ଡକ୍ଟର ବିଶ୍ୱରଞ୍ଜନ ଦାସ

କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ ଜାରାଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ। ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ପାର୍ଥିବ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନଥିଲା। ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ। ପାଣ୍ଡବମାନେ ତାହାହିଁ କଲେ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁ ରୂପରେ ବାଙ୍କି ମୁହାଣରେ ଆବିର୍ଭାବ ହେଲା।

ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ। ସ୍ୱୟଂ ବିଶ୍ଵକର୍ମା ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ। ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ। କେବଳ ଅଧାଗଢ଼ା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା। ସେହି ସମୟରେ ମହାପ୍ରଭୁ କହିଥିଲେ: ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।

‘ସ୍କନ୍ଧପୁରାଣ’, ବ୍ରହ୍ମପୁରାଣ ଓ ଅନ୍ୟାନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟାନୁଯାୟୀ, ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧବ ରୂପରେ ବିଶ୍ୱାବସୁ ନାମକ ଜଣେ ଶବର ରାଜାଙ୍କ ଦ୍ୱାରା ଜଙ୍ଗଲର ଏକ ଗୁମ୍ଫାରେ ପୂଜିତ ହେଉଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କୁ ଅନୁସନ୍ଧାନ କରିବାକୁ ପଠାଇଥିଲେ ହେଁ ବହୁ ଚେଷ୍ଟା ସତ୍ତ୍ୱେ ବିଦ୍ୟାପତି ଠାବ କରିବାରେ ବିଫଳ ହୋଇଥିଲେ ଓ ଏ ସମ୍ପର୍କରେ ନିଜର ଶ୍ୱଶୁର ବିଶ୍ୱାବସୁଙ୍କୁ ଜଣାଇଥିଲେ।

ବିଶ୍ୱାବସୁ ଅନୁରୋଧ ରକ୍ଷାକରି ବିଦ୍ୟାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀଳମାଧବ ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କୁ ଦର୍ଶନ କରାଇଥିଲେ। କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନକୁ ପୁନଃ ଚିହ୍ନଟ କରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇଥିଲେ, ଯାହା ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହଯ୍ୟ କରିଥିଲା। ସେଠାରୁ ଫେରିବା ପରେ ସେ ଏକଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଲେ। ରାଜା ଏହାଶୁଣି ନୀଳମାଧବଙ୍କ ଦର୍ଶନ ନିମେନ୍ତ ଉତ୍କଳ ଦେଶକୁ ଯାଇଥିଲେ ଓ ବିଦ୍ୟାପତିଙ୍କ ସହାୟତାରେ ନୀଳକନ୍ଦର ଠାବ ହୋଇପାରିଥିଲା।

କିଏ ଓ କେବେ ତିଆରି କରିଥିଲେ ଶ୍ରୀମନ୍ଦିର?  

ଇତିହାସ ଅନୁଯାୟୀ, ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ ୨୧୪ ଫୁଟ୍ ୮ ଇଞ୍ଚ ଉଚ୍ଚତାବିଶିଷ୍ଟ ଶ୍ରୀମନ୍ଦିରର କାର୍ଯ୍ୟାରମ୍ଭ କରିଥିଲେ ଓ ପରେ ଅନଙ୍ଗ ଭୀମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଏହି ମନ୍ଦିର ଅବସ୍ଥିତ।

୧୪୫୨ ମସିହାରେ ଗଜପତି ମହାରାଜା କପିଳେନ୍ଦ୍ରଦେବ ଶ୍ରୀମନ୍ଦିର ଚାରିପଟେ ମେଘନାଦ ପ୍ରାଚୀର ନିର୍ମାଣ କରାଇଥିଲେ। ଏହା ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ୍ ଏବଂ ଉଚ୍ଚତା ୨୨ ଫୁଟ୍। ଏହି ପାଚେରି ସ୍ଥାନେସ୍ଥାନେ ୨୦ରୁ ୨୪ ଫୁଟ୍ ଉଚ୍ଚତାରେ ରହିଥିବା ମଧ୍ୟ ଦେଖାଯାଇଛି। ମେଘନାଦ ପାଚେରୀ ପରେ କୂର୍ମ ବେଢ଼ାର ଦୈର୍ଘ୍ୟ ୪୨୦ ଫୁଟ୍‌, ୩୫୦ ଫୁଟ ପ୍ରସ୍ଥ ଓ ୨୦ ଫୁଟ୍ ଉଚ୍ଚତାରେ ନିର୍ମିତ ହୋଇଛି। ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରେ। ଏହା ଉପରେ ପତିତପାବନ ବାନା ଫର ଫର ହେଇ ଉଡ଼ି ଅଗଣିତ ଭକ୍ତ, ପାପୀତପୀଙ୍କୁ ନିଜ ପାଖକୁ ଟାଣିଆଣି ଅଭୟ ପ୍ରଦାନ କରୁଛି ଓ ଶରଣପଞ୍ଜର ନାମକୁ ସାର୍ଥକ କରୁଛି।

