ଓଡ଼ିଶାଲାଇଭ୍ ବ୍ୟୁରୋ

ରତ୍ନଭଣ୍ଡାର ଯାଞ୍ଚ କମିଟି ଯେଉଁ ତାରିଖ ସ୍ଥିର କରିଛି, ସେହି ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଗୁରୁବାର ଦିନ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ପରିଚାଳନ କମିଟି ଯେଉଁ ଏସଓପି ସୁପାରିଶ କରିଛି ତା’ର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ ଓ ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେଲା ଭଳି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ନେଇ ବୁଧବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ରତ୍ନଭଣ୍ଡାj ଖୋଲିବା ନେଇ ଯାଞ୍ଚ କମିଟି ସ୍ଥିର କରିଥିବା ପ୍ରସ୍ତାବ ଉପରେ ବୈଠକରେ ମୋହର ମାରିଥିଲା ଶ୍ରୀମନ୍ଦିର କରିଚାଳନା କମିଟି। ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଗୁରୁବାର ଦିନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସରକାର ଏହି ପ୍ରସ୍ତାବ ଉପରେ ମୋହର ମାରିଲେ ଖୋଲିବ ରତ୍ନଭଣ୍ଡାର।

ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ଵିତୀୟ ବୈଠକ ବସିଥିଲା। ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହା ପୂର୍ବରୁ ଜୁଲାଇ ୬ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନୂଆ କମିଟିର ପ୍ରଥମ ବୈଠକ ବସିଥିଲା। ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଥିଲେ, ଦୀର୍ଘ ଦଶନ୍ଧି ହେଲା ରତ୍ନଭଣ୍ଡାରର ତାଲା ଖୋଲାଯାଇ ନାହିଁ। ଡୁପ୍ଲିକେଟ ଚାବିରେ ଯଦି ତାଲା ନଖୋଲିବ, ତାକୁ ଭଙ୍ଗାଯିବ। ତାଲାକୁ କିଭଳି ଭଙ୍ଗାଯିବ ସେନେଇ ଏସଓପି ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। 

ସେ ଆହୁରି କହଥିଲେ, କେବଳ ଗଣତି ମଣତି ନୁହେଁ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ। ସେଠାରେ ଅଳଙ୍କାର ରଖି ମତରାମତି କାମ ହୋଇପାରିବ ନାହିଁ। ତେଣୁ ଅସ୍ଥାୟୀ ରତ୍ନଭଣ୍ଡାର କରାଯିବ।

ମନ୍ଦିର ଭିତରେ ଅସ୍ଥାୟୀ ରତ୍ନଭଣ୍ଡାର ପାଇଁ ସ୍ଥାନ ଚିହ୍ନଟ ହୋଇଛି। ରତ୍ନଭଣ୍ଡାର ଖୋଲିବା ସମୟରେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେବେ ନାହିଁ ଭକ୍ତ। ସାମାନ୍ୟ ଦୂରରୁ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ପାଇଁ ପୁରୁଣା କମିଟିକୁ ଭାଙ୍ଗି ଜୁଲାଇ ୫ ତାରିଖରେ ୧୬ ଜଣିଆ ନୂଆ କମିଟି ଗଠନ କରାଯାଇଥିଲା।

ନିର୍ବାଚନର କିଛି ମାସ ପୂର୍ବରୁ ବିଜେଡି ସରକାର ଗଠନ କରିଥିବା କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏହି କମିଟିକୁ ଭାଙ୍ଗି ନୂଆ କମିଟି ଗଢ଼ିଛନ୍ତି ନୂଆ ସରକାର। ସରକାର ଗଢ଼ିଲେ ରତ୍ନଭଣ୍ଡାର ଖୋଲାଯିବ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଏବେ ତତ୍ପରତା ପ୍ରକାଶ କରିଛି ଦଳ।  

Tags: #Ratnabhandar #Shreemandir #NewCommittee #Puri #Odisha #OdishaGovt #Meeting

LEAVE A REPLY

Please enter your comment!
Please enter your name here