ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ କୁମାର ପଟ୍ଟନାୟକ। ଶୁକ୍ରବାର ଦିନ ନିଜ ଇସ୍ତଫା ପତ୍ର ସେ ଏଆଇସିସିକୁ ପଠାଇଛନ୍ତି। ଦଳରେ ଉଚିତ ସମ୍ମାନ ନମିଳିବାରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବିଜୟ ପଟ୍ଟନାୟକ କହିଛନ୍ତି।
ସେ କହିଛନ୍ତି, “କଂଗ୍ରେସରେ ମୋର କୌଣସି ସ୍ଥାନ ନାହିଁ, କି ପ୍ରେଷ୍ଟିଜ ନାହିଁ। ଯେଉଁଠାରେ ମୋର କୌଣସି ଆବଶ୍ୟକତା ନାହିଁ, ସେଠାରେ ରହିବାକୁ ମୁଁ ଉଚିତ ମନେ କରେ ନାହିଁ। ବହୁତ ଭାବି ଚିନ୍ତି କଂଗ୍ରେସ ଛାଡ଼ିବାକୁ ମୁଁ ନିଷ୍ପତ୍ତି ନେଇଛି।”
ବିଜୟ କୁମାର ପଟ୍ଟନାୟକ ଆହୁରି କହିଛନ୍ତି, ଯେଉଁ ଲକ୍ଷ୍ୟ ନେଇ ସେ କଂଗ୍ରେସରେ ସାମିଲ ହୋଇଥିଲେ, ସେ ଲକ୍ଷ୍ୟ ପୂରଣ କରିବାକୁ ଦଳ ତାଙ୍କୁ ସୁଯୋଗ ଦେଲା ନାହିଁ କିମ୍ବା ସହଯୋଗ ମଧ୍ୟ କଲା ନାହିଁ। କଂଗ୍ରେସ ଦଳ ଗତାନୁଗତି ଭାବେ ନିଜର କାର୍ଯ୍ୟ ଜାରି ରଖିଛି। ଏଠାରେ କୌଣସି ପରିବର୍ତ୍ତନର ସମ୍ଭାବନା ଦେଖିବାକୁ ମିଳିଲା ନାହିଁ ବୋଲି ସେ କହିଛନ୍ତି।
ବର୍ତ୍ତମାନ ତାଙ୍କର ଅନ୍ୟ କୌଣସି ଦଳରେ ଯୋଗ ଦେବାର ଯୋଜନା ନଥିବା ସ୍ପଷ୍ଟ କରିଛନ୍ତି ବିଜୟ ପଟ୍ଟନାୟକ।
୨୦୨୪ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ଆସନ ଲାଗି କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ବିଜୟ ପଟ୍ଟନାୟକ। ଅବଶ୍ୟ ସେ ନିର୍ବାଚନ ଜିତି ପାରିନଥିଲେ।
ଗତ ୨୦୨୩ ମସିହା ଏପ୍ରିଲ ୨୨ ତାରିଖରେ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ପୂର୍ବତନ ପ୍ରଶାସକ ବିଜୟ କୁମାର ପଟ୍ଟନାୟକ। ଝାରସୁଗୁଡ଼ା ଉପନିର୍ବାଚନ ଓ ୨୦୨୪ ସାଧରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ କାଢ଼ି ଦିଆଯାଇଥିଲା। ଦଳରେ ବାରମ୍ବାର ତାଙ୍କୁ ଅଣଦେଖା କରାଯାଇଥିବା ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ଗତ ୨୦୨୩ ମସିହା ଫେବ୍ରୁଆରି ୧୦ ତାରିଖରେ କଂଗ୍ରେସରେ ସାମିଲ ହୋଇଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟଠାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡ଼ିଶା ପ୍ରଭାରୀ ଚେଲା କୁମାର ଏବଂ ଓପିସିସି ସଭାପତି ଶରତ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଥିଲେ। ପ୍ରଥମ ଥର ପାଇଁ ସେ ରାଜନୀତିକୁ ପ୍ରବେଶ କରିଥିଲେ।
ବିଜୟ କୁମାର ପଟ୍ଟନାୟକ ହେଉଛନ୍ତି ୧୯୭୬ ବ୍ୟାଚର ଆଇଏଏସ ଅଧିକାରୀ। ସେ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରି ୨୦୧୩ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ।
Tags: #Politics #OdishaPolitics #Congress #BijayKumarPatnaik #AICC #Odisha