ଅଧୁନା ଯେଉଁ ଶ୍ରୀମନ୍ଦିର ବିଦ୍ୟମାନ ତାହା ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଦେବଙ୍କ ଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର। ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକା-ନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୁଖୀ ଭାବେ ଅବସ୍ଥିତ ଥିବାର ଜଣାଯାଏ। ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟିୟ ୨ୟ କିମ୍ବା ୩ୟ ଶତକର ବୋଲି କେହି କେହି ପ୍ରତ୍ନତତ୍ତ୍ୱବିତ୍ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରିଥାନ୍ତି।

ଶ୍ରୀମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହାଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ। ବର୍ତ୍ତମାନ ସୁଦ୍ଧା ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଛି। ପୂର୍ବଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନ ପାଇଁ ଏକ ଦ୍ୱାର ଦକ୍ଷିଣାଭିମୁଖରେ ମଧ୍ୟ ଅବସ୍ଥିତ। ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାରଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବା ନିମିତ୍ତ କେତୋଟି ପାହାଚ ଚଢ଼ିବାକୁ ପଡ଼େ। ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ। ତେଣୁ ଏହାକୁ ମଧ୍ୟ ଅନ୍ୟତମ ସିଂହଦ୍ୱାର କୁହାଯାଇପାରେ। ଦ୍ୱାର ପ୍ରବେଶପଥରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣଘର ଅବସ୍ଥିତ।

ଭକ୍ତ ପ୍ରବେଶପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ ରହିଛି, ଯେଉଁଠି ଝୁଲଣଯାତ୍ରା ଅନୁଷ୍ଠିତ ହୁଏ। ମୁକ୍ତିମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଓ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଛି।

କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଓ ଏହି ମନ୍ଦିରରେ ଶକ୍ତିଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହିତ। ମନ୍ଦିରର ତିନି ପାଶ୍ୱର୍ରେ କାର୍ତ୍ତିକ, ପାର୍ବତୀ ଓ ଗଣେଶଙ୍କ ପରିବର୍ତ୍ତେ ନୃମୁଣ୍ଡମାଳିନୀ ଖଡ୍ଗଧାରିଣୀ ଭୈରବୀ ମୂର୍ତ୍ତିମାନ ଅଛନ୍ତି। ଏଥିମଧ୍ୟରୁ ପୂର୍ବପାଶ୍ୱ ଗଢ଼ା ଭୈରବୀ କୁତାମଚଣ୍ଡୀ ରୂପେ ସର୍ବଜନ ପରିଚିତା ଓ ଅରାଧିତା।

ଶ୍ରୀମନ୍ଦିରର ପୂର୍ବଦିଗରେ ଅନନ୍ତଶୟନ ବାସୁଦେବ, ଦକ୍ଷିଣ ପଶ୍ଚିମ କୋଣରେ ମୁକ୍ତେଶ୍ୱର ମହାଦେବ, ପଶ୍ଚିମରେ ମୁକ୍ତିମଣ୍ଡପ ଓ ଉତ୍ତର ଦିଗରେ ସୂର୍ଯ୍ୟପୂଜା ମଣ୍ଡପାଦି ଦ୍ୱାରା ପରିବେଷ୍ଟିତ ରହି ଏକପ୍ରକାର ଅବହେଳିତ ତଥା ଲୋକଲୋଚନର ଅଗୋଚରରେ ରହିଛି ।

