ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ। ସୋମବାର ଦିନ ୧୧ଟା ସମୟରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ପରେ ରଥ ଉପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବାହୁଡ଼ା ଯାତ୍ରା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ସମସ୍ତେ ମହାପ୍ରଭୁଙ୍କ ରଥ ଟାଣିବାକୁ ଅପେକ୍ଷା କରି ରହିଛନ୍ତି।
ସୋମବାର ଦିନ ପୂର୍ବ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ଆଗରୁ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥକୁ ନିଆଯାଇଛି। ଶରଧାବାଲିରେ ଘଣ୍ଟଘଣ୍ଟା ଓ କାହାଳୀ ନାଦ ସହ ଶ୍ରୀଜୀଉଙ୍କୁ ରଥାରୂଢ଼ କରାଇଛନ୍ତି ସେବାୟତ।
ବାହୁଡ଼ା ଯାତ୍ରା ପାଇଁ ସବୁ ନୀତି ଶୀଘ୍ର ଚାଲିଛି। ଅପରାହ୍ଣ ୨ଟା ୩୦ ସୁଦ୍ଧା ପହଣ୍ଡି ସରିବା ପରେ ୪ଟା ବେଳେ ରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି।
ବାହୁଡ଼ା ଯାତ୍ରା ପାଇଁ ସୋମବାର ଭୋର ୪ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମଙ୍ଗଳ ଆଳତି, ଏହାପରେ ଗୋପାଳବଲ୍ଲଭ ପୂଜା ଓ ସକାଳଧୂପ ସହ ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ ହୋଇଥିଲା।
ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ତଦାରଖ କରିବାପାଇଁ ଅନେକ ମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି।
Tags: #BahudaJatra #LordJagannath #SriGundichaTemple #ShreeMandir #Puri