ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ଭବାନୀ ଶଙ୍କର ଭୋଇ। ସର୍ବସମ୍ମତି କ୍ରମେ ବୁଧବାର ଦିନ ନିର୍ଦ୍ଵନ୍ଦ୍ଵରେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି।
ଭବାନୀ ଶଙ୍କର ଭୋଇ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ। ଦୁଇ ଦୁଇ ଥର ସେ ବିଧାୟକ ନିର୍ବାଚିତ ହୋଇଛନ୍ତି। ୨୦୧୯ ଏବଂ ୨୦୨୪ ନିର୍ବାଚନରେ ସେ ବିଜେପି ଟିକେଟରେ ବିଧାୟକ ନିର୍ବାଚିତ ହୋଇଛନ୍ତି।
ଉପବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ଭୋଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବୁଧବାର ଦିନ ଭବାନୀ ଶଙ୍କର ଭୋଇଙ୍କୁ ଉପବାଚସ୍ପତି କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ପ୍ରସ୍ତାବ ରଖିଥିଲେ। ତାଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ ଜଣାଇଥିଲେ। ପରେ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇଙ୍କ ନାଁ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ।
ଗୃହରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନୂଆ ଉପବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିଜ ଦାୟିତ୍ଵ ସଠିକ ଭାବେ ତୁଲାଇବା ସହ ଗୃହର ପରମ୍ପରା ଅକ୍ଷୁର୍ଣ୍ଣ ରଖିବାକୁ ଆଶା ବ୍ୟକ୍ତ କରିଛନ୍ତି ନବୀନ। କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଏମ ନେତା ଲକ୍ଷ୍ମଣ ମୁଣ୍ଡା ନୂଆ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୃହରେ ନିରପେକ୍ଷ ଭାବେ ସବୁ ଦଳକୁ ଦୃଷ୍ଟି ଦେବା ପାଇଁ ଆଶା ବ୍ୟକ୍ତ କରିଛନ୍ତି।
ନୂଆ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
Tags: #OdishaAssembly #DeputySpeaker #Odisha #BhabaniShankarBhoi #Odisha #BJP #BJD #Congress