ପୋତି ହେଇଥିବା ମନ୍ଦିରର ପୁନଃ ଆବିଷ୍କାର

ପୋତାଦେଉଳ ସମ୍ପର୍କରେ ସ୍କନ୍ଧପୁରାଣ ସହିତ ଅତି ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି କବି କୃଷ୍ଣ ଦାସଙ୍କ ରଚିତ ‘ଦେଉଳତୋଳା’ ପୁସ୍ତିକାରେ। କିମ୍ବଦନ୍ତୀରୁ ଜଣାଯାଏ, ବଡ଼ଦେଉଳ ଶ୍ରୀମନ୍ଦିରର ଆଦିନିର୍ମାତା ହେଉଛନ୍ତି ମହାରାଜା ଇନ୍ଦ୍ରଦ୍ୟୁମ୍ନ। ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ପ୍ରତିଷ୍ଠା ପାଇଁ ବ୍ରହ୍ମଲୋକ ଯାଇଥିଲେ। ବ୍ରହ୍ମା ସେତେବେଳେ ତପସ୍ୟାରତ ଥିଲେ। ତପସ୍ୟା ଭାଂଗିବା ପର୍ଯ୍ୟନ୍ତ ବ୍ରହ୍ମଲୋକରେ ଇନ୍ଦ୍ରଦ୍ୟୁମ୍ନ ଅପେକ୍ଷା କଲେ ଓ ତର୍ପଣାନ୍ତେ ତାଙ୍କୁ ଘେନି ମର୍ତ୍ତ୍ୟପୁର ଫେରିଥିଲେ। ସେତେବେଳକୁ ମର୍ତ୍ତ୍ୟରେ ଶହଶହ ବର୍ଷ ବିତି ଯାଇଥିଲା ଓ ବଡ଼ଦେଉଳଟି ବାଲିରେ ପୋତି ପଡ଼ିଥିଲା।

ବହୁକାଳ ପରେ ଉତ୍କଳର ନରପତି ଗାଲମାଧବ ସେହି ବାଟଦେଇ ଘୋଡ଼ା ଝପଟେଇ ଯାଉଥିବା ବେଳେ ରାଜାଙ୍କ ଘୋଡ଼ାର ଟାପୁ ପୋତାଦେଉଳ ଚୂଡ଼ାରେ ବାଜିବାରୁ ଘୋଡ଼ାର ପାଦ ରକ୍ତ ଜୁଡୁବୁଡୁ ହେଲା ଓ ସେ ବାଲିରେ ପଡ଼ିଗଲା। ଘୋଡ଼ାରୁ ଓହ୍ଲାଇ ଗାଲମାଧବ ବାଲି ଆଡ଼େଇ ଦେଖିଲେ ଏକ ବିଶାଳ ମନ୍ଦିର ଚୂଡ଼ା।

ସେ ନିଜର ସୈନ୍ୟ ସାମନ୍ତ ଲଗାଇ ବାଲି ଖୋଳିବାରୁ ଦୃଶ୍ୟମାନ ହେଲା ଗୋଟେ ସୁଦୃଶ୍ୟ ବିଶାଳ ମନ୍ଦିର। ଗାଲମାଧବ ମନ୍ଦିରକୁ ଉଦ୍ଧାର କରି ଦାବି କଲେ ମୁଁ ଏହାକୁ ନିର୍ମାଣ କରିଛି ବୋଲି। ଏପଟେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ବ୍ରହ୍ମଲୋକରୁ ଆଣି ମନ୍ଦିର ପ୍ରତିଷ୍ଠା ନିମେନ୍ତ ପହଞ୍ଚିଥିଲେ। ହେଲେ ଗାଲମାଧବ ମନ୍ଦିର ଉପରେ ନିଜର ଅଧିକାର ସାବ୍ୟସ୍ତ କଲେ।

ଦୁହିଁଙ୍କ ମଧ୍ୟରେ କନ୍ଦଳ ତୀବ୍ରତର ହେବାରୁ ବ୍ରହ୍ମା ମଧ୍ୟସ୍ଥତା କରି କହିଲେ, ହେ ରାଜାମାନେ ତୁମେ ଏହି ମନ୍ଦିର ନିର୍ମାଣ କରିଛ ବୋଲି ପ୍ରମାଣ ସ୍ୱରୂପ କେହି ସାକ୍ଷୀ ଅଛନ୍ତି କି? ଗାଲମାଧବ ତ ଗାଲୁ ମାରୁଥିଲେ। ସେ ସାକ୍ଷୀ କେଉଁଠୁ ଆଣିବେ? ଏଣୁ ଚୁପ୍ ରହିଲେ। ସେିତିକିବେଳେ ଇନ୍ଦ୍ରଦ୍ୟୁମ୍ନଙ୍କର ନଜର ପଡ଼ିଲା କଳ୍ପବଟ ଉପରେ ବସିଥିବା ଏକ ଭୂଷଣ୍ଡ କାକ ଉପରେ।

