ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ହଷ୍ଟେଲରେ ବିଷାକ୍ତ ଖାଦ୍ୟ ଖାଇ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ଓ ୭୪ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି ବିଶାଖାପାଟଣା ସହର ନିକଟ ଆନାକାପାଲ୍ଲୀ ଜିଲ୍ଲା କୋଟାଭୁରାଟଲା ମଣ୍ଡଳର କୈଳାଶପାଟନମ ଗ୍ରାମରେ ଥିବା ପାସା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହଷ୍ଟେଲରୁ।
ହଷ୍ଟେଲରେ ଆୟୋଜିତ ସାଧାରଣ ସଭା ପରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥିଲା। ଖାଇ ସାରିବା ପରେ ହଠାତ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇଜଣ ଛାତ୍ର ଏବଂ ଜଣେ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପିଲାମାନେ ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ ବିଶାଖାପାଣାସ୍ଥି କିଙ୍ଗ ଜର୍ଜ ହସ୍ପିଟାଲରେ ୧୬ ଜଣଙ୍କୁ, ନରସିପାଟନାମ ଏରିଆ ହସ୍ପିଟାଲରେ ୧୭ ଜଣଙ୍କୁ, କୋଟାଭୁରାଟଲା ହସ୍ପିଟାଲରେ ୫ ଜଣଙ୍କୁ ଏବଂ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ପାଡେରୁ ଡାକ୍ତରଖାନାରେ ୩୬ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏ ନେଇ ଆନାକାପାଲି ଜିଲ୍ଲା ମେଡିକାଲ ଅଫିସର ଏମଏସଭିକେ ବାଲାଜୀ ସୂଚନା ଦେଇଛନ୍ତି।
ତେବେ ପୋଲିସ ପାସା ଟ୍ରଷ୍ଟର ଅଧିକାରୀ କିରଣ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାରା ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
Tags: #PoisoningFood #Death #Student #Anakapalli #Visakhapatnam