ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମାନାମାସ୍ଥିତ ୨୦୦ ବର୍ଷ ପୁରୁଣା ପ୍ରତିଷ୍ଠିତ ଶ୍ରୀନାଥଜୀ ମନ୍ଦିରରେ ଏହି ରଥଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା। ବାହାରିନ ଓଡ଼ିଆ ସମାଜ ଓ ଇସ୍କନର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।

ଏଠାରେ ଶ୍ରୀକ୍ଷେତ୍ର ପୁରୀର ରୀତିନୀତି ଅନୁଯାୟୀ ସବୁ ବିଧି ବିଧାନର ସହିତ ଶ୍ରୀଜୀଉମାନଙ୍କ ପହଣ୍ଡିବିଜେ, ରଥପ୍ରତିଷ୍ଠା, ଛେରାପହଁରା ହୋଇ ରଥଟଣା ଆରମ୍ଭ ହୋଇଥିଲା। ବିଭିନ୍ନ ଦେଶ ଓ ସମ୍ପ୍ରଦାୟର ପ୍ରାୟ ୧୦ ହଜାର ଭକ୍ତଙ୍କ ଗହଣରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମହାପ୍ରସାଦ ସେବା, ସଂକୀର୍ତ୍ତନ ତଥା ନାମଯଜ୍ଞ ଆଦି ସମ୍ପାଦିତ ହୋଇଥିଲା।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ଛେରାପହଁରା କାର୍ଯ୍ୟ ତୁଲାଇଥିଲେ। ଏହାସହିତ ସମାଜର ଅନ୍ୟ ସଦସ୍ୟମାନେ ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ।

“ଚଳିତବର୍ଷ ବାହାରିନରେ ବହୁ ଆନନ୍ଦ ଉତ୍ସାହର ସହିତ ପବିତ୍ର ରଥଯାତ୍ରା ପାଳନ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଚେତନା ଓ ଦର୍ଶନକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରିବା ଲାଗି ଏହା ଏକ କ୍ଷୁଦ୍ର ପ୍ରୟାସ। ଏଥିରେ ସବୁ ଓଡ଼ିଆଙ୍କ ଯୋଗଦାନ ପାଇଁ ମୁଁ ଗର୍ବିତ”, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।

ଏହି ରଥଯାତ୍ରାରେ ବାହାରିନରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ପ୍ରଶାସନିକ ଅଧିକାରୀ ରବି କୁମାର ଜୈନ ଯୋଗ ଦେଇଥିଲେ। ସେହିପରି ଯାତ୍ରାରେ ସାମିଲ ହୋଇଥିବା ସବୁ ଭକ୍ତଙ୍କୁ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଡକ୍ଟର ଅରୁଣ କୁମାର ପ୍ରହରାଜ କୃତଜ୍ଞତା ଜଣାଇଥିଲେ।

Tags: #RathaJatra #SrinathjiTemple #BahrainOdiaSamaj #Bahrain

LEAVE A REPLY

Please enter your comment!
Please enter your name here