ଏହାର ବର୍ଣ୍ଣନା ଅଛି- “ଇନ୍ଦ୍ରଦ୍ୟୁମ୍ନ ବୋଇଲା ମୋହର ସାକ୍ଷୀ ଅଛି / କଳପବଟରେ ଯେଉଁ କାକ ବସିଅଛି। ସେତେବେଳେ ଭୂଷଣ୍ଡକାକ ଉର୍ଦ୍ଧ୍ୱରେତା ହୋଇ ବ୍ରହ୍ମସାଧନାରେ ଲିପ୍ତ ଥିଲେ। ସେ ବ୍ରହ୍ମାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ବ୍ରହ୍ମା ଏଥିରେ କ୍ରୋଧାନ୍ୱିତ ହୋଇ କହିଲେ, ତୁମେ ମୋ କଥାକୁ କର୍ଣ୍ଣପାତ କରୁନାହଁ! ମୁଁ କିଏ ତୁମେ ଜାଣିଛ? ମୁଁ ହେଉଛି ସ୍ୱୟଂ ବେଦପତି ଚତୁରାନନ ବ୍ରହ୍ମା। ଏକଥା ଶୁଣି କାକର ଧ୍ୟାନଭଗ୍ନ ହେଲା। ସେ ବ୍ରହ୍ମାଙ୍କୁ କହିଲେ- “ଆହେ ତୁମ୍ଭେ କେଉଁ ବ୍ରହ୍ମା ହୋ! ମୁଁ ପରା ଏଠି କୋଟିକୋଟି ବ୍ରହ୍ମାଙ୍କୁ ଦେଖି ସାରିଲିଣି। ଜଣେ ସହସ୍ରମୁଖ ବ୍ରହ୍ମା ଥିଲା, ତା’ର ମାତ୍ର ପାଞ୍ଚଦିନ ଭିତରେ ମୃତ୍ୟୁ ହୋଇଛି। ତୁ ତ ଚର୍ତୁମୁଖୀ ବ୍ରହ୍ମା। କାଲି ପରି ବିଷ୍ଣୁଙ୍କ ନାଭି କମଳରୁ ଜନ୍ମ ହୋଇଛ।”

ଭୂଷଣ୍ଡକାକଠାରୁ ଏପରି କଥା ଶୁଣି ବେଦବର ବ୍ରହ୍ମାଙ୍କ ମୋହ ଭଂଗ ହେଲା। ସେ ଜାଣିପାରିଲେ ଏ କାକ ସାମାନ୍ୟ ଏକ ପକ୍ଷୀ ନୁହେଁ। ଏ ହେଉଛନ୍ତି କଳ୍ପଜୀବି, ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ କାକ ମହାରାଜ। ତାକୁ ଅନୁନୟ ହୋଇ ପୁଚ୍ଛା କରନ୍ତେ ଏ ବିଶାଳ କୀର୍ତ୍ତି ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କର ବୋଲି କହିବାରୁ ବିବାଦର ଅନ୍ତଃ ଘଟିଲା। ଏହାପରେ ନୀଳାଚଳରେ ଶ୍ରୀମନ୍ଦିର ପ୍ରତିଷ୍ଠା ପାଇଲା।

ମହାରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଧା ଦାରୁବିଗ୍ରହଙ୍କୁ ରତ୍ନ ସିଂହାସନରେ ଆରୂଢ଼ କରାଇଲେ। ମହାପ୍ରଭୁ ଏଥିରେ ସନ୍ତୁଷ୍ଟ ହୋଇ ନୀଳାଚଳରେ ଏ ଅକ୍ଷୟ କୀର୍ତ୍ତି ସ୍ଥାପନ ନିମନ୍ତେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ଯାଚଜ୍ଞା କଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନ କରପତ୍ର ଯୋଡ଼ି କହିଲେ-

 “ତୁମ୍ଭେ ଯେବେ ବର ଦେବ ମାଗୁଅଛି ମୁହିଁ / ମୋହର ବଂଶରେ କେହି ନଥିବେ ଗୋସାଇଁ  

ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭର / ଆମ୍ଭର ବୋଲନ୍ତେ ଧର୍ମ ନାଶ ଯିବ ମୋର।”

