ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ଜୀବନକାଳରେ ଦୁଇ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ଶେଖ ହସିନା।

ବାଂଲାଦେଶରେ ହିଂସା ଯୋଗୁଁ ସ୍ଥିତି ଉଗ୍ର ରୂପ ଧାରଣ କରିଛି। ଏହାର ପରିମାଣ ସ୍ଵରୂପ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଦେଶ ଛାଡ଼ି ପଳାଇଛନ୍ତି। ତେବେ ଏହା ଶେଖ ହସିନାଙ୍କ ଜୀବବନର ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ସେ ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ଶେଖ ହସିନା କିଏ?

ବାଂଲାଦେଶର ଜନକ ଶେଖ ମୁଜିବୁର ରହମାନଙ୍କ ବଡ଼ ଝିଅ ହେଉଛନ୍ତି ଶେଖ ହସିନା। ସେ ୨୮ ସେପ୍ଟେମ୍ବର ୧୯୪୭ରେ ଜନ୍ମ ଗ୍ରହଣ କରିଥିଲେ। ଶେଖ ହସିନାଙ୍କ ଛୋଟବେଳଠାରୁ ଆରମ୍ଭ କରି ସ୍କୁଲିଂ ପୂର୍ବବଙ୍ଗର ଟୁଙ୍ଗିପଡ଼ାରେ କଟାଇଥିଲେ। ପରେ ତାଙ୍କର ପୂରା ପରିବାର ବାଂଲାଦେଶର ରାଜଧାନୀ ଢାକାକୁ ଚାଲି ଆସିଥିଲେ। ଶେଖ ହସିନା ଆରମ୍ଭରୁ ରାଜନୀତିରେ ଯୋଗ ଦେବା ପାଇଁ ଇଚ୍ଛୁକ ନଥିଲେ। ୧୯୬୬ରେ ଢାକାର ଇଡେନ ମହିଳା ମହାବିଦ୍ୟାଳୟରେ ପଢୁଥିବାବେଳେ ରାଜନୀତି ପ୍ରତି ତାଙ୍କର ଆଗ୍ରହ ଆସିଥିଲା। ଶେଖ ହସିନା ଇଡେନ ମହିଳା ମହାବିଦ୍ୟାଳୟର ଛାତ୍ର ସଂସଦର ଉପସଭାପତି ହୋଇଥିଲେ। ପରେ ପିତା ଶେଖ ମୁଜିବୁର ରହମାନ ତାଙ୍କୁ ଆୱାମୀ ଲିଗ ଛାତ୍ର ସଂଗଠନର ଦାୟିତ୍ଵ ଦେବାକୁ ନିଷ୍ପତ୍ତି ନେଇଥିଲେ।

କମ୍ ବୟସରେ ପରିବାରକୁ ହରାଇଥିଲେ ଶେଖ ହସିନା

ବାଂଲାଦେଶ ଗଠନ ହେବାର କିଛି ବର୍ଷ ପରେ ଶେଖ ହସିନାଙ୍କ ଜୀବନରେ ଶୋକର ଛାୟା ଖେଳିଗଲା। ୧୯୭୫ରେ ବାଂଲାଦେଶରେ ସେନା ବିଦ୍ରୋହ କରିଥିଲା। ଏଥିରେ ବିଦ୍ରୋହକାରୀ ଯବାନମାନେ ଶେଖ ହସିନାଙ୍କ ବାପା, ମା’ ଏବଂ ତିନି ଭାଇଙ୍କୁ ପିଟି ପିଟି ହତ୍ୟା କରିଥିଲେ। ସେତେବେଳେ ଶେଖ ହସିନା ଓ ତାଙ୍କ ସ୍ଵାମୀ ୟୁରୋପରେ ଥିଲେ। ଏହି ହତ୍ୟାକାଣ୍ଡରେ ଶେଖ ହସିନା ଓ ତାଙ୍କ ଭଉଣୀ ଶେଖ ରିହନାଙ୍କ ଜୀବନ ବଞ୍ଚି ଯାଇଥିଲା।

