ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଦ୍ୟୁତ ତାର ସଂସ୍ପର୍ଶରେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁ ନିକଟରେ ଶନିବାର ଦିନ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତମାନେ ହେଲେ ପୀରୁ ହାଁସଦା, ସିଂରାୟ ହାଁସଦା ଓ ତୋଫାନ ହାଁସଦା।
ଶନିବାର ଭୋର ୪ଟା ସମୟରେ ଶିମିଳିପାଳ ଅଭୟାରଣ୍ୟରୁ ୯ଟି ହାତୀ ରାଇସୁଳ କିଆଖାଲି ଗାଁ ଅଭିମୁଖେ ଆସୁଥିଲେ। ଏହି ସମୟରେ ଗୋଟିଏ ହାତୀ ବିଦ୍ୟୁତ ସଂସ୍ପର୍ଶରେ ପ୍ରାଣ ହରାଇଥିଲା। ଖବର ପାଇ ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ ଏବଂ ଅନ୍ୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହତୀର ମୃତଦେହ ଜବତ କରି ଘଟଣା ତଦନ୍ତ କରିଥିଲେ।
ତଦନ୍ତ ସମୟରେ ଜଣାପଡ଼ିଥିଲା ହାତୀ ମରି ପଡ଼ିଥିବା ସ୍ଥାନ ନିକଟରେ ବିଦ୍ୟୁତ ତାର ଦ୍ୱାରା ବାଡ଼ ଘେରା କରାଯାଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।
ନାକଚୁଆ ଗ୍ରାମରେ ଘରେ ଘରେ ବନ ବିଭାଗର ତଲାସୀ କରାଯାଇଥିଲା। ଏହି ସମୟରେ ଗ୍ରାମର ମୋହନ ହାଁସଦାଙ୍କ ଘରୁ ବିପୁଳ ପରିମାଣରେ ବିଦ୍ୟୁତ ତାର ଏବଂ ଉପକରଣ ମିଳିଥିଲା। ତାରଗୁଡ଼ିକୁ ବନ ବିଭାଗ ଜବତ କରିଥିଲା। ପରେ ସାଇଣ୍ଟିଫିକ ଟିମ୍ ସହ ବିଭାଗୀୟ ଅଧିକାରୀ ତଦନ୍ତ କରିଥିଲେ। ଜାଣିଶୁଣି ହାତୀ ଶିକାର ପାଇଁ ବିଦ୍ୟୁତ ତାର ଗୁଡ଼ାଇବା ଅଭିଯୋଗରେ ମୋହନ ହାଁସଦାଙ୍କ ତିନିପୁଅ ପୀରୁ ହାଁସଦା, ସିଂରାୟ ହାଁସଦା ଓ ତୋଫାନ ହାଁସଦାଙ୍କୁ ଗିରଫ କରାଯାଇଛି।
Tags: #Mayurbhanj #Elephant #Death #ElectricShock #Odisha