ଶ୍ରୀମନ୍ଦିର ନିର୍ମାଣର ସାକ୍ଷୀ ଭୂଷଣ୍ଡକାକ କଳ୍ପବଟ ଉପରେ ସୁଷୁପ୍ତି ଅବସ୍ଥାରେ ବସି ଥିବାବେଳେ ଅସାବଧାନତାବଶତଃ ରୋହିଣୀକୁଣ୍ଡରେ ପଡ଼ିଯିବାରୁ ଚର୍ତୁଭୁଜ ରୂପ ଧାରଣ କରି ବିଷ୍ଣୁଲୋକ ଗମନ କଲେ। ଏଣୁ ଶ୍ରୀମନ୍ଦିର ଭିତରବେଢ଼ା ମା’ ବିମଳାଙ୍କ ମନ୍ଦିର ସାମ୍ନାରେ ଅବସ୍ଥିତ ରୋହିଣୀକୁଣ୍ଡରେ ଭୂଷଣ୍ଡକାକଙ୍କ ଦର୍ଶନ ମିଳିଥାଏ।

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିଷ୍ଠା

‘ସ୍କନ୍ଧ ପୁରାଣ’ ଅନୁଯାୟୀ, ଶ୍ରୀଜୀଉଙ୍କ ଦାରୁ ମୂର୍ତ୍ତି ନିର୍ମାଣ କରିଥିଲେ ବିଶ୍ୱକର୍ମା। ବାଙ୍କିମୁହାଣରୁ ସଂଗୃହୀତ ଦାରୁରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରିବାକୁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଭିନ୍ନ ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଆଣି କାମରେ ଲଗାଇଥିଲେ। କିନ୍ତୁ ସେମାନଙ୍କ ନିହାଣମୁନ ଓଲଟିଗଲା ହେଲେ ସେ ଦାରୁ ଖୋଳା ଯାଇପାରିଲା ନାହିଁ। ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସେମାନେ ଫେରିଯିବାରୁ ରାଜା ବଡ଼ ଚିନ୍ତିତ ହୋଇପଡ଼ିଲେ।

କିଛିଦିନ ପରେ ଜଣେ ବୟବୃଦ୍ଧ ବଢ଼େଇ ଆସି ମୂର୍ତ୍ତିନିର୍ମାଣ କରିବାକୁ ରାଜାଙ୍କ ନିକଟରେ ଆଗ୍ରହ ପ୍ରକାଶ କଲେ। ସେ ରାଜାଙ୍କ ପାଖରେ ସର୍ତ୍ତ ରଖିଲେ ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବନାହିଁ ଓ ସେ ଉପବାସ ରହି ମୂର୍ତ୍ତି ଗଢ଼ିବେ। ରାଜା ଏଥିରେ ରାଜିହୋଇ ମନ୍ଦିର ଦ୍ୱାର ବନ୍ଦ କରିଦେଲେ। ପ୍ରତ୍ୟେକ ଦିନ ରାଜା ଭିତରର ଠକ ଠକ ଶବ୍ଦ ଶୁଣନ୍ତି। କିନ୍ତୁ କିଛିଦିନ ପରେ ହଠାତ ଦିନେ ଭିତରୁ ଆଉ ଶବ୍ଦ ଆସିଲାନାହିଁ। ଗୁଣ୍ଡିଚା ରାଣୀ ଧୈର୍ଯ୍ୟଧରି ରହିପାରିଲେ ନାହିଁ। ବୃଦ୍ଧ ବଢ଼େଇ ଭୋକଉପାସରେ ସେଠାରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଦେଲେ ଓ ରାଜାଙ୍କୁ କବାଟ ଖୋଲିବାକୁ ଅନୁରୋଧ କଲେ।

ତେବେ କବାଟ ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୃଦ୍ଧ ବଢ଼େଇ ଜଣକ ଅନ୍ତର୍ଦ୍ଧାନ ହୋଇଯାଇଛି ଓ ଅଛି କେବଳ ତା’ ହାତର ସେହି ଦରଗଢ଼ା ମୂର୍ତ୍ତି। ଏଥିରେ ରାଜା ଓ ରାଣୀ ଘୋର ଚିନ୍ତାରେ ପଡ଼ିଗଲେ। ସେତିକିବେଳେ ଶୂନ୍ୟବାଣୀ ହେଲା ଯେ- “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ହୋଇସାରିଛି । ଏଥିରେ ଆଦୌ ଶୋଚନା କରିବାର ନାହିଁ।” ସେହି ବୃଦ୍ଧ ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା। ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବାକୁ ଆସି ନିଜର ମୂର୍ତ୍ତି ନିଜେ ଗଢ଼ିଥିଲେ ବୋଲି ବିଶ୍ୱାସ ରହିଆସିଛି।

ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ଆକ୍ରମଣ

କଳିଙ୍ଗ ଯେ କେବଳ ଧନଧାନ୍ୟରେ ପୂର୍ଣ୍ଣ ଥିଲା ତା’ ନୁହେଁ, ଆଗଙ୍ଗା ଗୋଦାବରୀ ବିଶାଳ ସୈନ୍ୟବାହିନୀ ଦ୍ୱାରା ସୁରକ୍ଷିତ ଥିଲା। ଉତ୍କଳ ପ୍ରଦେଶ ହାତୀ, ହାତୀଦାନ୍ତ, ସ୍ୱର୍ଣ୍ଣ, ରୌପ୍ୟ, ହୀର, ମୋତି, ମାଣିକ୍ୟ ପରି ମୂଲ୍ୟବାନ ଧାତୁ ପାଇଁ ଅନେକ ପାଶ୍ଚାତ୍ୟ ଦେଶମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ପୁଣି ଏସବୁ ସମ୍ପତ୍ତିର ଏକ ବିଶାଳ ଅଂଶ ମନ୍ଦିରମାନଙ୍କରେ ଜମା ହୋଇ ରହୁଥିଲା। ତେଣୁ ଲୁଣ୍ଠନକାରୀମାନେ ମନ୍ଦିରମାନଙ୍କୁ ହିଁ ସେମାନଙ୍କ ଆକ୍ରମଣ ଓ ଲୁଣ୍ଠନର ଉତ୍ସ ବୋଲି ଧରି ନେଇଥିଲେ।

ଇତିହାସରୁ ଜଣାଯାଏ, ସମୁଦାୟ ଆଠଥର ଶ୍ରୀମନ୍ଦିର ଉପରେ ଆକ୍ରମଣ ହୋଇଥିଲା। କିନ୍ତୁ ଜଣାଯାଇଛି ଯେ ଆହୁରି ପାଞ୍ଚଥରର ଆକ୍ରମଣ ସମ୍ପର୍କରେ ସବିଶେଷ ବିବରଣୀ ପ୍ରସ୍ତୁତ ହୋଇନାହିଁ। ମହାପ୍ରଭୁଙ୍କୁ ମୋଟ ୨୧ ଥର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରିନିଆଯାଇଥିବା ସମ୍ପର୍କରେ ସୂଚନା ମିଳେ।

ପୁରୀ ଶ୍ରୀମନ୍ଦିରକୁ ଜଳପଥରେ ଆସି ରତ୍ନଭଣ୍ଡାରରୁ ରକ୍ତବାହୁ ଅଚଳାଚଳ ସମ୍ପତ୍ତି ଲୁଣ୍ଠନ କରିନେଇଥିଲା। ଏହି ସମୟରେ ତିନି ମହାପ୍ରଭୁଙ୍କୁ ସୁଦୂର ସୋନପୁରରେ ନେଇ ପାତାଳି କରି ରଖାଯାଇଥିଲା। ଦୀର୍ଘ ୧୪୫ ବର୍ଷ କୋଟି ହୃଦୟର ମଉଡ଼ମଣି ଅଖୋଜା, ଅଲୋଡ଼ା ଭାବେ ପାତାଳି ହୋଇ ମଧ୍ୟ ରହିଥିଲେ। ଏହାପରେ ଦୀର୍ଘବର୍ଷ ଧରି ଓଡ଼ିଶା ଯବନଙ୍କ ଅମାନୁଷିକ ଲୁଣ୍ଠନ, ଗଣହତ୍ୟା, ବଳପୂର୍ବକ ଧର୍ମାନ୍ତରୀଣ ଇତ୍ୟାଦିର ଶିକାର ହୋଇଥିଲା।

ଶ୍ରୀମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି, ରତ୍ନଭଣ୍ଡାର, ରଥଯାତ୍ରାକୁ ନେଇ ଯେଉଁ ମହାନ ଐତିହ୍ୟର କାହାଣୀ ରହିଛି, ବହୁ ବିଦେଶୀ ଭିନ୍ନଭିନ୍ନ ଉଦ୍ଦେଶ୍ୟରେ ଉତ୍କଳକୁ ଆସି ସେମାନଙ୍କ ଉଦ୍ଦେଶ୍ୟ ଚରିତାର୍ଥ କରିଛନ୍ତି। ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ନାଁ ପରିବର୍ତ୍ତନ ହୋଇ ‘ଜଗର୍ନଟ’ରେ ପରିଣତ ହୋଇଛି।

