ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଆସିବାକୁ ଯାଉଥିବା ନୂଆ ହିନ୍ଦୀ ଧାରାବାହିକ ‘ଜୟ ଜଗନ୍ନାଥ’କୁ ନେଇ ଏବେ ବିବାଦ ଦେଖା ଦେଇଛି। ‘ହରି ଓମ୍’ ଓଟିଟି ଚ୍ୟାନେଲରେ ଅଗଷ୍ଟ ୨୬ ତାରିଖରୁ ଧାରାବାହିକଟି ପ୍ରସାରିତ ହେବାକୁ ଯାଉଛି। ତେବେ ଏହା ଜଗନ୍ନାଥ ପ୍ରେମୀ ଭକ୍ତ ଏବଂ ତତ୍ତ୍ଵବିତ୍‌ମାନଙ୍କ ଆଧ୍ୟାତ୍ମିକ ଭାବନାକୁ ଆହତ କରିଥିବା ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ। ଏହି ଧାରାବାହିକର ପ୍ରସାରଣକୁ ବନ୍ଦ କରିବାକୁ ପ୍ରତିଷ୍ଠାନ ପକ୍ଷରୁ ଦାବି କରାଯାଇଛି।

ଏହି ଧାରାବାହିକକୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟ ଯାତ୍ରା ବୋଲି ଆଖ୍ୟା ଦିଆଯାଇଛି। ଏହାର ନିର୍ମାତା ବିଭୁ ଅଗ୍ରୱାଲ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଧାରାବାହିକର ବିଜ୍ଞାପନ ପାଇଁ ସେୟାର କରିଥିବା ଭିଡିଓରେ ଥିବା ଦର୍ଶା ଯାଇଥିବା କାହାଣୀର କୌଣସି ଶାସ୍ତ୍ରୀୟ ଭିତ୍ତି ନାହିଁ ବୋଲି ଅଭିଯୋଗ ହୋଇଛି। ଏନେଇ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଛି।

ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, “ଶ୍ରୀଜଗନ୍ନାଥଙ୍କ ତତ୍ତ୍ଵ, ଦର୍ଶନ, ଭକ୍ତି ଓ ଆଧ୍ୟାତ୍ମିକତା ସମ୍ପର୍କରେ ସର୍ବମାନ୍ୟ ପୁରାଣ ହେଉଛି ‘ସ୍କନ୍ଦପୁରାଣ’ ଅନ୍ତର୍ଗତ ‘ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍’। ତାହା ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ ଭାବରେ ମଧ୍ୟ ସର୍ବମାନ୍ୟ ଓ ସୁପ୍ରସିଦ୍ଧ। ଏହା ଅନୁସାରେ, ଶ୍ରୀଜଗନ୍ନାଥ ମହାପ୍ରଭୁ ପୂର୍ବରୁ ଶ୍ରୀନୀଳମାଧବଙ୍କ ରୂପେ ପୂଜା ପାଉଥିଲେ। ଏହାପରେ ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ଵମେଧ ଯଜ୍ଞରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ମହୋଦଧିରେ ଦିବ୍ୟଦାରୁ ଦାରୁ ରୂପେ ଆବିର୍ଭୂତ ହୋଇଥିଲେ। ପରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରୂପ ନେଇଥିଲେ। ଏହି ପରି ଭାବେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତି ରୂପେ ପୂଜା ପାଇ ଆସୁଛନ୍ତି।”

‘ସ୍କନ୍ଦପୁରାଣ’ ଅନୁସାରେ ଏହା ସତ୍ୟଯୁଗର ଘଟଣା, ହେଲେ ‘ଜୟ ଜଗନ୍ନାଥ’ ଧାରାବାହିକରେ ମହାପ୍ରଭୁ ଜଗନ୍ନାଥଙ୍କ ଆବିର୍ଭାବ ଦ୍ଵାପର ଯୁଗର ଶେଷରେ, ଶ୍ରୀକୃଷ୍ଣଙ୍କର ଦେହାନ୍ତ ପରେ ବୋଲି ଦର୍ଶାଯାଇଛି। ତାଙ୍କର ଆତ୍ମା ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ପ୍ରବେଶ କରିବାପରେ ସେ ଜଗନ୍ନାଥ ହୋଇଛନ୍ତି ବୋଲି ମଧ୍ୟ ଦର୍ଶାଯାଇଛି। ଏହା ଅତ୍ୟନ୍ତ ବିଭ୍ରାନ୍ତିକର ଏବଂ ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରୀୟ ଭିତ୍ତି ଓ ଭକ୍ତି ଭାବନାକୁ କଦର୍ଥ କରୁଛି ବୋଲି ପ୍ରତିଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି।

ଏନେଇ ହୋଇଥିବା ପ୍ରେସ ବାର୍ତ୍ତାରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ, ରାଷ୍ଟ୍ରୀୟ ସଚିବ ଡକ୍ଟର ଅସିତ ମହାନ୍ତି, ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଡାକ୍ତର କରୁଣାକାର ପ୍ରଧାନ, ରାଜ୍ୟ ସଭାପତି ସୁଦର୍ଶନ ନାୟକ, ପୃଷ୍ଠପୋଷକ ସଦସ୍ୟ ଡକ୍ଟର ହରେକୃଷ୍ଣ ଶତପଥି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ୍ତ କୁମାର ସାହୁ ଓ ଆଜୀବନ ସଦସ୍ୟ ବାସୁଦେବ ଭଟ୍ଟ ପ୍ରମୁଖ ଯୋଗ ଦେଇଥିଲେ।

Tags: #JayJagannathSerial #SriJagannathChetanaGavesanaPratisthan #TVSerial #SriJagannathChetana #Odisha

LEAVE A REPLY

Please enter your comment!
Please enter your name here