ପରିବାରର ମୃତ୍ୟୁ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଶେଖ ହସିନାଙ୍କ ଭାରତରେ ରହିବା ପାଇଁ ଆଶ୍ରୟ ଦେଇଥିଲେ। ଶେଖ ହସିନା ୧୯୮୧ରେ ବାଂଲାଦେଶକୁ ଫେରିଥିଲେ। ତାଙ୍କ ପିତାଙ୍କ ଦଳକୁ ଆଗକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।

ଦୁଇ ଦୁଇ ଥର ହୋଇଥିଲା ଆକ୍ରମଣ

ଶେଖ ହସିନା ନିଜ ଜୀବନକାଳରେ ଦୁଇ ଦୁଇ ଥର ଆକ୍ରମଣର ଶିକାର ହୋଇଛନ୍ତି। ୧୯୭୫ ପରେ ଦ୍ଵିତୀୟଥର ୨୦୦୪ରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ଉପରକୁ ହୋଇଥିବା ଗ୍ରେନେଡ ମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣରେ ୨୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।

ଶେଖ ହସିନାଙ୍କ ରାଜନୈତିକ ଜୀବନ

୧୯୮୬ରେ ପ୍ରଥମ ଥର ପାଇଁ ଶେଖ ହସିନା ବାଂଲାଦେଶରେ ସାଧାରଣ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ସଂଖ୍ୟା ଗାରିଷ୍ଠତା ପାଇନଥିବାରୁ ସେ ବିରୋଧି ଦଳ ନେତା ହୋଇଥିଲେ। ୧୯୯୧ରେ ପ୍ରଥମ ଥର ପାଇଁ ବାଂଲାଦେଶରେ ସ୍ଵାଧୀନ ନିର୍ବାଚନ ହୋଇଥିଲା, ହେଲେ ଏଥିରେ ସେ ପରାସ୍ତ ହୋଇଥିଲେ। ଏହାପରେ ହୋଇଥିବା ୧୯୯୬ ମସିହା ନିର୍ବାଚନରେ ଶେଖ ହସିନା ବିଜୟୀ ହୋଇ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୧ ନିର୍ବାଚନରେ ସେ ପୁଣି ହାରିଯାଇଥିଲେ। ଏହାପରେ ପୁଣି ୨୦୦୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ସେବେଠାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇ ଆସୁଥିଲେ।

ଶେଖ ହସିନା ବାଂଲାଦେଶର ରାଜଧାନୀ ଢାକାରୁ ସୋମବାର ଭାରତ ଆସିଥିବାବେଳେ ଏବେ ଫିନଲ୍ୟାଣ୍ଡ ଅଭିମୁଖେ ଯାଉଥିବାର ସୂଚନା ମିଳିଛି। କେବଳ ଶେଖ ହସିନା ନୁହଁନ୍ତି ତାଙ୍କ ଦଳର ଥିବା ଅନେକ ହେଭିୱେଟ ନେତା ମଧ୍ୟ ଦେଶ ଛାଡ଼ି ପଳାଇଛନ୍ତି। ଅନ୍ୟପକ୍ଷେ ସୋମବାର ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଗତ ଦୁଇ ମାସ ଧରି ବାଂଲାଦେଶରେ ନିଯୁକ୍ତିରେ ସଂରକ୍ଷଣକୁ ନେଇ ଚାଲିଥିବା ଆନ୍ଦୋଳନରେ ବ୍ୟାପକ ସଂଘର୍ଷ ଦେଖିବାକୁ ମିଳିଥିଲା। ଯେତେବେଳେ ଶେଖ ହସିନାଙ୍କ ନେତୃତ୍ଵରେ ଥିବା ସରକାର ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ପରିସ୍ଥିତି ଜଟିଳ ହୋଇଯାଇଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଅଟଳ ରହି ଆନ୍ଦୋଳନ ଜାରି ରଖିଥିଲେ।

Tags: #BangladeshViolence #SeikhHasina #PrimeMinister #Politics #Bangladesh

LEAVE A REPLY

Please enter your comment!
Please enter your name here