ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉଥରେ ପ୍ରକାଶ ପାଇଛି ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୪ ରେଜଲ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ଓ ସହର କ୍ରମରେ ନିଟ୍ ୟୁଜି ରେଜଲ୍ଟ ପୁଣି ବାହାରିଛି। ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ରହିଛି।
ନିଟ୍ ଅନିୟମିତତା ମାମଲାକୁ ନେଇ ଜୁଲାଇ ୧୮ ତାରିଖରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ ବି ପାର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁଲାଇ ୨୦ ତାରିଖରେ ପୁଣି ସଠିକ୍ ରେଜଲ୍ଟ ପ୍ରକାଶ କରିବାକୁ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଜୁଲାଇ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।
ନିଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମାର୍କ ପରୀକ୍ଷା କେନ୍ଦ୍ର ସହ ପ୍ରକାଶ କରାଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏଥିରୁ କେଉଁଠି ପେପର ଲିକ୍ ହୋଇଛି ଏବଂ ସବୁ କେନ୍ଦ୍ରରେ ନା କିଛି କେନ୍ଦ୍ରରେ ଅନିୟମିତତା ହୋଇଛି, ତାହାର ସବିଶେଷ ଯାଞ୍ଚ କରାଯାଇପାରିବ ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ। ସୁପ୍ରିମକୋର୍ଟ ଏହା ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ।
ଏହାପୂର୍ବରୁ ନିଟ୍ ପରୀକ୍ଷାରେ ଗ୍ରେସ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କ ରେଜଲ୍ଟକୁ ରଦ୍ଦ କରାଯାଇଥିଲା। ସେହି ପରୀକ୍ଷାର୍ଥୀମାନେ ପୁଣି ଜୁନ୍ ୨୩ରେ ଆଉଥରେ ପରୀକ୍ଷା ଦେଇଥିଲେ। ଏହାପରେ ୩୦ ଜୁନରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।
୨୦୨୪ ମେ’ ୫ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ପ୍ରାୟ ୨୩ ଲକ୍ଷ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଜୁନ୍ ୪ ତାରିଖରେ ଏହାର ରେଜଲ୍ଟ ପ୍ରକାଶ ପାଇଥିଲା।
ଏହି ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ପୂରା ୭୨୦ ନମ୍ବର ପାଇ ଟପ୍ପର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ଗୋଟିଏ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ଥିଲେ। ଯାହାକୁ ନେଇ ବିବାଦ ହୋଇଥିଲା। ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ କରି ପରୀକ୍ଷାର୍ଥୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।
Tags: #NEETExam #MedicalEntrance #Education #Students #NTA #SupremeCourt