ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଖୋଲିବ ରତ୍ନଭଣ୍ଡାର। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ରତ୍ନଭଣ୍ଡାର ଖୋଲାଯିବା ନେଇ ବୁଧବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ରତ୍ନଭଣ୍ଡାର ଯାଞ୍ଚ କମିଟି ଦେଇଥିବା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟିର ମଞ୍ଜୁରୀ ମିଳିବା ପରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଯଦି ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଏ, ତେବେ ରାଜ୍ୟ ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିବ। କେମିତି ରତ୍ନଭଣ୍ଡାରରୁ ଅଳଙ୍କାରମାନ ସ୍ଥାନାନ୍ତର ହେବ, ଅସ୍ଥାୟୀ ରତ୍ନଭଣ୍ଡାରର ସୁରକ୍ଷା କିପରି କରାଯିବ, ଗଣତି ମଣନି କାର୍ଯ୍ୟରେ କେଉଁମାନେ ନିୟୋଜିତ ରହିବେ ଏବଂ ଅଳଙ୍କାର ତାଲିକା ପ୍ରସ୍ତୁତି ସମୟରେ ଭକ୍ତମାନେ କିପରି ଠାକୁରଙ୍କ ଦର୍ଶନ କରିବେ, ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବାବେଳେ ଯାଞ୍ଚ କମିଟିର ସଦସ୍ୟ ରାଜୀବ କୁମାର ସାହୁ କହିଛନ୍ତି, ରତ୍ନଭଣ୍ଡା ଖୋଲିବା ବେଳେ ରେକର୍ଡ ଅଫ ରାଇଟସ ଅନୁସାରେ କେଉଁମାନେ ଉପସ୍ଥିତ ରହିବେ ଏବଂ ଯାଞ୍ଚ କମିଟି ତରଫରୁ କେଉଁମାନେ ରହିବେ ତାହା ଶୀଘ୍ର ସ୍ଥିର କରାଯିବ।

ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ଵିତୀୟ ବୈଠକ ବସିଥିଲା। ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହା ପୂର୍ବରୁ ଜୁଲାଇ ୬ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନୂଆ କମିଟିର ପ୍ରଥମ ବୈଠକ ବସିଥିଲା। ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଥିଲେ, ଦୀର୍ଘ ଦଶନ୍ଧି ହେଲା ରତ୍ନଭଣ୍ଡାରର ତାଲା ଖୋଲାଯାଇ ନାହିଁ। ଡୁପ୍ଲିକେଟ ଚାବିରେ ଯଦି ତାଲା ନଖୋଲିବ, ତାକୁ ଭଙ୍ଗାଯିବ। ତାଲାକୁ କିଭଳି ଭଙ୍ଗାଯିବ ସେନେଇ ଏସଓପି ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। 

ସେ ଆହୁରି କହଥିଲେ, କେବଳ ଗଣତି ମଣତି ନୁହେଁ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ। ସେଠାରେ ଅଳଙ୍କାର ରଖି ମତରାମତି କାମ ହୋଇପାରିବ ନାହିଁ। ତେଣୁ ଅସ୍ଥାୟୀ ରତ୍ନଭଣ୍ଡାର କରାଯିବ।

ମନ୍ଦିର ଭିତରେ ଅସ୍ଥାୟୀ ରତ୍ନଭଣ୍ଡାର ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ଆଜି ସୂଚନା ଦେଇଛନ୍ତି ଜଷ୍ଟିସ ମିଶ୍ର। ସେ ଆହୁରି କହିଛନ୍ତି ରତ୍ନଭଣ୍ଡାର ଖୋଲିବା ସମୟରେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେବେ ନାହିଁ ଭକ୍ତ। ସାମାନ୍ୟ ଦୂରରୁ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ପାଇଁ ପୁରୁଣା କମିଟିକୁ ଭାଙ୍ଗି ଜୁଲାଇ ୫ ତାରିଖରେ ୧୬ ଜଣିଆ ନୂଆ କମିଟି ଗଠନ କରାଯାଇଥିଲା।

ନିର୍ବାଚନର କିଛି ମାସ ପୂର୍ବରୁ ବିଜେଡି ସରକାର ଗଠନ କରିଥିବା କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏହି କମିଟିକୁ ଭାଙ୍ଗି ନୂଆ କମିଟି ଗଢ଼ିଛନ୍ତି ନୂଆ ସରକାର। ସରକାର ଗଢ଼ିଲେ ରତ୍ନଭଣ୍ଡାର ଖୋଲାଯିବ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଏବେ ତତ୍ପରତା ପ୍ରକାଶ କରିଛି ଦଳ।  

Tags: #Ratnabhandar #Shreemandir #NewCommittee #Puri #Odisha #OdishaGovt #Meeting

LEAVE A REPLY

Please enter your comment!
Please enter your name here