଇନଥିଲା।
Tags: #RathaYatra #Odisha #Tradition #ShreeJagannath #ShreeMandir