ରକ୍ତବାହୁ ପରେ ତକିଖାଁ, ବଙ୍ଗ ସୁଲତାନ ଇଲିୟାସ, ଦିଲ୍ଲୀ ବାଦଶାହା ଫିରୋଜଶାହା ତୋଗଲକ ଓ ବଙ୍ଗ ସୁଲତାନ ଇସମାଇଲି ଗାଜି ମଧ୍ୟ ଶ୍ରୀମନ୍ଦିର ଆକ୍ରମଣ କରି ଲୁଣ୍ଠନ ଓ ଅନେକ ଲୋକଙ୍କୁ ହତ୍ୟା କରିଛନ୍ତି। ତା’ପରେ ହୋଇଛି ‘କଳାପାହାଡ଼’ର ଦୁର୍ଦ୍ଦର୍ଷ ଆକ୍ରମଣ। ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ପରେ ସାମରିକ ଶକ୍ତିର ଦୁର୍ବଳତା, ରାଜନୈତିକ ଚଞ୍ଚକତା, ଜନସାଧାରଣଙ୍କ ମାତ୍ରାଧିକ ଧର୍ମପରାୟଣ ଗୁଣ ଏଭଳି ଆକ୍ରମଣକାରୀଙ୍କୁ ପୁଞ୍ଜି ଯୋଗାଇଛି। ‘ମାଦଳାପାଞ୍ଜି’, ‘ଚଇନିଙ୍କ ଚକଡ଼ା’ ଓ ‘ଚୟନୀ ପୋଥି’ରେ ଏ ଆକ୍ରମଣର କାହାଣୀ ସବୁ ଲିପିବଦ୍ଧ।

କଳାପାହାଡ଼ର ଆକ୍ରମଣର ଭୟାବହତା ସମ୍ପର୍କରେ ‘ମାଦଳାପାଞ୍ଜି’ ଅନୁସାରେ- ଶ୍ରୀମନ୍ଦିର ରତ୍ନଭଣ୍ଡାରର ‘ବାବନକୋଟି ଭଣ୍ଡାର’ ଲୁଟ୍ କରିଥିଲା ଏହି ବର୍ବର। ଶ୍ରୀବିଗ୍ରହଙ୍କୁ ସେ ଦଉଡ଼ିରେ ବାନ୍ଧି ଘୋଷାରି ନେଇଥିଲା ଓ ଖଣ୍ଡକଣ୍ଡ କରି କାଟି ପକାଇଥିଲା। ଶିଖି-ମନାଇଙ୍କ ଓ ଦାନପାତ୍ରଙ୍କ ପ୍ରଭୃତିଙ୍କ ବିଶ୍ୱାସଘାତକତାକୁ ଏ ଜାତିର ଏକ କଳଙ୍କ ଭାବେ ସ୍ମରଣୀୟ ହୋଇ ରହିଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବାରମ୍ବାର ଆସ୍ଥାନ ପରିବର୍ତ୍ତନ କରାଯାଇ ଗୁପ୍ତରେ ପୂଜା କରାଯାଇଛି। ଏତେସବୁ ଆକ୍ରମଣ ପରେ ବି ଶ୍ରୀବନ୍ଦିର ବର୍ତ୍ତି ଯାଇଛି ଓ ଓଡ଼ିଆ ଜାତି ପୁଣି ଅଣ୍ଟାଭିଡ଼ି ଠିଆ ହୋଇଛି।

ଶ୍ରୀମନ୍ଦିରର ପ୍ରତ୍ନତାତ୍ତିକ ବିଶେଷତ୍ୱ

ଶ୍ରୀମନ୍ଦିର ପଞ୍ଚରଥ ଶୈଳୀରେ ନିର୍ମିତ। ଦେଉଳଟି ଚାରି ଭାଗରେ ବିଭକ୍ତ: ଯଥା- ବିମାନ ବା ଗର୍ଭଗୃହ (ମୁଖ୍ୟମନ୍ଦିର), ଜଗମୋହନ ବା ମୁଖଶାଳା, ନାଟମଣ୍ଡପ ଏବଂ ଭୋଗମଣ୍ଡପ। ଭୋଇବଂଶ ପ୍ରଥମ ରାଜା ରାମଚନ୍ଦ୍ରଦେବଙ୍କ ସମୟରେ ମାନସିଂହଙ୍କ ପତ୍ନୀ ଗୌରୀ ମହାଦେବୀ ମୁକ୍ତିମଣ୍ଡପର ନିର୍ମାଣ କରାଇଥିଲେ। ୩୮ ଫୁଟ୍ ଦୈର୍ଘ୍ୟ ଓ ୩୮ ଓସାରର ଓ ୧୬ଟି ସ୍ତମ୍ଭ ବିଶିଷ୍ଟ ମୁକ୍ତିମଣ୍ଡପ ନିର୍ମାଣ କରାଯାଇଥିଲା।

