ଓଡ଼ିଶାଲାଇଭ୍ ବ୍ୟୁରୋ

ଯାତାୟତର ସୁବିଧା ନିମନ୍ତେ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥକୁ ୬ ଲେନ କରାଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀରୁ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ମଙ୍ଗଳବାର ଦିନ ଦିଲ୍ଲୀଠାରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ଵରା ଆୟୋଜିତ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ୪ ଲେନ ବିଶିଷ୍ଟ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥକୁ ୬ ଲେନ କରାଯିବ। ଏଥିସହ ରାସ୍ତାର ଉଭୟ ପାର୍ଶ୍ଵରେ ସର୍ଭିସ ରୋଡ ତିଆରି କରାଯିବ। ଏଥିପାଇଁ ୧,୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ।  ସେହିପରି ବଡ଼ବିଲ-ଚଣ୍ଡିଖୋଲ ଜାତୀୟ ରାଜପଥ ୮ ଲେନ ବିଶିଷ୍ଟ ହେବ। ପ୍ରାୟ ୨୦୦ କିଲୋମିଟର ୮ ଲେନ ହେବା ସହ ରାସ୍ତାର ଦୁଇ ପାର୍ଶ୍ଵରେ ସର୍ଭିସ ରୋଡ ରହିବ। ବର୍ତ୍ତମାନ ଚଣ୍ଡିଖୋଲ-ପାରାଦୀପ ରାସ୍ତା ନିର୍ମାଣ କାମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ସହ ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ୪ ଲେନ ହେବା ସହ ସର୍ଭିସ ରୋଡ ରହିବ। ଏଥିପାଇଁ ଖର୍ଚ୍ଚ ହେବ ୧୧ ଶହ କୋଟି ଟଙ୍କା। କେସିଙ୍ଗା-ଜୁନାଗଡ଼ ୨୬ ନମ୍ବର ଜାତୀୟ ରାଜପଥ ୪ ଲେନ ହେବ। ଏଥିପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ସେହିପରି ଜୟପୁରରୁ ନୂଆପଡ଼ା-ଝାରସୁଗୁଡ଼ା-ସମ୍ବଲପୁର-କେନ୍ଦୁଝର ଏବଂ କେନ୍ଦୁଝରରୁ ଜଳେଶ୍ଵର-ବାଲେଶ୍ଵର-ପୁରୀ ହୋଇ ଏକ ଅଣ୍ଡା ଆକୃତିର ରିଂ ରୋଡ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ମୋଟୁରୁ ତିରିଂ ପର୍ଯ୍ୟନ୍ତ ୯୬୯ କିଲୋମିଟର ରାସ୍ତା, ନୂଆପଡ଼ା-ଅସ୍ତରଙ୍ଗ ଏବଂ ସମ୍ବଲପୁର-ସାତଭାୟା ରାସ୍ତା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୧୫ ହଜାର କୋଟି ଟଙ୍କା ମୂଲ୍ୟରେ ୪ଟି ପ୍ରକଳ୍ପ ଉପରେ ସହମତି ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଲାଗି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି କୋରାପୁଟ-ପୋଡ଼ୋମାରି ପ୍ରକଳ୍ପ। ୩୨୬ ନମ୍ବର ଜାତୀୟ ରାଜପଥରେ ୨୪୬ କିଲୋମିଟର ପର୍ଯ୍ୟନ୍ତ ଦୁଇ ଲେନ ହେବ। ଏଥିପାଇଁ ୨,୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସଡ଼କ ଓ ଭିତ୍ତିଭୂମି ପାଣ୍ଠି ଅଧୀନରେ ଚଳିତ ବର୍ଷ ୫ଶହ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ଓଡ଼ିଶା ପାଇଁ ‘ସେତୁ ବନ୍ଧନ ଯୋଜନା ଅଧୀନରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଓଡ଼ିଶା ଜାତୀୟ ରାଜପଥର ଉନ୍ନତିକରଣ ଲାଗି ୩,୪୦୦ କୋଟି ଟଙ୍କାର ଡିପିଆର ଦାଖଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଓଡ଼ିଶାର ୫୧ଟି ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Politics #OdishaPolitics #OdishaGovt #CMMohanCharanMajhi #NitinGadkari #Nationalhighway

LEAVE A REPLY

Please enter your comment!
Please enter your name here