ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳକୁ ଲାଗିଛି ବଡ଼ ଝଟକା। ଭାରତର ଦକ୍ଷ ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ସେ ମଙ୍ଗଳବାର ଜର୍ମାନୀ ବିପକ୍ଷରେ ଥିବା ଗୁରୁତ୍ଵପୂର୍ଣ୍ଣ ସେମିଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ। ଏହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

ରବିବାର ଗ୍ରେଟ ବ୍ରିଟେନ ବିପକ୍ଷରେ ହୋଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଅମିତ ରୋହିଦାସଙ୍କୁ ରେଡ୍ କାର୍ଡ ମିଳିଥିଲା। ଏହାପରେ ତାଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲଗାଯାଇଛି। ଏନେଇ ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍) ପକ୍ଷରୁ ଜାରି ବିବୃତିରେ ସ୍ପଷ୍ଟ କରାଯାଇଛି। ଅମିତ ରୋହିଦାସ ମ୍ୟାଚରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଏଫଆଇଏଚ୍ ପକ୍ଷରୁ କୁହାଯାଇଛି।

ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚର ଦ୍ଵିତୀୟ କ୍ୱାର୍ଟରରେ ଅମିତ ରୋହିଦାସ ବଲକୁ ଡିଫେଣ୍ଡ କରିବା ସମୟରେ ତାଙ୍କ ହକି ଷ୍ଟିକ୍ ବ୍ରିଟେନର ଖେଳାଳି ୱିଲ୍ କ୍ଲାନନଙ୍କ ମୁହଁରେ ବାଜି ଥିଲା। ତେବେ ଏହା ଅଜାଣତରେ ହୋଇଥିବା ନେଇ ଅମିତ ରୋହିଦାସ କହିଥିଲେ ମଧ୍ୟ ତାଙ୍କୁ ଭିଡିଓ ରେଫେରି ରେଡ କାର୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ଅମିତଙ୍କୁ ରେଡ୍ କାର୍ଡ ମିଳିବା ଯୋଗୁଁ ଭାରତକୁ ୧୦ ଜଣ ଖେଳାଳିଙ୍କ ସହ ଖେଳିବାକୁ ପଡ଼ିଥିଲା।  

ତେବେ ଅମିତ ରୋହିଦାସଙ୍କୁ ରେଡ୍ କାର୍ଡ ଯୋଗୁଁ ପରବର୍ତ୍ତୀ ମ୍ୟାଚରୁ ବ୍ୟାନ କରାଯିବାକୁ ନେଇ ହକି ଇଣ୍ଡିଆ ଆପତ୍ତି ଦର୍ଶାଇଥିଲା। ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ଏଫଆଇଏଚ୍ ନିକଟରେ ଆବେଦନ ହୋଇଥିଲା। ଚଳିତ ଅଲିମ୍ପିକ୍ସରେ ଭାରତର ମ୍ୟାଚ ଗୁଡ଼ିକରେ ରେଫରିଙ୍କ ନିଷ୍ପତ୍ତିରେ ତ୍ରୁଟି ରହୁଥିବା ନେଇ ଏଥିରେ ଅଭିଯୋଗ କରାଯାଇଥିଲା।

ଏବେ ଭାରତୀୟ ଦଳ ମଙ୍ଗଳବାର ଜର୍ମାନୀ ବିପକ୍ଷରେ ସେମି ଫାଇନାଲ ମୁକାବିଲା ଖେଳିବ। ଏଥିରେ ଅମିତ ରୋହିଦାସଙ୍କୁ ବାଦ ଦେଇ ଭାରତୀୟ ଦଳରେ ଥିବା ଅନ୍ୟ ୧୫ ଜଣ ଖେଳିବେ। ଏତେ ବଡ଼ ମ୍ୟାଚରେ ଅମିତ ରୋହିଦାସଙ୍କ ବିନା ଭାରତୀୟ ଦଳର ରକ୍ଷଣପଂକ୍ତି ପାଇଁ କଠିନ ହେବ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ଦେଇଛନ୍ତି।

Tags: #ParisOlympics #Hockey #AmitRohidas #IndiavsGermany #Semifinal #HockeyIndia

LEAVE A REPLY

Please enter your comment!
Please enter your name here