ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଆରମ୍ଭରୁ ଚାଲିପାରୁନି ଗୃହ କାର୍ଯ୍ୟ। ଶୁକ୍ରବାର ଅଧିବେଶନର ଚତୁର୍ଥ ଦିନରେ ବିରୋଧୀ ବିଜେଡି ବିଧାୟକଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସେମାନେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ଶୁକ୍ରବାର ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ସମୟରେ ବିରୋଧୀ ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଥିଲେ। ସେମାନେ ଗଞ୍ଜାମ ଜିଲ୍ଲା ଚିକିଟିରେ ହୋଇଥିବା ମଦ ମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

ଏହାପରେ ବିଜେଡିର ଅନେକ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ପରେ କିଛି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା। ସ୍ଥିତି ଅସମ୍ଭାଳ ହେଉଥିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ।

ଅନ୍ୟପଟେ ବିଜେପି ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ମଦ ମୃତ୍ୟୁ ମାମଲାରେ ବିରୋଧୀମାନେ କେବଳ ରାଜନୀତି କରୁଥିବା ଦଳ ଅଭିଯୋଗ କରିଛି। ସେମାନେ ଏହାକୁ ନେଇ ବିଧାନସଭାରେ ଆଲୋଚନା ହେବାକୁ ଭୟ କରୁଛନ୍ତି ବୋଲି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି।   

Tags: #OdishaAssembly #BudgetSession #Politics #Odisha

LEAVE A REPLY

Please enter your comment!
Please enter your name here