ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଅସ୍ତିଆ-ଲୁଲୁଙ୍ଗ ରାସ୍ତାର ଧନପୁର ଛକ ନିକଟରେ ଜୁଲାଇ ୨୪ ତାରିଖରେ ଘଟିଥିବା ମରଣାନ୍ତକ ଆକ୍ରମଣ ଓ ଛିନତାଇ ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ। ୧୭ ଜଣିଆ ଗ୍ୟାଙ୍ଗର ଆଉ ୯ ଜଣ ଫେରାର ଅଛନ୍ତି, ଏମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ମହାରଣା ସୂଚନା ଦେଇଛନ୍ତି।
ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁସାରେ, ଜୁଲାଇ ୨୪ ତାରିଖରେ ବାରିପଦା ସହରର ୧୭ ଜଣ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଲୋକଙ୍କୁ ଭୟଭୀତ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯୁବକମାନେ ବାରିପଦା ସଦର ଥାନା ଅନ୍ତର୍ଗତ ପୋଡ଼ା ଅସ୍ତିଆ-ଲୁଲୁଙ୍ଗ ରାସ୍ତାର ଧନପୁର ଛକ ନିକଟରେ ମାନସ ଗୋଚ୍ଛାୟତ ଏବଂ ତାଙ୍କ ପତ୍ନୀଙ୍କୁ ଅଟକାଇ ସେମାନଙ୍କ ଧମକ ଚମକ ଦେଇଥିଲେ।
ସେମାନେ ମାନସଙ୍କ ମୁଣ୍ଡକୁ ଇଟାରେ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କ ବେକରୁ ସୁନା ହାର ଛଡ଼ାଇ ନେଇଥିଲେ। ମାନସଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସିବା ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ପରେ ଗୁରୁତର ଆହତ ହୋଇଥିବା ମାନସଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣା ପରେ ଅଟକି ନଥିଲେ ନିଶାଗ୍ରସ୍ତ ଯୁବକମାନେ। କିଛି ସମୟ ପରେ ଅନ୍ୟ ସାଙ୍ଗମାନଙ୍କୁ ଧରି ପୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରାଇ ଉତ୍ପାତ ଆରମ୍ଭ କରିଥିଲେ। ସମ୍ପୃକ୍ତ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଅତର୍କୀତ ଆକ୍ରମଣ ମଧ୍ୟ କରୁଥିଲେ।
ପ୍ରାୟ ୬ଟି କାରକୁ ଅଟକାଇ ଭଙ୍ଗା ରୁଜା କରିବା ସହ ଲୋକଙ୍କଠାରୁ ଟଙ୍କା ଛଡ଼ାଇ ନେଇଥିଲେ। ଏପରିକି ଶାମାଖୁଣ୍ଟା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବୋଲେରୋ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।
ଏ ନେଇ ବାରିପଦାର ଟାଉନ ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବାରିପଦା ଟାଉନ ଥାନା ଅଧିକାରୀ ମଧୁସ୍ମିତା ମହାନ୍ତିଙ୍କ ନେତୃତ୍ଵରେ ବାରିପଦା ଟାଉନ ଓ ସଦର ଥାନା ପୋଲିସଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ ଅଭିଯୁକ୍ତମାନଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।
ଅଭିଯୁକ୍ତମାନଙ୍କ ମଧ୍ୟରୁ ପୋଲିସ ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ୯ ଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୁନ୍ଦନ ମୁଖୀ, ଭିଠଳ ମୁଖୀ, ସଞ୍ଜୟ ଦାସ, ସମ୍ଭୁ ଗୋପାଳ, ସତ୍ୟ ନାରାୟଣ ଦାସ, ସୁନିଲ ମହାପାତ୍ର ଓ ରାଜେଶ ମହାନ୍ତ।
Tags: #Mayurbhanj #Mayurbhanj #PoliceInvestigation #AttackAndRobberyCase #Crime