ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାକୁ ଲାଗିଛି। ଫଳରେ ରାଜ୍ୟର କେତେକ ଜିଲ୍ଲାରେ ବନ୍ୟା ସମ୍ଭାବନା ଦେଖାଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଓଡ଼ିଶାର ୧୦ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।

ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ ସୋନପୁର। ତଳିଆ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକଙ୍କ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।

ଉପରମୁଣ୍ଡରେ ଲଗାଣ ବର୍ଷା ପରେ ବଢ଼ିଛି ହୀରାକୁଦର ଜଳସ୍ତର। ଫଳରେ ଶୁକ୍ରବାର ଦିନ ଆଉ ୬ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ଗେଟ ଖୋଲିବା ପରେ ମହାନଦୀର ଜଳସ୍ତର ବଢ଼ିଛି।

କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୬୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଶୁକ୍ରବାର ରାତି ସୁଦ୍ଧା ପିକ୍ ଜଳସ୍ତର ମୁଣ୍ଡଳିରୁ ଅତିକ୍ରମ କରିବ। ଦୟା, ଭାର୍ଗବୀ ନଦୀର ବନ୍ୟାପାଣି ତଳିଆ ଅଞ୍ଚଳକୁ ପଶିବାର ସମ୍ଭାବନା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି।

ବର୍ତ୍ତମାନ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଖୁଆପଦାରେ ବିପଦ ସଙ୍କେତ ଛୁଇଁଛି। ବର୍ତ୍ତମାନ ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳସ୍ତର କମିବାର ଆଶଙ୍କା ରହିଥିବା କହିଛନ୍ତି ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

Tags: #FloodSituation #Mahanadi #RisingWaterLevel #Odisha #FloodAlert

LEAVE A REPLY

Please enter your comment!
Please enter your name here