ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ସମରଝୋଳ ଛକରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସକୁ ଟ୍ୟାଙ୍କର ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି ଭଞ୍ଜନଗରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା। ବୁଧବାର ସକାଳେ ସମରଝୋଳ ଛକ ନିକଟରେ ଟ୍ୟାଙ୍କରଟି ଅନ୍ୟ ଏକ ଟ୍ରକକୁ ଓଭରଟେକ୍‌ କରିବାକୁ ଯାଇ ବସଟିକୁ ପିଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ଧକ୍କା ଖାଇ ରାସ୍ତାକଡ଼ ଚା’ ଦୋକାନ ଉପରକୁ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ୩ ଜଣ ଲୋକଙ୍କ ଉପରେ ବସ୍ ଚଢ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା।

ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବାକୁ ଘୋଷଣା କରାଯାଇଛି। ଏହାସହ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।  

Tags: #RoadAccident #Berhampur #Ganjam #Odisha

LEAVE A REPLY

Please enter your comment!
Please enter your name here