ପ୍ରାବନ୍ଧିକ ଚିତ୍ତରଂଜନ ଦାସଙ୍କ ମତାନୁଯାୟୀ, ଶ୍ରୀମନ୍ଦିର ନିର୍ମାଣର ପ୍ରାୟ ୩୦୦ ବର୍ଷ ପରେ ଲୁଣି ଜଳବାୟୁ ପ୍ରଭାବରେ ପଥରଗୁଡ଼ିକ ନଷ୍ଟ ହେବାର ଆଶଙ୍କା କରି ୧୫୦୪ ଖ୍ରୀଷ୍ଟାବ୍ଦରୁ ୧୫୩୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏକ ବହଳ ଚୂନର ଆସ୍ତରଣ ଦିଆଯାଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଯାଞ୍ଚ ପରେ ଏହି କଥା କୁହାଯାଇଥିଲା।

ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତ ଅନୁଯାୟୀ, ୧୬୧୧ ଖ୍ରୀଷ୍ଟାବ୍ଦରେ କୋଣାର୍କ ମନ୍ଦିର ଭାଂଗିଯିବା ପରେ ଶ୍ରୀମନ୍ଦିର ସଂରକ୍ଷଣ ଓ ସ୍ଥାୟୀତ୍ୱ ନେଇ ରାଜା ଓ ଶିଳ୍ପୀମାନଙ୍କ ସହ ବ୍ୟାପକ ଆଲୋଚନା ହୋଇଥିଲା। ଶିଳ୍ପୀମାନଙ୍କ ପରାମର୍ଶ ଅନୁଯାୟୀ ୧୬୨୧ରୁ ୧୬୪୭ ଖ୍ରୀଷ୍ଟାବ୍ଦରେ ଗଜପତି ମହାରାଜା ନରସିଂହ ଦେବଙ୍କ ସମୟରେ ଏହି କାର୍ଯ୍ୟ ସମାପନ ହୋଇଥିଲା।

ପୂର୍ବକାଳରେ ରାଜା ମହାରାଜାମାନଙ୍କ କୃତି ଓ କୀର୍ତ୍ତିର ସ୍ୱାକ୍ଷର ଥିଲା ମନ୍ଦିର। ବିଭିନ୍ନ ପ୍ରକାର କଳା, ସ୍ଥାପତ୍ୟ, ରଙ୍ଗ, ନୃତ୍ୟ, ଗୀତ ଆଦି ମନ୍ଦିର ସହିତ ସଂଲଗ୍ନ। ଶ୍ରୀମନ୍ଦିରର ମୂଳଭିତ୍ତିକୁ ଆକଳନ କରି ଏହାର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ ଓ ତୃତୀୟ ଶତକର ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଥାନ୍ତି।

ଓଡ଼ିଶାର ସଂସ୍କୃତି, ଧର୍ମଧାରା ଓ ଜୀବନଶୈଳୀ ଉପରେ ଏହି ମନ୍ଦିରର ଏକ ବିଶେଷ ସ୍ଥାନ ରହିଛି। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ବଡ଼ଦେଉଳ ବିଶ୍ୱର ପୂର୍ବ-ଦକ୍ଷଣ (ଅଗ୍ନକୋଣ)ରେ ଭାରତ, ଭାରତର ଅଗ୍ନକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନକୋଣରେ ପୁରୀ, ପୁରୀର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଛି। ମହୋଦଧୀ ତୀରେ ଥିଲେହେଁ ଏଠାରେ କୂଅ ଖୋଳିଲେ ଲୁଣିପାଣି ନଝରି ମଧୁର ଜଳ ବାହାରିଥାଏ। ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଥିଲା।

(ଲେଖକ ହେଉଛନ୍ତି ଭଦ୍ରକ ବିଏନଏମଏ କଲେଜର ଓଡ଼ିଆ ବିଭାଗ ମୁଖ୍ୟ। ମତାମତ ନିଜସ୍ଵ।)

Tags: #SriMandir #LordJagannath #Culture #Tradition #History #Puri #Odisha

LEAVE A REPLY

Please enter your comment!
Please enter your name here